Global Impact Photograph: (Kanak News)
କନକ ବ୍ୟୁରୋ : ମଧ୍ୟପ୍ରାଚ୍ୟରେ ପୁଣି ଆରମ୍ଭ ହୋଇଯାଇଛି ଆଉ ଏକ ଭୀଷଣ ଯୁଦ୍ଧ । ଇରାନ, ଇସ୍ରାଏଲ ଓ ଆମେରିକା ଯୁଦ୍ଧ ଭୟଙ୍କର ରୂପ ନେଉଛି । ହେଲେ ଏହି ଯୁଦ୍ଧର ପ୍ରଭାବ କ’ଣ ରହିବ ? ମଧ୍ୟପ୍ରାଚ୍ୟର ଆଉ ଏକ ଯୁଦ୍ଧ ଯୋଗୁଁ କେତେ ପ୍ରଭାବିତ ହେବ ପୁରା ବିଶ୍ୱ ?
ୟୁକ୍ରେନ୍-ଋଷ୍ ଯୁଦ୍ଧ, ଇସ୍ରାଏଲ-ହମାସ ଯୁଦ୍ଧ ଚାଲିଥିବା ବେଳେ ଏବେ ପୁଣି ଏକ ନୂଆ ଯୁଦ୍ଧ ଆରମ୍ଭ ସାରାବିଶ୍ବକୁ ଚିନ୍ତାରେ ପକାଇଛି । ଏହାର ପ୍ରଭାବ କେତେ ଭୟଙ୍କର ହେବ ସେ ନେଇ ଆରମ୍ଭ ହେଲାଣି ଭିନ୍ନ ଭିନ୍ନ ଆକଳନ । ବିଶେଷକରି ଅର୍ଥନୈତିକ ଓ କୂଟନୈତିକ ପ୍ରଭାବ ପଡ଼ିବ ।
ହରମୋଜ୍ ପ୍ରଣାଳୀ ଦେଇ ବିଶ୍ୱର ବହୁ ପରିମାଣର ପେଟ୍ରୋଲିୟମ ପରିବହନ ହୋଇଥାଏ । ଏବେ ଇରାନ-ଇସ୍ରାଏଲ ଯୁଦ୍ଧ ଯୋଗୁଁ ଇରାନ ଏହି ପ୍ରଣାଳୀ ଉପରେ ନିଜର ଆଧିପତ୍ୟ ବଢ଼ାଇ ପରିବହନକୁ ବନ୍ଦ କରିଦେଇପାରେ । ଫଳରେ ଏହାର ପ୍ରଭାବ ବିଶ୍ୱ ତୈଳ ବଜାର ଉପରେ ପଡ଼ିବା ସହ ତୈଳ ଦର ବଢ଼ିବାର ଆଶଙ୍କା ରହିଛି । ଏହାସହ ମଧ୍ୟପ୍ରାଚ୍ୟ ହେଉଛି ପ୍ରମୁଖ ତୈଳ ଉତ୍ପାଦକାରୀ ସ୍ଥଳ । ହେଲେ ଏହି ଯୁଦ୍ଧ ଯୋଗୁଁ ଇରାନ, କତାର, କୁଏତ୍, ବାହାରିନ, ୟୁଏଇ ପରି ଦେଶ ପ୍ରଭାବିତ ହୋଇଛନ୍ତି ।
ଅଧିକ ପଢ଼ନ୍ତୁ : ଭୟଙ୍କର ବିସ୍ଫୋରଣରେ ଥରିଲା ଇରାନ; ରାଜଧାନୀ ତେହରାନ ଉପରେ ଏୟାରଷ୍ଟ୍ରାଇକ୍
ମଧ୍ୟପ୍ରାଚ୍ୟ ଦେଶ ଗୁଡ଼ିକରେ ଲକ୍ଷ ଲକ୍ଷ ଭାରତୀୟ କାର୍ଯ୍ୟରତ ଅଛନ୍ତି । ହେଲେ ଏହି ଯୁଦ୍ଧ ସେମାନଙ୍କୁ ପ୍ରଭାବିତ କରିବ । ଯୁଦ୍ଧର ଘନଘଟା ଭିତରେ ଏହି ଭାରତୀୟମାନେ ଦେଶକୁ ଫେରିବାକୁ ବାଧ୍ୟ ହେବେ । ସେମାନଙ୍କୁ ସୁରକ୍ଷିତ ଭାବେ ଫେରାଇ ଆଣିବା ଏବେ ମୋଦୀ ସରକାର ପାଇଁ ଏକ ବଡ଼ ଆହ୍ୱାନ ହେବ । ଏହାସହ ଏହି ଭାରତୀୟମାନେ ପ୍ରତିମାସରେ ଭାରତକୁ ପଠାଉଥିବା ଅର୍ଥ ମଧ୍ୟ କମିଯିବ । ଦେଶର ମୁଦ୍ରା ଭଣ୍ଡାର ପ୍ରଭାବିତ ହେବ ।
ଏହି ଯୁଦ୍ଧର ଗୋଟିଏ ପଟେ ଇରାନ । ଅନ୍ୟପଟେ ଇସ୍ରାଏଲ ଓ ଆମେରିକା ରହିଛନ୍ତି । ଭାରତ କେଉଁ ପ୍ରକାର କୂଟନୈତିକ ରାସ୍ତା ଆପଣାଇବ, ତାହା ଉପରେ ସମସ୍ତଙ୍କ ନଜର । ଇସ୍ରାଏଲ ଭାରତର ଘନିଷ୍ଠ ମିତ୍ର ଦେଶ । ଅନ୍ୟପଟେ ଇରାନ ସହ ମଧ୍ୟ ନୂଆଦିଲ୍ଲୀ ଭଲ ସମ୍ପର୍କ ରଖିଆସିଛି । ଇରାନର ଚବାହାର ବନ୍ଦରରେ ମଧ୍ୟ ଅର୍ଥ ଖଟାଇଛି । ଏପରି ସ୍ଥଳେ ମୋଦୀ ସରକାର କିପରି କୂଟନୈତିକ ଆଭିମୁଖ୍ୟ ଗ୍ରହଣ କରୁଛନ୍ତି, ତାହା ଏବେ ଏକ ବଡ଼ ପ୍ରଶ୍ନ ।
Follow Us