କନକ ବ୍ୟୁରୋ: ରବିବାର ସନ୍ଧ୍ୟାରେ ପଶ୍ଚିମବଙ୍ଗର ବର୍ଦ୍ଧମାନ ରେଳ ଷ୍ଟେସନର ପ୍ଲାଟଫର୍ମ ୪ ଏବଂ ୫ ରେ ଦଳାଚକଟା ଘଟି ସାତ ଜଣ ଯାତ୍ରୀ ଆହତ ହୋଇଛନ୍ତି । ଯେଉଁଥିରେ ତିନି ଜଣ ମହିଳା ମଧ୍ୟ ଅଛନ୍ତି । ଆହତଙ୍କ ମଧ୍ୟରୁ ଜଣେ ଝାଡ଼ଖଣ୍ଡର ବାସିନ୍ଦା, ବାକି ସମସ୍ତେ ପଶ୍ଚିମବଙ୍ଗର ବିଭିନ୍ନ ଜିଲ୍ଲାର ହୋଇଥିବା ସୂଚନା । ସମସ୍ତ ଆହତଙ୍କୁ ତୁରନ୍ତ ଚିକିତ୍ସା ପାଇଁ ବର୍ଦ୍ଧମାନ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।
ଏହି ଘଟଣା ଯୋଗୁଁ କିଛି ସମୟ ପାଇଁ ଟ୍ରେନ ସେବା ମଧ୍ୟ ବାଧାପ୍ରାପ୍ତ ହୋଇଥିଲା । ରେଳ ଅଧିକାରୀମାନେ କହିଛନ୍ତି ଯେ ଘଟଣାର ତଦନ୍ତ ଆରମ୍ଭ କରାଯାଇଛି । ପ୍ରାଥମିକ ସୂଚନା ଅନୁଯାୟୀ, ରବିବାର ସନ୍ଧ୍ୟାରେ ପ୍ଲାଟଫର୍ମ ୪, ୬ ଏବଂ ୭ ରେ ଏକକାଳୀନ ତିନୋଟି ଟ୍ରେନ ଅଟକି ରହିଥିଲା । ଯାହାକୁ ନେଇ ଏଭଳି ସ୍ଥିତି ଉପୁଜିଥିଲା । ଯାତ୍ରୀମାନେ ନିଜ ନିଜର ଟ୍ରେନଗୁଡ଼ିକୁ ଧରିବା ପାଇଁ ସିଡ଼ି ଦେଇ ତଳକୁ ଧାଉଁଥିଲେ, ସେତେବେଳେ ଏକ ଦଳାଚକଟା ଘଟି ଆହତ ହୋଇଥିଲେ ।