କନକ ବ୍ୟୁରୋ: ଦିଲ୍ଲୀ ପ୍ରଦୂଷଣକୁ ନେଇ ଏବେ ସାରା ବିଶ୍ବରେ ଚର୍ଚ୍ଚା ହେଉଛି । ଦିଲ୍ଲୀର ବାୟୁ ଲୋକଙ୍କ ପାଇଁ ରୋଗର ଗନ୍ତାଘର ପାଲଟିଗଲାଣି । ସ୍ଥିତି ଏମିତି ହେଲାଣି ଯେ ଦିଲ୍ଲୀରେ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହେଉଛି । ତେବେ କେନ୍ଦ୍ରମନ୍ତ୍ରୀ ନିତିନ ଗଡକରୀ କହିଛନ୍ତି, ଦିଲ୍ଲୀରେ ୩ ଦିନ ରହିଲେ ଆଲର୍ଜି ହୋଇଯାଉଛି । ଏକ କାର୍ଯ୍ୟକ୍ରମରେ ଦିଲ୍ଲୀ-ଏନସିଆରରେ ପ୍ରଦୂଷଣ ପ୍ରସଙ୍ଗ ଉଠାଇବା ବେଳେ ଏଭଳି କହିଥିଲେ । ସେ କହିଥିଲେ, "ମୁଁ ଏଠାରେ ତିନି ଦିନ ପାଇଁ ରହୁଛି ଏବଂ ସହରର ପ୍ରଦୂଷଣ ପାଇଁ ୩ ଦିନ‌ରେ ହିଁ ମୋର ଆଲର୍ଜି ହୋଇଯାଉଛି । ଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳରେ ବଢ଼ିଥିବା ପ୍ରଦୂଷଣ ପାଇଁ ପରିବହନର ୪୦ପ୍ରତିଶତ ଅବଦାନ ରହିଛି । ମୁଁ ପରିବହନ ମନ୍ତ୍ରୀ ଏବଂ ୪୦ ପ୍ରତିଶତ ପ୍ରଦୂଷଣ ପରିବହନ ଦ୍ୱାରା ହୁଏ ।" ଏଭଳି କହି ଗଡକରୀ ଜୀବାଶ୍ମ ଇନ୍ଧନ ଉପରେ ନିର୍ଭରଶୀଳତା ହ୍ରାସ କରିବା ଏବଂ ପ୍ରଦୂଷଣକୁ ଯଥେଷ୍ଟ ହ୍ରାସ କରିପାରୁଥିବା ବିକଳ୍ପ ଗ୍ରହଣ କରିବାର ଜରୁରୀ ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ ।

Advertisment

ଆହରି ପଢ଼ନ୍ତୁ: ଦିଲ୍ଲୀ ପ୍ରଦୂଷଣ ସଙ୍କଟ ; ନିତିନ ଗଡ଼କରୀଙ୍କୁ ଘାରିଛି ଚିନ୍ତା

"ଏହା କି ପ୍ରକାରର ରାଷ୍ଟ୍ରବାଦ?"

ଗଡକରୀ ପଚାରିଥିଲେ ଯେ, "ଏହା କି ପ୍ରକାରର ରାଷ୍ଟ୍ରବାଦ? ଜୀବାଶ୍ମ ଇନ୍ଧନ ସୀମିତ, ଏବଂ ପ୍ରଦୂଷଣ ବଢ଼ୁଛି । ଆମେ କ'ଣ ଆମର ଜୀବାଶ୍ମ ଇନ୍ଧନର ବ୍ୟବହାର ହ୍ରାସ କରିପାରିବା ନାହିଁ ? ଭାରତ ବାର୍ଷିକ ପ୍ରାୟ ୨.୨  ନିୟୁତ ଟଙ୍କା ଜୀବାଶ୍ମ ଇନ୍ଧନ ପାଇଁ ଖର୍ଚ୍ଚ କରେ। ଆମେ କାହିଁକି ବୈଦ୍ୟୁତିକ ଯାନବାହନ ଏବଂ ହାଇଡ୍ରୋଜେନ ଚାଳିତ ଯାନବାହନକୁ ପ୍ରୋତ୍ସାହିତ କରୁ ନାହେଁ, ଯାହାଦ୍ବାରା ପ୍ରଦୂଷଣ ହୁଏ ନାହିଁ ।"

ଏହାସହ କେନ୍ଦ୍ରମନ୍ତ୍ରୀ ପରିବେଶ ଅନୁକୂଳ ଫ୍ଲେକ୍ସ-ଫୁଏଲ ଯାନଗୁଡ଼ିକ ବିଷୟରେ ମଧ୍ୟ କହିଥିଲେ, ଯାହା ସମ୍ପୂର୍ଣ୍ଣ ଭାବରେ ଇଥାନଲରେ ଚାଲିଥାଏ । ପ୍ରଦୂଷଣ ହ୍ରାସ କରିବା ଓ ଜୀବାଶ୍ମ ଇନ୍ଧନ ଉପରେ ନିର୍ଭରଶୀଳତା ହ୍ରାସ କରିବା ପାଇଁ ଫ୍ଲେକ୍ସ-ଫୁଏଲ ଗାଡ଼ି ବ୍ୟବହାର କରାଯାଇପାରିବ । ଦିଲ୍ଲୀର ବାୟୁ ଗୁଣବତ୍ତା ଦିନକୁ ଦିନ ଖରାପ ହେବାରେ ଲାଗିଥିବା ବେଳେ  ନିତିନ ଏଭଳି ମତ ରଖିଛନ୍ତି । ମୋଟ୍‌ ଉପରେ, ଘନ କୁହୁଡ଼ି ଓ ଉତ୍କଟ ବାୟୁ ପ୍ରଦୂଷଣରେ ରୁନ୍ଧି ହୋଇଗଲାଣି ଦେଶର ରାଜଧାନୀ ଦିଲ୍ଲୀ । ଘନ କୁହୁଡ଼ି ଯୋଗୁ ଦୃଶ୍ୟମାନ ଦୂରତା ମଧ୍ୟ  ହ୍ରାସ ପାଇଛି । ଅତି ଖରାପ ରହିଛି ବାୟୁ ଗୁଣବତ୍ତା । ଆଉ ଏହାରି ଭିତରେ ଦିଲ୍ଲୀକୁ ନେଇ ନିତିନ ଯେଉଁ ବୟାନ ଦେଇଛନ୍ତି ତାହାକୁ ନେଇ ଚର୍ଚ୍ଚା ଜୋର ।