କନକ ବ୍ୟୁରୋ : ନେପାଳରେ ନୂଆ ଦଳ ସ୍ୱତନ୍ତ୍ର ରାଷ୍ଟ୍ରୀୟ ପାର୍ଟି ବଡ଼ ବିଜୟ ହାସଲ କରିବାକୁ ଯାଉଛି । ଏହାର ମୁଖ୍ୟ ବାଲେନ ଶାହ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହୋଇପାରନ୍ତି । ବାଲେନ ଶାହ ଆମେରିକାର ଜଣେ ପ୍ରବଳ ସମର୍ଥକ ଓ ଭାରତ ଏବଂ ଚୀନର ପ୍ରଖର ବିରୋଧୀ ରୂପେ ପରିଚିତ । ଯିଦ ବାଲେନ ଶାହ ପ୍ରଧାନମନ୍ତ୍ରୀ ହୁଅନ୍ତି, ତେବେ ଭାରତ ସହ କିପରି ରହିବ ତାଙ୍କର କୂଟନୈତିକ ସମ୍ପର୍କ ତାହା ଉପରେ ସଭିଙ୍କ ନଜର ।

Advertisment

ଜେନ୍ ଜି ଆନ୍ଦୋଳନ ପରେ ନେପାଳରେ ସରିଛି ପ୍ରଥମ ସାଧାରଣ ନିର୍ବାଚନ । ନୂଆ ଦଳ ରାଷ୍ଟ୍ରୀୟ ସ୍ୱତନ୍ତ୍ର ପାର୍ଟିର ବିଶାଳ ବିଜୟ ଏକ ପ୍ରକାର ନିଶ୍ଚିତ । ଯୁବପିଢିଙ୍କ ପ୍ରଥମ ପସନ୍ଦ ଥିବା ବାଲେନ ଶାହ ନୂଆ ସରକାରରେ ହୋଇପାରନ୍ତି ପ୍ରଧାନମନ୍ତ୍ରୀ । ନେପାଳରେ ହେବାକୁ ଥିବା କ୍ଷମତା ପରବର୍ତ୍ତନ ଉପରେ ଦକ୍ଷିଣ ଏସୀୟ ରାଷ୍ଟ୍ରଙ୍କ ରହିଛି ନଜର । ବାଲେନଙ୍କ ପୂର୍ବ ବୟାନ ଭାରତ ଓ ଚୀନ ବିରୋଧୀ ରହିଛି । ଏପରି କି ନେପାଳର ପରବର୍ତ୍ତୀ ସରକାର ଆମେରିକା ସମର୍ଥକ ବୋଲି ମଧ୍ୟ ଦାବି ହେଉଛି । ସେପଟେ କିନ୍ତୁ ନୂଆ ସରକାରଠାରୁ ଆଶାବାଦୀ ଅଛନ୍ତି ନେପାଳ ଜନତା ।

ଅଧିକ ପଢ଼ନ୍ତୁ : ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ଭିତରେ ଟ୍ରମ୍ପଙ୍କ ବଡ଼ ଘୋଷଣା, ଆଜି ରାତିରେ ଇରାନ ଉପରେ ଆମେରିକା କରିପାରେ ସବୁଠୁ ବଡ ଆକ୍ରମଣ

ପ୍ରୋ-ଆମେରିକୀୟ ନେପାଳୀ ରାଜନେତା ବାଲେନ । ଭାରତ ବିରୋଧୀ ଆଭିମୁଖ୍ୟ ପାଇଁ ସେ କୁଖ୍ୟାତ । ଅନେକ ପ୍ରସଙ୍ଗରେ ସେ ଖୋଲାଖୋଲି ଭାରତ ବିରୋଧୀ ବୟାନ ଦେଇଛନ୍ତି । ଆଙ୍ଗଲୋ-ନେପାଳ ଯୁଦ୍ଧ ପରେ ୧୮୦୬ର ସୁଗୌଲି ଚୁକ୍ତର ସେ ଘୋର ବିରୋଧୀ । ସେ ସେହି ନେପାଳୀଙ୍କ ଚିନ୍ତାଧାରାକୁ ସମର୍ଥନ କରନ୍ତି, ଯେଉଁମାନେ ଭାବନ୍ତି ଏହି ଚୁକ୍ତି ତାଙ୍କ ଦେଶର ସୀମାକୁ ସୀମିତ କରୁଛି । ବାଲେନ୍ ଅନେକ ଥର ଭାରତ ବିରୋଧୀ ମନୋଭାବ ଦେଖାଇଛନ୍ତି । କିନ୍ତୁ ନୂଆ ସରକାର ଭାରତ ସହ ସୁସମ୍ପର୍କ ରଖିବ କହିଛନ୍ତି ବୋଲି ନେପାଳ ବାସିନ୍ଦା ।

ତେବେ ଆସନ୍ତୁ ନଜର ପକାଇବା ବାଲେନ ଶାହଙ୍କ କିଛି ଭାରତ ବିରୋଧୀ ଆଭିମୁଖ୍ୟ ଉପରେ..

