ପିଏଚଡି ବିଭାଗ ଠିକାଦାରଙ୍କ ଅବହେଳାରୁ ଶ୍ରମିକ ମୃତ ! ପାଣିଟାଙ୍କି ସଫା କରିବାବେଳେ ଅଚାନକ ଆସିଲା ପାଣି, ଅଣନିଶ୍ୱାସୀ ହୋଇ ଗଲା ଜୀବନ

201

କନକ ବ୍ୟୁରୋ : ଏମିତି ବି ଆସେ ମୃତ୍ୟୁ । ପିଏଚଡି ବିଭାଗ ଠାକାଦାରଙ୍କ ଅବହେଳାରୁ ଜଣେ ଶ୍ରମିକଙ୍କର ମୃତ୍ୟୁ ହୋଇଛି  । ଭିଏସଏସନଗରରେ ଜନସ୍ୱାସ୍ଥ୍ୟ ମୁଖ୍ୟ ପାଣିଟାଙ୍କି ସଫା କରିବାବେଳେ ଅଚାନକ ପାଣି ଆସିଯିବାରୁ ଅଣନିଶ୍ୱାସୀ ହୋଇ ଜଣେ ଶ୍ରମିକର ଜୀବନ ଯାଇଛି  । ସୂଚନା ଅନୁସାରେ ଗତକାଲି ମଧ୍ୟାହ୍ନରେ ଶ୍ରମିକ ଜଣଙ୍କ ପାଣିଟାଙ୍କି ଭିତରେ ପଶି ସଫା କରୁଥିଲେ । ସେ ସମୟରେ ଚାମ୍ବର ଭିତରେ ଜଣେ ମିସ୍ତ୍ରୀ ବସି କାମ କରୁଥିବାବେଳେ ହଠାତ୍ ଚାମ୍ବର ଭିତରକୁ ପାଣି ପଶି ଆସିଥିଲା।

ପାଇପ ଲାଇନ୍ ଦେଇ ପାଣି ଆସିଯିବାରୁ ଶ୍ରମିକ ଜଣଙ୍କ ଚିତ୍କାର କରିଥିଲେ ମଧ୍ୟ ତାଙ୍କୁ ଉଦ୍ଧାର କରାଯାଇପାରି ନଥିଲା । ସେହିଠାରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା । ଦମକଳବାହିନୀ ପହଁଚି ତାଙ୍କୁ ଉଦ୍ଧାର କରିଥିଲା  । ମୃତ ଶ୍ରମିକ ଜଣକ ଗଣପତିନଗରରେ ରହୁଥିବା ଗଞ୍ଜାମ ଜିଲ୍ଲା କଂସମାରୀ ଗ୍ରାମର ରୁଦ୍ର ଦୋରା ବୋଲି ଜଣାପଡିଛି । ୫୦ ଲକ୍ଷ କ୍ଷତିପୂରଣ ଦାବି କରିଛନ୍ତି ପରିବାର ଲୋକେ ।