କନକ ବ୍ୟୁରୋ : ଅହମ୍ମଦାବାଦ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାକୁ ନେଇ ଏବେ ଏକ ସାଂଘାତିକ ସତ୍ୟ ସାମ୍ନାକୁ ଆସିଛି । ଯାହା ଶୁଣିଲେ ଆପଣ ମଧ୍ୟ ଆଶ୍ଚଯ୍ୟଚକିତ ହୋଇଯିବେ । ଇଟାଲୀର ଏକ ପ୍ରମୁଖ ଖବରକାଗଜ ଦାବି କରିଛି, ଏହି ଦୁର୍ଘଟଣା କୌଣସି ଯାନ୍ତ୍ରିକ ତ୍ରୁଟି ପାଇଁ ହୋଇନଥିଲା । ବରଂ ଏହା ଥିଲା ଏକ ସୁଚିନ୍ତିତ ହତ୍ୟାକାଣ୍ଡ । ରିପୋର୍ଟରେ ଉଲ୍ଲେଖ ହୋଇଛି, ପାଇଲଟ୍ ନିଜେ ବିମାନର ଇନ୍ଧନ କଣ୍ଟ୍ରୋଲ୍ ସୁଇଚ୍‌କୁ ବନ୍ଦ କରିଦେଇଥିଲେ ।

Advertisment

ଇଟାଲୀୟ ଗଣମାଧ୍ୟମର ଏହି ଚାଞ୍ଚଲ୍ୟକର ରିପୋର୍ଟ ସାରା ବିଶ୍ୱର ବିମାନ ଚଳାଚଳ କ୍ଷେତ୍ରରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି । ତଦନ୍ତ ଅନୁସାରେ, ବିମାନଟି ଅବତରଣ କରିବା ପୂର୍ବରୁ ସ୍ୱାଭାବିକ ଗତିରେ ଥିଲା, କିନ୍ତୁ ହଠାତ୍ ଇନ୍ଧନ ଯୋଗାଣ ବନ୍ଦ ହୋଇଯିବା ଯୋଗୁଁ ଏହା ନିୟନ୍ତ୍ରଣ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଦୁର୍ଘଟଣାର ତଦନ୍ତ କରୁଥିବା ଅଧିକାରୀମାନେ କହିଛନ୍ତି, ବିମାନ ଇଞ୍ଜିନରେ ଇନ୍ଧନ ବନ୍ଦ ହେବା ଯାନ୍ତ୍ରିକ ତ୍ରୁଟି ଯୋଗୁଁ ନୁହେଁ ବରଂ ଏହା ଜାଣିଶୁଣି କରାଯାଇଥିଲା । ଇଟାଲୀୟ ଦୈନିକ ଖବରକାଗଜ ‘କୋରିଏର ଡେଲା ସେରା’ରେ ଏହି ରିପୋର୍ଟ ପ୍ରକାଶ ପାଇଛି ।

ଅଧିକ ପଢ଼ନ୍ତୁ : ବଢ଼ିବ ଭାରତୀୟ ବାୟୁସେନାର ଦକ୍ଷତା; ଫ୍ରାନ୍ସରୁ କିଣାଯିବ ୧୧୪ଟି ରାଫେଲ୍ ଯୁଦ୍ଧ ବିମାନ

