କନକ ବ୍ୟୁରୋ: ଏଣିକି ବୋହୂର ବିନା ଇଚ୍ଛାରେ ଘରୁ ବାହାର କରିପାରିବେନି ଶାଶୂ-ଶ୍ବଶୁର । ଏନେଇ ଦିଲ୍ଲୀ ହାଇକୋର୍ଟ ଦେଇଛନ୍ତି ବଡ଼ ରାୟ । ଜଣେ ବୋହୂଙ୍କ ଆବେଦନର ଶୁଣାଣି କରି ତାଙ୍କ ଶ୍ୱଶୁର ଘର ଲୋକଙ୍କ ଦ୍ୱାରା ଦାଖଲ କରିଥିବା ଆବେଦନକୁ ଖାରଜ କରିଦେଇଛନ୍ତି ଜଷ୍ଟିସ୍ ସଞ୍ଜୀବ ନରୁଲାଙ୍କ ଦ୍ବାରା ଗଠିତ ଖଣ୍ଡପୀଠ । ଆଉ ଏହି ଶୁଣାଣିରେ ଆସିଥିବା ରାୟ ସାରା ଦେଶର ବୋହୂମାନଙ୍କ ପାଇଁ ଲାଭଦାୟକ ହୋଇପାରେ ବୋଲି ଚର୍ଚ୍ଚା ହେଉଛି ।

Advertisment

ମୋଦୀଙ୍କ ମନ ଜିଣିଲା ଓଡ଼ିଶା ଉପହାର; ଉପହାର ପାଇ ଚିଠିଲେଖି ଧନ୍ୟବାଦ ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ ...

ହାଇକୋର୍ଟର ବିଚାରପତି କହିଛନ୍ତି ଯେ ବିବାହ ପରେ ଜଣେ ବୋହୂ ପରିବାରର ସଦସ୍ୟ ହୋଇଯାଏ । ଯଦି ଶାଶୂ-ଶ୍ବଶୁର ତାଙ୍କ ପୁଅକୁ ଘରୁ ବାହାର କରିଦିଅନ୍ତି ତଥାପି ଆଇନଗତ ପ୍ରକ୍ରିୟା ପୂରଣ ନକରି ବୋହୂଙ୍କୁ ଶ୍ୱଶୁର ଘରୁ ବିଦା କରିପାରିବେ ନାହିଁ । ବଡ଼ କଥା ହେଉଛି ଯଦି ବୋହୂ ନିଜେ ସ୍ବାମୀଙ୍କ ସହ ଯିବାକୁ ନ ଚାହାନ୍ତି ତେବେ ତାଙ୍କ ଶ୍ୱଶୁର ଘର ଲୋକେ ତାଙ୍କୁ ସ୍ୱାମୀଙ୍କ ସହିତ ଯିବାକୁ ବାଧ୍ୟ କରିପାରିବେ ନାହିଁ ବୋଲି ରୋକଠୋକ ଶୁଣାଇଦେଇଛନ୍ତି ।

ସୂଚନା ମୁତାବକ, ଏହି ବିବାଦ ୨୦୧୦ରୁ ଚାଲିଥିଲା ଏବଂ ଶେଷରେ ୧୫ ବର୍ଷ ପରେ ହାଇକୋର୍ଟ ଏହି ମାମଲାରେ ବୋହୂଙ୍କୁ ନ୍ୟାୟ ପ୍ରଦାନ କରିଛନ୍ତି । ଶ୍ୱଶୁର ଘର ପକ୍ଷରୁ ଓକିଲ କାଜଲ ଚନ୍ଦ୍ର ଏବଂ ବୋହୂଙ୍କ ପାଇଁ ଓକିଲ ସମ୍ବେଦନା ବର୍ମା କେସ୍ ଲଢ଼ିଥିଲେ । ବିବାହର ଗୋଟିଏ ବର୍ଷ ପରେ ଅର୍ଥାତ୍ ୨୦୧୧ରେ ଦମ୍ପତିଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା ଏବଂ ବିବାଦ କୋର୍ଟରେ ପହଞ୍ଚିଲା କିନ୍ତୁ ପତ୍ନୀ ଶ୍ବଶୁର ଘରୁ ବାହାରିବାକୁ ମନା କରିଦେଇଥିଲେ ।

ସେପଟେ ଶ୍ୱଶୁର ଦଲଜିତ ସିଂହଙ୍କ ମୃତ୍ୟୁ ହେବା ପରେ ଶାଶୂ ଓ ସ୍ୱାମୀ ମିଶି କୋର୍ଟରେ ଆବେଦନ କରିଥିଲେ । ଆଉ ଯୁକ୍ତି ଥିଲା ସ୍ୱର୍ଗତ ଶ୍ବଶୁର ଦଲଜିତ ସିଂହଙ୍କ ସମ୍ପତ୍ତିରେ ବୋହୂର କୌଣସି ଅଧିକାର ନାହିଁ । ମହିଳା ସୁରକ୍ଷା ଆଇନ ଅନୁଯାୟୀ ମଧ୍ୟ ଘରଟି ତାଙ୍କର ନୁହେଁ । ତଥାପି ବିଚାରପତି ରାୟ ଦେଇଥିଲେ ଯେ ପୁଅକୁ ବାହାର କରାଯାଇଥିଲେ ମଧ୍ୟ ବୋହୂଙ୍କୁ ବାହାର କରାଯାଇପାରିବ ନାହିଁ । ବାହାଘର ପରେ ଆଇନଗତ ପ୍ରକ୍ରିୟା ଶେଷ ନକରି, ଯେକୌଣସି ପରିସ୍ଥିତିରେ, ଜଣେ ବୋହୂକୁ ଘରୁ ବାହାର କରାଯାଇପାରିବ ନାହିଁ । ଯେଉଁଦିନ ପୁଅ ଏବଂ ବୋହୂଙ୍କ ମଧ୍ୟରେ ବିବାଦ ସମାଧାନ ହେବ, ସେହି ଦିନ ବୋହୂଙ୍କୁ ଘର ଛାଡିବାକୁ ପଡ଼ିବ ।