କନକ ବ୍ୟୁରୋ : ସମୁଦ୍ର ଭିତରେ ଆହୁରି ଘନୀଭୂତ ହୋଇ ଆଗକୁ ବଢ଼ୁଛି ବାତ୍ୟା ମୋନ୍ଥା । ଆସନ୍ତାକାଲି ସକାଳ ସୁଦ୍ଧା ନେବ ଭୀଷଣ ବାତ୍ୟାର ରୂପ । ତାପରେ ଆନ୍ଧ୍ରପ୍ରଦେଶର କାକିନଡ୍ଡା ଆଡକୁ ମୁହାଁଇବ । ଆସନ୍ତାକାଲି ସନ୍ଧ୍ୟାରୁ ଆରମ୍ଭ ହେବ ଲ୍ୟାଣ୍ଡଫଲ ପ୍ରକ୍ରିୟା । ପ୍ରାୟ ତିନିରୁ ଚାରି ଘଣ୍ଟା ରହିବ ଲ୍ୟାଣ୍ଡଫଲ ପ୍ରକ୍ରିୟା ।

Advertisment

ଆସନ୍ତାକାଲି ରାତିରୁ ସକାଳ ପର୍ଯ୍ୟନ୍ତ ଭୀଷଣ ବାତ୍ୟା ମୋନ୍ଥାର ବଡ ପ୍ରଭାବ ଆନ୍ଧ୍ର ଓ ଦକ୍ଷିଣ ଓଡ଼ିଶା ଉପରେ ରହିବ । ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୯୦ରୁ ୧୦୦ କିଲୋମିଟର ରହିବ । ସର୍ବାଧିକ ପବନର ବେଗ ୧୧୦ କିଲୋମିଟର ରହିବ । ଏହା ପରେ ଉତ୍ତର-ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ । ବର୍ତ୍ତମାନ କାକିନଡ୍ଡା ଉପକୂଳରୁ ୪୫୦ରୁ ଅଧିକ କିଲୋମିଟର ଦୂରରେ ସକ୍ରିୟ ରହିଛି ବାତ୍ୟା । ବିଶାଖପାଟନମ ଉପକୂଳରୁ ଦକ୍ଷିଣ-ଦକ୍ଷିଣ-ପୂର୍ବ ଦିଗରେ ୫୦୦ କିଲୋମିଟର ଦୂର ଏବଂ ଗୋପାଳପୁର ଉପକୂଳରୁ ଦକ୍ଷିଣ-ଦକ୍ଷିଣ-ପୂର୍ବ ଦିଗରେ ୭୦୦ କିଲୋମିଟର ଦୂରରେ ରହିଛି ବାତ୍ୟା ।

ପାଣିପାଗ ବିଭାଗର ଆକଳନ ଅନୁସାରେ ଆସୁଥିବା ବାତ୍ୟା ଆନ୍ଧ୍ରରୁ ଛତିଶଗଡ଼ ଭାୟା ଓଡ଼ିଶା ଦେଇ ଗତି କରିବ । ଆନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କରିବା ପରେ ଓଡ଼ିଶାର ମାଲକାନଗିରି ଦେଇ ଛତିଶଗଡ଼ ମୁହାଁ ହେବ । ଓଡ଼ିଶା ପ୍ରବେଶ କଲା ବେଳକୁ ପବନର ବେଗ ଘଣ୍ଟା ପ୍ରତି ସର୍ବାଧିକ ୮୦ କିଲୋମିଟର ଥିବ । ତାପରେ ମଧ୍ୟପ୍ରଦେଶ ଉପକୂଳରେ ଯାଇ ଦୁର୍ବଳ ହେବ ।

ବାତ୍ୟା ମୋନ୍ଥା ସିଧାସଳଖ ଓଡ଼ିଶାରେ ମାଡ଼ ନହେଲେ ବି ବଡ଼ ପ୍ରଭାବ ପକାଇବ । ଦକ୍ଷିଣ ଓଡ଼ିଶା ସମେତ ରାଜ୍ୟର ଅଧିକାଂଶ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ଦକ୍ଷିଣ ଓଡ଼ିଶାର କେତେକ ଜିଲ୍ଲାରେ ୮୦ କିଲୋମିଟର ବେଗର ପବନ ବହିବ । ୨୭ ତାରିଖରେ ବର୍ଷା ପାଇଁ ଗଞ୍ଜାମ, ଗଜପତି, କନ୍ଧମାଳ, ରାୟଗଡ଼ା, କଳାହାଣ୍ଡି, କୋରାପୁଟ, ମାଲକାନଗିରି ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ୨୮ ତାରିଖରେ ବର୍ଷା ପାଇଁ ଗଞ୍ଜାମ, ଗଜପତି, ରାୟଗଡା, କୋରାପୁଟ ଓ ମାଲକାନଗିରି ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରାଯାଇଛି । ପୁରୀ, ଖୋର୍ଦ୍ଧା, ନୟାଗଡ, କନ୍ଧମାଳ, ବୌଦ୍ଧ, ସୋନପୁର, ବରଗଡ଼, ବଲାଙ୍ଗୀର, କଳାହାଣ୍ଡି, ନୂଆପଡ଼ା, ନବରଙ୍ଗପୁର ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି ହୋଇଛି ।

୨୯ ତାରିଖ ପାଇଁ କଳାହାଣ୍ଡି, ରାୟଗଡା, କୋରାପୁଟ, ନବରଙ୍ଗପୁର, ମାଲକାନଗିରିକୁ ରେଡ ଆଲର୍ଟ ଜାରି କରିଛି ଆଇଏମଡି । ଏଥିସହ ଗଜପତି, ଗଞ୍ଜାମ, କନ୍ଧମାଳ, ବୌଦ୍ଧ, ସମ୍ବଲପୁର, ସୋନପୁର, ବରଗଡ଼, ବଲାଙ୍ଗୀର ଓ ନୂଆପଡ଼ାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ସେହିପରି ୨୮ରେ ଗଜପତି, ରାୟଗଡ଼ା, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ, ମାଲକାନଗିରି ଜିଲ୍ଲାରେ ୮୦ କିଲୋମିଟର ବେଗରେ ପବନ ବହିବ । ୨୯ରେ ଗଞ୍ଜାମ, ନୟାଗଡ଼, କନ୍ଧମାଳ, କଳାହାଣ୍ଡି, ବଲାଙ୍ଗୀର, ନୂଆପଡ଼ା, ନବରଙ୍ଗପୁରରେ ପବନ ବେଗ ଅଧିକ ରହିବ ।