ଏୟାର ଇଣ୍ଡିଆ ଏୟାରଲାଇନ୍ସର ବୋଇଂ ୭୮୭ ଡ୍ରିମ୍‌ଲାଇନର୍‌ ୨୦୨୫ ଜୁନରେ ଅହମଦାବାଦ ବିମାନ ବନ୍ଦରରୁ ଉଡ଼ାଣ ଭରିବାର ମାତ୍ର କେଇ ସେକେଣ୍ଡ ଭିତରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ ୨୬୦ ଜଣଙ୍କର ମୃତ୍ୟୁ ହୋଇଥିଲା । ଇଟାଲୀୟ ଖବରକାଗଜ ରିପୋର୍ଟରେ କୁହାଯାଇଛି, ଜଣେ ପାଇଲଟ ଇନ୍ଧନ ନିୟନ୍ତ୍ରଣ ସ୍ୱିଚ୍‌ ବନ୍ଦ କରିଦେଇଥିବାରୁ ବିମାନଟି ଶକ୍ତି ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ବୋଲି ତଦନ୍ତକାରୀ ନିଷ୍କର୍ସରେ ପହଞ୍ଚିଛନ୍ତି । କ୍ୟାପଟେନ୍‌ ସୁମିତ ସବରୱାଲ ଏହି ବିମାନର ମୁଖ୍ୟ ପାଇଲଟ ଥିବାବେଳେ ଫାଷ୍ଟ ଅଫିସର କ୍ଲାଇଭ୍‌ କୁନ୍ଦର ସହାୟକ ପାଇଲଟ ଥିଲେ । ତେବେ ଘଟଣା ଅସ୍ପଷ୍ଟ ଥିଲେ ମଧ୍ୟ କ୍ୟାପ୍ଟେନ ସୁମିତ ସବରୱାଲଙ୍କ ଉପରେ ସନ୍ଦେହ ପ୍ରକାଶ କରାଯାଇଛି । ଦୁର୍ଘଟଣାର ମାସକ ପରେ କ୍ୟାପ୍ଟେନ ସୁମିତ୍‌ ପତ୍ନୀଙ୍କ ସହିତ ଛାଡ଼ପତ୍ର ପରେ ମାନସିକ ଅବସାଦଗ୍ରସ୍ତ ଥିବା ଜଣାପଡ଼ିଥିଲା । ଏଏଆଇବି ରିପୋର୍ଟ ଆସିବା ପରେ ପାଇଲଟ ଆସୋସିଏସନ୍ ଓ ସୁମିତଙ୍କ ବାପା ଏହି ଅଭିଯୋଗକୁ ଖଣ୍ଡନ କରି ପୁଣି ଥରେ ତଦନ୍ତ କରିବାକୁ ଦାବି କରିଥିଲେ ।

ଖାଲି ଇଟାଲୀ ଗଣମାଧ୍ୟମ ନୁହେଁ ବରଂ ଲଣ୍ଡନର ଖବକାଗଜ ଦି-ଇଣ୍ଡିପେଣ୍ଟର ମଧ୍ୟ ଦୁର୍ଘଟଣା ଉପରେ ମତ ରଖିଛି । କହିଛି- ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ଅତିରିକ୍ତ କ୍ଷତିପୂରଣ ବଦଳରେ ମାମଲା ଦାୟର ନକରିବାକୁ ପ୍ରସ୍ତାବ ଦେଇଛି ବିମାନ କମ୍ପାନି ମୃତକଙ୍କ ପରିବାରଗୁଡ଼ିକୁ କ୍ଷତିପୂରଣ ଭାବରେ ଅତିରିକ୍ତ ୧୦ ଲକ୍ଷ ଟଙ୍କା ଦେବାକୁ ପ୍ରସ୍ତାବ ଦେଇଛି । କେତେକ କ୍ଷେତ୍ରରେଏହା ୨୦ ଲକ୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯାଇପାରେ ବୋଲି ଏୟାର ଇଣ୍ଡିଆ କହିଥିବା ରିପୋର୍ଟରେ ପ୍ରକାଶ ପାଇଛି । ତେବେ ଏହି ଅତିରିକ୍ତ କ୍ଷତିପୂରଣ ପାଇଁ ପରିବାରବର୍ଗ ଏକ ସର୍ତ୍ତରେ ରାଜି ହେବେ । ସେମାନେ ଭବିଷ୍ୟତରେ ଦୁର୍ଘଟଣା ସମ୍ବନ୍ଧୀୟ ଦାବି ଦାଖଲ କରିବେ ନାହିଁ ଓ କମ୍ପାନିକୁ ସମସ୍ତ ଆଇନଗତ ଦାୟିତ୍ୱରୁ ମୁକ୍ତ କରିବେ । ଏହି ସର୍ତ୍ତ ଯେକୌଣସି ଦେଶ କିମ୍ବା ଅଦାଲତରେ ଆଇନଗତ ହେବ ।