କନକ ବ୍ୟୁରୋ : ତୃତୀୟ ଦିନରେ ଇରାନ-ଆମେରିକା ଘମାଘୋଟ ଯୁଦ୍ଧ । ଉଭୟ ପକ୍ଷରୁ ଭୟଙ୍କର ଆକ୍ରମଣ ଜାରି ଥିବା ବେଳେ, ଇରାନରେ ମୃତ୍ୟୁ ସଂଖ୍ୟା ୫୫୫ ଛୁଇଁଲାଣି । ଇରାନର ନୌସେନା ଘାଟିରେ ୩ଟି ଜାହାଜ ଧ୍ୱଂସ ହୋଇ ବୁଡ଼ିଯାଇଥିବା ବେଳେ, ସାଉଦି ଆରବର ତୈଳ ଭଣ୍ଡାରକୁ ଟାର୍ଗେଟ୍ କରିଛି ଇରାନ । ଇସ୍ରାଏଲର ପ୍ରଧାନମନ୍ତ୍ରୀ ନେତନ୍ୟାହୁଙ୍କ କାର୍ଯ୍ୟାଳୟ ଉପରେ ଆକ୍ରମଣ କରିଥିବା ମଧ୍ୟ ଇରାନ ଦାବି କରିଛି । ଏସବୁ ଭିତରେ ମଧ୍ୟପ୍ରାଚ୍ୟ ଯୁଦ୍ଧରେ ଜଣେ ଭାରତୀୟଙ୍କ ମୃତ୍ୟୁ ଘଟିଥିବା ବି ସୂଚନା ମିଳିଛି ।
ବିମାନ ଖସିଲା, ଜାହାଜ ବୁଡ଼ିଲା, ହୁତୁହୁତୁ ଜଳିଲା ତୈଳ ଭଣ୍ଡାର । ୧୨ ଦେଶରେ ଯୁଦ୍ଧ ବିଭୀଷିକା । ତେବେ ସବୁଠୁ ସାଂଘାତିକ ବିପତ୍ତି ଆଣିପାରେ- ପରମାଣୁ କେନ୍ଦ୍ର ଉପରେ ଆକ୍ରମଣ ! ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ବେଳେ ଇରାନର ନତାଞ୍ଜ ପରମାଣୁ କେନ୍ଦ୍ର ଉପରେ ଆକ୍ରମଣ ଅଭିଯୋଗ ହୋଇଛି । ୩୫ ଦେଶକୁ ନେଇ ଗଠିତ ଅନ୍ତର୍ଜାତୀୟ ଆଣବିକ ଶକ୍ତି ସଂସ୍ଥା IAEAର ବୋର୍ଡ ଅଫ୍ ଗଭର୍ଣ୍ଣର୍ସ ବୈଠକରେ ଏହି ଅଭିଯୋଗ କରିଛନ୍ତି ଇରାନୀ ପ୍ରତିନିଧି । ଆଣବିକ କେନ୍ଦ୍ର କ୍ଷତିଗ୍ରସ୍ତ ହୋଇଥିଲେ ବ୍ୟାପକ ଅଞ୍ଚଳକୁ କ୍ଷତିକାରୀ ବିକିରଣ ପ୍ରଭାବିତ କରିପାରେ । ଇରାନର କୋର୍ନାକ୍ ନୌସେନା ଘାଟି ଉପରେ ବି ହୋଇଛି ଆକ୍ରମଣ । ଏଥିରେ ୩ଟି ଯୁଦ୍ଧ ଜାହାଜ ବୁଡ଼ିଥିବା ସୂଚନା ମିଳିଛି । ଏହି ୩ ଦିନର ଯୁଦ୍ଧରେ ଇରାନରେ ୫ଶହରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ, ବହୁ ଗୁଇନ୍ଦା ଅଧିକାରୀଙ୍କର ବି ଜୀବନ ଯାଇଛି ।
