କନକ ବ୍ୟୁରା: ବାତ୍ୟା ‘ମୋନ୍ଥା’ ପାଇଁ ୮ ଜିଲ୍ଲା ହେବ ପ୍ରଭାବିତ । ଗଞ୍ଜାମ, ଗଜପତି, ରାୟଗଡା, କୋରାପୁଟ, ମାଲକାନଗିରି, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର ଜିଲ୍ଲା ପ୍ରଭାବିତ ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିବା ପରେ ସରକାର ସତର୍କ ହୋଇଛନ୍ତି । ପ୍ରଭାବିତ ହେବାକୁଥିବା ୮ ଜିଲ୍ଲାରେ ୩୦ ତାରିଖ ଯାଏଁ ସମସ୍ତ ସ୍କୁଲ, ଅଙ୍ଗନବାଡି ବନ୍ଦ ପାଇଁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର ।

Advertisment

ଅଧିକ ପଢ଼ନ୍ତୁ--- ଭୂସ୍ଖଳନ ଆଶଙ୍କାରେ ୪୩ଟି ଟ୍ରେନ୍‌ ବାତିଲ

ବଡ଼ କଥା ହେଉଛି ଅଙ୍ଗନବାଡି ବନ୍ଦ ରହିବ କିନ୍ତୁ ଶୁଖିଲା ଖାଦ୍ୟ ଶିଶୁଙ୍କ ଘରକୁ ପଠାଯିବ । ଏହି ୮ ଜିଲ୍ଲାର ସବୁ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ ମଧ୍ୟ କରାଯାଇଛି । ବାତ୍ୟା ପ୍ରଭାବରେ ୬୦ରୁ ୧୦୦ କିମି ପର୍ଯ୍ୟନ୍ତ ପବନ ହୋଇପାରେ । ତେଣୁ ବିଭିନ୍ନ ବିଭାଗ ସହ ପ୍ରସ୍ତୁତି ନେଇ ବୈଠକ କରିଛନ୍ତି ସରକାର । ପଞ୍ଚାୟତରୁ ରାଜ୍ୟ ସ୍ତରରେ ପ୍ରସ୍ତୁତି ସରିଛି, ଯେ କୌଣସି ପରିସ୍ଥିତି ଆସିଲେ ମୁକାବିଲା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି ।

ସେପଟେ ବାତ୍ୟାର ଗତି ବଢ଼ି ବଢ଼ି ଯାଉଥିବାବେଳେ ଅବପାତର ଗତି ଘଣ୍ଟା ପ୍ରତି ୧୮ କିମି ବେଗରେ ରହିଛି । ଗତି ଯେତେ ବଢିବ କ୍ଷତି କମିବ, ମାଲକାନଗିରି ଦେଇ ଅତିକ୍ରମ କରି ଛତିଶଗଡ ଯିବ ବାତ୍ୟା ମୋନ୍ଥା । ଛତିଶଗଡରେ ବର୍ଷା ଵି ହେବ ଫଳରେ ମହାନଦୀରେ ପାଣି ଆସିବ । ଜଳ ଭଣ୍ଡାରରୁ ଜଳ ଛଡା ଯାଉଛି । ସମୁଦ୍ର ଭିତରେ ଥିଲେ ଫେରି ଆସିବା ପାଇଁ ମତ୍ସ୍ୟଜୀବୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଆବଶ୍ୟକ ହେଲେ ହେଲିକେପ୍ଟର ବ୍ୟବହାର ହେବ । ବାତ୍ୟାକୁ ନେଇ ଭୟଭୀତ ନହେବାକୁ ପରାମର୍ଶ ଦେଇଛନ୍ତି ରାଜ୍ୟ ସରକାର । 

ପାଣିପାଗ ବିଭାଗ ସୂଚନା ଅନୁସାରେ, ଏହା ଆସନ୍ତାକାଲି ସନ୍ଧ୍ୟା  ନଚେତ୍ ରାତିରେ ମଛଲିପଟ୍ଟମ୍ ଏବଂ କଳିଙ୍ଗପଟ୍ଟନମ୍ ମଧ୍ୟରେ କାକିନାଡା ନିକଟବର୍ତ୍ତୀ ଆନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କରିବ । ଏକ ପ୍ରବଳ ଘୂର୍ଣ୍ଣିଝଡ଼ ରୂପେ ପବନ ବେଗ ଘଣ୍ଟା ପ୍ରତି ୯୦-୧୦୦ କିଲୋମିଟର ରହିବ । ମଝିରେ ମଝିରେ ଝଟକା ପବନ ଘଣ୍ଟା ପ୍ରତି ୧୧୦ କିଲୋମିଟର ବହିବ ବୋଲି ଆକଳନ କରାଯାଇଛି । ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ଏହାର ବଡ଼ ପ୍ରଭାବ ପଡ଼ିବ ।