କନକ ବ୍ୟୁରୋ : ସେପଟେ ଇରାନ , ଇସ୍ରାଏଲ୍ ଏବଂ ଆମେରିକା ଭିତରେ ଯୁଦ୍ଧର ସ୍ଥିତି ଚାଲିଥିବା ବେଳେ ଏପଟେ ଆଫଗାନିସ୍ତାନ ଏବଂ ପାକିସ୍ତାନ ଭିତରେ ସଂଘର୍ଷ ଜାରି ରହିଛି । ପାକିସ୍ତାନ ଦାବି କରିଛି ଯେ ତାଲିବାନର ୪୧୫ଜଣ ଲଢ଼ୁଆଙ୍କୁ ମାରି ଗଡ଼ାଇ ଦିଆଯାଇଛି । ଅନ୍ୟପକ୍ଷରେ ଅସୀମ ମୁନିରଙ୍କ ପାକିସ୍ତାନୀ ବାୟୁସେନାକୁ ଏକ ବଡ଼ ଝଟକା ଲାଗିଛି । ଆଫଗାନିସ୍ତାନ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ ତାଙ୍କ ବାୟୁସେନା ଅନେକ ପ୍ରମୁଖ ପାକିସ୍ତାନୀ ସାମରିକ ପ୍ରତିଷ୍ଠାନ ଉପରେ ବିମାନ ଆକ୍ରମଣ କରିଛି । 

Advertisment

ଆଗକୁ ପଢ଼ନ୍ତୁ : ଦୁବାଇ ଉପରେ କାହିଁକି ରାଗୁଛି ଇରାନ ? ଘନ ଘନ କରୁଛି ମିସାଇଲ୍ ମାଡ଼ , ବୁର୍ଜ ଖଲିଫା ବି ନୁହେଁ ସୁରକ୍ଷିତ

ଏହି ବିବୃତ୍ତିରେ କୁହାଯାଇଛି ଯେ ରାୱଲପିଣ୍ଡିର ନୁର ଖାନ୍ ଏୟାରବେସ୍, କ୍ୱେଟାର ୧୨ କର୍ପସ ମୁଖ୍ୟାଳୟ, ଖୈବର ପଖତୁନଖ୍ୱାର ମହମ୍ମଦ ଏଜେନ୍ସି ଅଞ୍ଚଳ ଏବଂ ଅନ୍ୟାନ୍ୟ ଅନେକ ସାମରିକ ପ୍ରତିଷ୍ଠାନକୁ ଟାର୍ଗେଟ କରାଯାଇଥିଲା । ଏହି ଆକ୍ରମଣକୁ ଅଭିଜ୍ଞତାର ସହିତ କରାଯାଇଥିଲା ଯେଉଁଥିରେ ଟାର୍ଗେଟଗୁଡ଼ିକୁ ପ୍ରବଳ କ୍ଷତି ପହଞ୍ଚିଥିଲା । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ  ପାକିସ୍ତାନ ଏନେଇ ଆନୁଷ୍ଠାନିକ ଭାବରେ କିଛି କହିନାହିଁ । ପାକିସ୍ତାନର ନୁର ଖାନ୍ ଏୟାରବେସ୍ ହେଉଛି ସେହି ସ୍ଥାନ ଯେଉଁଠାରେ ଭାରତ ଅପରେସନ ସିନ୍ଦୁର ସମୟରେ ବ୍ରହ୍ମୋସ୍ କ୍ଷେପଣାସ୍ତ୍ର ସହିତ ଏକ ବଡ଼ ଆକ୍ରମଣ କରିଥିଲା । ତେବେ ଆଫଗାନ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ ପାକିସ୍ତାନ ଦ୍ୱାରା ଆକାଶ ପଥର ସୀମା ଉଲ୍ଲଂଘନ ଜବାବରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ବିବୃତ୍ତିରେ କୁହାଯାଇଛି ଯେ ଗତକାଲି ରାତି ଏବଂ ଆଜି ସକାଳେ ପାକିସ୍ତାନୀ ବିମାନ କାବୁଲ, ବାଗ୍ରାମ ଏବଂ ଅନ୍ୟାନ୍ୟ ଅଞ୍ଚଳ ଉପରେ ଉଡ଼ିଥିଲା, ଯାହାକୁ ଆଫଗାନିସ୍ତାନ ନିଜର ଆକାଶ ପଥ ସୀମା ଉଲ୍ଲଂଘନ ବୋଲି କହିଛି । ଆଫଗାନିସ୍ତାନ ଚେତାବନୀ ଦେଇଛି ଯେ ଯଦି ପାକିସ୍ତାନୀ ସେନା ତାଙ୍କର ଆକାଶ ପଥର ସୀମାକୁ ଉଲ୍ଲଂଘନ ଜାରି ରଖେ ତେବେ ଏହାର କଡ଼ା ଜବାବ ଦିଆଯିବ । 

ତେବେ ପାକିସ୍ତାନ ଦାବି କରିଛି ଯେ ତାଲିବାନ ମଧ୍ୟ ଯଥେଷ୍ଟ କ୍ଷତି ସହିଛି । ପାକିସ୍ତାନ ରିପୋର୍ଟ କରି କହିଛି ଯେ ସାମରିକ କାର୍ଯ୍ୟାନୁଷ୍ଠାନରେ ବର୍ତ୍ତମାନ ପର୍ଯ୍ୟନ୍ତ ୪୧୫ ଜଣ ଆଫଗାନ ତାଲିବାନ ଲଢ଼ୁଆ ନିହତ ହୋଇଛନ୍ତି ଏବଂ ୫୮୦ ରୁ ଅଧିକ ଆହତ ହୋଇଛନ୍ତି । ଏହି ସଂଖ୍ୟା ପାକିସ୍ତାନର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଦେଇଛନ୍ତି । ସୋସିଆଲ ମିଡିଆ ପୋଷ୍ଟରେ ତାରାର ଦାବି କରିଛନ୍ତି ଯେ ପାକିସ୍ତାନୀ ସେନା ଅତି କମରେ ୧୮୨ ଆଫଗାନ ପୋଷ୍ଟକୁ ନଷ୍ଟ କରିଛନ୍ତି ଏବଂ ଅନ୍ୟ ୩୧ ଜଣଙ୍କୁ ବନ୍ଦୀ କରିଛନ୍ତି । ସେ ଏହା ମଧ୍ୟ ଦାବି କରିଛନ୍ତି ଯେ ଅପରେସନ ସମୟରେ ୧୮୫ ଟ୍ୟାଙ୍କ, ସଶସ୍ତ୍ର ଯାନ ଏବଂ ତୋପ ନଷ୍ଟ କରାଯାଇଛି ଏବଂ ଆଫଗାନିସ୍ତାନର ୪୬ ଟି ସ୍ଥାନକୁ ପ୍ରଭାବଶାଳୀ ଭାବରେ ବିମାନ ଆକ୍ରମଣ ଦ୍ୱାରା ଟାର୍ଗେଟ କରାଯାଇଛି ।