୨୮ ମେ' ୨୦୨୩ରେ, ଭାରତର ନୂତନ ସଂସଦ ଭବନ ଉଦଘାଟନ ହୋଇଥିଲା । ସେଠାରେ ଅଖଣ୍ଡ ଭାରତର ମ୍ୟାପକୁ ସ୍ଥାନିତ କରାଯାଇଥିଲା । ଏଥିରେ ଲୁମ୍ବିନୀ ଏବଂ କପିଳବାସ୍ତୁକୁ ଭାରତର ଅଂଶ ଭାବରେ ଦର୍ଶାଯାଇଥିଲା । ଭାରତ ସରକାର ଏହାକୁ ଅଶୋକଙ୍କ ସାମ୍ରାଜ୍ୟର ବୋଲି କହିଥିଲେ । ଏହାର ଜବାବରେ, ବାଲେନ ଶାହ ତାଙ୍କ କାର୍ଯ୍ୟାଳୟରେ "ଗ୍ରେଟର ନେପାଳ"ର ଏକ ମାନଚିତ୍ର ରଖିଥିଲେ । ଏଥିରେ ସିକିମର ତିସ୍ତା ନଦୀ, ପଶ୍ଚିମବଙ୍ଗର ଦାର୍ଜିଲିଂ ଏବଂ ସିଲିଗୁଡ଼ି, ହିମାଚଳ ପ୍ରଦେଶର ସିମଲା, ଉତ୍ତରାଖଣ୍ଡର କୁମାଓଁ, ଗଢ଼ୱାଲ ଏବଂ ନୈନିତାଲ ଥିଲା । ଜୁନ୍ ୨୦୨୩ରେ ରିଲିଜ୍ ହୋଇଥିବା "ଆଦିପୁରୁଷ"ରେ ମାଆ ସୀତାଙ୍କୁ "ଭାରତର ଝିଅ" ଭାବରେ ବର୍ଣ୍ଣନା କରାଯାଇଥିଲା । ବାଲେନ ଏହାକୁ ବିରୋଧ କରି କାଠମାଣ୍ଡୁରେ ସମସ୍ତ ବଲିଉଡ୍ ଫିଲ୍ମକୁ ବ୍ୟାନ କରିଥିଲେ ।

ଏଠି ପ୍ରଶ୍ନ ଉଠୁଛି ବାଲେନ୍ ପ୍ରଧାନମନ୍ତ୍ରୀ ହେବା ପରେ ଭାରତ ସହିତ ସମ୍ପର୍କ ଉନ୍ନତ ହେବ କି ?

ନେପାଳ ଦୁଇଟି ଦେଶର ମଧ୍ୟରେ ଅବସ୍ଥିତ । ଉତ୍ତରରେ ଚୀନ୍ ଏବଂ ଦକ୍ଷିଣରେ ଭାରତ । ଏହି କାରଣରୁ, ନେପାଳର ବୈଦେଶିକ ନୀତି ପ୍ରାୟତଃ ନୂଆଦିଲ୍ଲୀ କିମ୍ବା ବେଜିଂ ଆଡକୁ ଢଳିଛି । ବାଲେନ ଶାହ ତାଙ୍କ ନିର୍ବାଚନ ଇସ୍ତାହାରରେ ପ୍ରତିଶ୍ରୁତି ଦେଇଛନ୍ତି ଯେ ଭାରତ ଏବଂ ଚୀନ୍ ଉଭୟ ସହିତ ତ୍ରିପାକ୍ଷିକ ଆର୍ଥିକ ସହଭାଗୀତା ରଖିବେ । ନେପାଳକୁ ଏକ "ବଫର ରାଜ୍ୟ"ରୁ ଏକ "ଜୀବନ୍ତ ସେତୁ"ରେ ପରିଣତ କରିବେ ।