କନକ ବ୍ୟୁରୋ : ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମରୁ ଆସିଛି ଦୁଃଖଦ ଖବର । କାସୀବୁଗାରେ ଥିବା ଭେଙ୍କଟେଶ୍ୱର ମନ୍ଦିରରେ ଘଟିଛି ଭୟଙ୍କର ଓ ବଡ଼ ଧରଣର ଦଳାଚକଟା । ଏକାଦଶୀ ପାଇଁ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ଜମିଥିବାବେଳେ ଏହି ଅଘଟଣ ଘଟିଛି ।

Advertisment

ଆଜି ସକାଳୁ ସକାଳୁ ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମରେ ଦେଖିବାକୁ ମିଳିଛି ଏହି ହୃଦୟ ବିଦାରକ ଦୃଶ୍ୟ । ଆର୍ତ୍ତ ଚିତ୍କାରରେ ଫାଟି ପଡୁଥିଲା ଶ୍ରୀକାକୁଲମସ୍ଥିତ ଭେଙ୍କଟେଶ୍ୱର ସ୍ୱାମୀ ମନ୍ଦିର । କିଏ ସର୍ମ୍ପକୀୟଙ୍କୁ ହରାଇ ମୁଣ୍ଡ ପିଟୁ କାନ୍ଦୁଛି ତ କିଏ ଜୀବନ ବଞ୍ଚାଇବାକୁ ସଂଘର୍ଷ କରୁଛି । ସକାଳୁ ସକାଳୁ ପ୍ରଭୁ ଭେଙ୍କଟେଶ୍ୱରଙ୍କ ଦର୍ଶନ ପାଇଁ ଛୁଟି ଆସିଥିଲେ ସଂଖ୍ୟାଧିକ ଶ୍ରଦ୍ଧାଳୁ । ଏକାଦଶୀ ଥିବାରୁ ମନ୍ଦିର ଭିତରେ ପ୍ରବଳ ଭିଡ଼ ଜମିବା ସହ ଅଣାୟତ୍ତ ହୋଇପଡ଼ିଥିଲା ସ୍ଥିତି । ହଠାତ୍ ଭିଡ଼ ବଢ଼ିବା ପରେ ଘଟିଥିଲା ଏହି ଛାତିଥରା ଦଳାଚକଟା ଘଟଣା । ଭିଡ଼ରେ କିଏ ତଳେ ପଡ଼ି ଯାଇଥିଲେ ତ କିଏ ବେହୋସ ହୋଇପଡ଼ିଥିଲେ । ଆହତଙ୍କ ଉପରେ ମଧ୍ୟ ଚଢ଼ିଯାଇ ନିଜ ଜୀବନ ବଞ୍ଚାଇବାକୁ କେହି କେହି ଚେଷ୍ଟା କରିଥିଲେ । ପ୍ରଭୁଙ୍କ ଦର୍ଶନ ପାଇଁ ଆସିଥିବା ଶ୍ରଦ୍ଧାଳୁ ହୁଏତ ଜାଣିନଥିଲେ ଯେ ଏହା ଥିଲା ସେମାନଙ୍କ ଶେଷ ଦର୍ଶନ ।

ଅଧିକ ପଢ଼ନ୍ତୁ : ଆଜିଠୁ ଦିଲ୍ଲୀକୁ ପ୍ରଦୂଷଣକାରୀ ବାହାର ଯାନ ମନା : ଗଠନ ହୋଇଛି ୨୩ଟି ସ୍ବତନ୍ତ୍ର ଦଳ ଗଠନ

ଘଟଣାସ୍ଥଳରୁ ଆହତଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । କାହା ଅବହେଳାରେ ଏତେ ବଡ଼ ଅଘଟଣ ଘଟିଲା, ଏନେଇ ଆରମ୍ଭ ହୋଇଛି ତଦନ୍ତ । ଏକାଦଶୀ ଥିବାରୁ ପ୍ରବଳ ଭିଡ଼ ସମ୍ଭାବନା ସତ୍ତ୍ୱେ କାହିଁକି ଯଥେଷ୍ଟ ସୁରକ୍ଷା ବ୍ୟବସ୍ଥା କରାଗଲାନି ଏନେଇ ପ୍ରଶ୍ନ ଉଠିଛି । ସେପଟେ ମୃତକଙ୍କ ପରିବାର ପାଇଁ କେନ୍ଦ୍ର ସରକାର ୨ ଲକ୍ଷ ଏବଂ ଆନ୍ଧ୍ର ସରକାର ୨ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ଏନ. ଚନ୍ଦ୍ରବାବୁ ଦୁଃଖ ପ୍ରକାଶ ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି ।

ଚଳିତବର୍ଷ ଦେଶରେ ଗୋଟିଏ ପରେ ଗୋଟିଏ ଭୟଙ୍କର ଦଳାଚକଟା ଘଟଣା ଦେଖିବାକୁ ମିଳିଛି । ଜାନୁଆରି ୮ରେ ତିରୁମାଲାରେ ଦର୍ଶନ ସମୟରେ ଦଳାଚକଟା ୬ ମୃତ । ଜାନୁଆରି ୨୯ରେ ପ୍ରୟାଗରାଜ୍ ମହାକୁମ୍ଭରେ ଦଳାଚକଟାରେ ୩୦ମୃତ, ଫେବ୍ରୁଆରି ୧୫ ନୂଆଦିଲ୍ଲୀ ରେଳ ଷ୍ଟେସନ ଦଳାଚକଟାରେ ୧୮ମୃତ, ମେ’ ୩ ଗୋଆ ଶିରଗାଓ ଲେରାଇ ଦେବୀ ବାର୍ଷିକୋତ୍ସବରେ ଦଳାଚକଟାରେ ୬ମୃତ, ଜୁନ ୪ ବେଙ୍ଗାଲୁରୁ ଚିନ୍ନାସ୍ୱାମୀ ଷ୍ଟାଡିୟମ ଦଳାଚକଟାରେ ୧୧ ମୃତ, ସେପ୍ଟେମ୍ବର ୨୭ କରୁର୍‌ରେ ବିଜୟଙ୍କ ରାଲିରେ ଦଳାଚକଟାରେ ୬୧ମୃତ  ।

ଏହି ସମସ୍ତ ଦଳାଚକଟା ଘଟଣା ଭିତରୁ ଅଧିକାଂଶ ଅଘଟଣ ମନ୍ଦିରରେ ଘଟିଛି । ପ୍ରଶ୍ନ ଉଠୁଛି, ନିର୍ବାଚନୀ ସଭା ହେଉ କି ମନ୍ଦିର, କି ଷ୍ଟାଡିୟମ୍, ବାରମ୍ବାର ଏଭଳି  ଅଘଟଣ ସତ୍ତ୍ୱେ ଏହାକୁ ରୋକିବା ପାଇଁ ଠୋସ୍ ପଦକ୍ଷେପ କାହିଁକି ଗ୍ରହଣ କରାଯାଉନି ।