ଅଧିକ ପଢ଼ନ୍ତୁ : ପାକ୍ ଏୟାରବେସ୍ ଉପରେ ଶନିଦଶା ! ତାଲିବାନ କଲା ଆକ୍ରମଣ,ଫୁଟାଣି ମାରି ପାକ୍ କହୁଛି ‘ଆମର କିଛି ହୋଇନି’
ରକ୍ତମୁଖା ଇରାନ ବି ନଛୋଡ଼ବନ୍ଦା । ତେହରାନର ଡ୍ରୋନ୍ ମାଡ଼ ପରେ ଜଳୁଛି ସାଉଦି ଆରବର ରାସ୍ ଟାନୁରା ତୈଳ ବିଶୋଧନାଗାର । ଏହାକୁ ସାମୟିକ ବନ୍ଦ ରଖିବାକୁ ବାଧ୍ୟ ହୋଇଛି ଆରାମ୍କୋ । ଏଥିସହ ଇରାନ ଏୟାରଷ୍ଟ୍ରାଇକରେ ଦୁବାଇ, ଆବୁଧାବି, ଦୋହାରେ ବି ଭୟଙ୍କର ବିସ୍ଫୋରଣ ଜାରି ରହିଛି । ସେପଟେ କୁଏତରେ ଥିବା ଆମେରିକୀୟ ଦୂତାବାସ ଉପରେ ବି ଇରାନ ଆକ୍ରମଣ କରିଥିବା ବେଳେ, ଆମେରିକାର ଏଫ୍-15 ଯୁଦ୍ଧ ବିମାନ ଜଳୁଥିବା ଅବସ୍ଥାରେ ତଳକୁ ଖସୁଥିବା ଭିଡିଓ ଭାଇରାଲ୍ ହେଉଛି ।
ତେବେ ଇରାନ ଆକ୍ରମଣରେ ନୁହେଁ, କୁଏତ ଭୁଲବଶତଃ ୩ଟି ଏଫ୍-15 ଷ୍ଟ୍ରାଇକ୍ ଇଗଲ୍ ବିମାନ ଖସାଇ ଦେଇଛି ବୋଲି ବିବୃତି ଜାରି କରିଛି ଆମେରିକା । ଏସବୁ ଭିତରେ ଇରାନ୍ ଦେଇଛି ବଡ଼ ବୟାନ । ଖାମେନେଇଙ୍କ ମୃତ୍ୟୁର ପ୍ରତିଶୋଧ ନେବାକୁ ସିଧାସଳଖ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁଙ୍କ କାର୍ଯ୍ୟାଳୟ ଏବଂ ଇସ୍ରାଏଲ ବାୟୁସେନା କମାଣ୍ଡରଙ୍କ ଠିକଣା ଉପରେ ମିସାଇଲ୍ ମାଡ଼ କରିଥିବା ଦାବି କରିଛି ଇସ୍ଲାମିକ ରିଭଲ୍ୟୁସନାରି ଗାର୍ଡ କୋର୍ । ଅନ୍ୟପକ୍ଷରେ ଏହାକୁ ଖଣ୍ଡନ କରିଛି ଇସ୍ରାଏଲ୍ ।
ଇରାନ୍-ଆମେରିକା ଯୁଦ୍ଧରେ ଜଣେ ଭାରତୀୟଙ୍କର ବି ଜୀବନ ଯାଇଛି । ଗତକାଲି ଓମାନ ତଟରେ ତୈଳ ଜାହାଜ ଉପରେ ଡ୍ରୋନ୍ ଆକ୍ରମଣ ହୋଇଥିଲା । ଏଥିରେ ୨୦ ଜଣ କ୍ରୁ ସଦସ୍ୟଙ୍କ ମଧ୍ୟରୁ ୧୫ ଜଣ ଭାରତୀୟ ଥିଲେ । ସେମାନଙ୍କ ମଧ୍ୟରୁ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2026/03/02/iran-us-conflict-2026-03-02-20-44-05.jpg)