ଗୋବରକୁ ଉପଯୋଗୀ କରିବାକୁ କଟକ ଗୋଶାଳା ପକ୍ଷରୁ ଅଭିନବ ପ୍ରୟାସ : ଗୋବରରୁ ତିଆରି ହେଉଛି କାଠ, ଶବଦାହରେ ବ୍ୟବହାର କରାଯିବା ସହ ଲୋକଙ୍କୁ ମିଳୁଛି ରୋଜଗାର

687

କନକ ବ୍ୟୁରୋ : ଗୋବରରୁ ତିଆରି ହେଉଛି କାଠ । ମେସିନ ସାହାଯ୍ୟରେ ଗାଇର ଗୋବରକୁ କାଠର ଆକୃତି ଦିଆଯାଉଛି । ଆଉ ଏହାକୁ ଗୋବର କାଠ କୁହାଯାଉଛି ।  କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ପ୍ରଦୂଷଣ ମୁକ୍ତ ପରିବେଶ ତଥା ରୋଜଗାର ସୃଷ୍ଟି କରିବା ଉଦ୍ଦେଶ୍ୟରେ କଟକ ଗୋଶାଳା ପକ୍ଷରୁ ଏପରି ଅଭିନବ ପ୍ରୟାସ ଆରମ୍ଭ ହୋଇଛି । ତେବେ ଏହି କାଠକୁ ଜାଳେଣୀ ରୂପେ ମଧ୍ୟ ବ୍ୟବହାର କରାଯାଉଛି ।

ଏକ ସ୍ୱତନ୍ତ୍ର ମେସିନ ସାହାଯ୍ୟରେ ଗୋବରରୁ କାଠ ତିଆରି ହେଉଛି ।  ବର୍ତ୍ତମାନ ପଞ୍ଜାବରେ ଏହି ମେସନର ବହୁଳ ବ୍ୟବହାର ହେଉଛି । ୫୫୦୦୦ ଟଙ୍କାର ଏହି ମେସିନରେ ଫୋପଡ଼ା ହେଉଥିବା ଗୋବରକୁ ଉପଯୋଗୀ କରିପାରିଛି କଟକ ଗୋଶାଳା । ଏହି ମେସିନ ଉପରେ ଏକ ଚାମ୍ବରରେ ଗୋବର ଭର୍ତ୍ତି କଲେ, ଗୋଟିଏ ପରେ ଗୋଟିଏ ଗୋବର କାଠ ମେସିନରୁ ବାହାରି ଆସୁଛି ।  ମେସିନରୁ ଗୋବର କାଠ ବାହାରିବା ପରେ ତା’କୁ ଖରାରେ ଭଲରେ ଶୁଖାଇ ଦିଆଯାଉଛି । ଆଉ ଏହିପରି ଭାବେ ସ୍ୱଳ୍ପ ଖର୍ଚ୍ଚ ଓ ସ୍ୱଳ୍ପ ସମୟରେ କାଠ ତିଆରି ହୋଇଯାଉଛି । ଏହି କାଠକୁ ଜାଳେଣୀ ରୂପେ ବ୍ୟବହାର କରିବା ସହ ବିନା ମୂଲ୍ୟରେ ବିଭିନ୍ନ ଶବଦାହ ସ୍ଥାନକୁ ଯୋଗାଇ ଦିଆଯାଉଛି ବୋଲି କହିଛନ୍ତି ଗୋଶାଳା ପରିଚାଳନା କମିଟି ସମ୍ପାଦନ । ତେବେ ସବୁଠାରୁ ବଡ଼ କଥା ହେଲୋ ଗୋବର କାଠ କାଠ ପ୍ରସ୍ତୁତ କରିବା ପ୍ରକିୟାରେ କିଛି ଲୋକଙ୍କୁ ରୋଜଗାର ମଧ୍ୟ ମିଳିଯାଉଛି ।

କଟକର ଗୋଶାଳା ପକ୍ଷରୁ ଆରମ୍ଭ ହୋଇଥିବା ଏହି ପ୍ରୟାସକୁ ସରକାର ସରକାରୀ ସ୍ତରରେ ବ୍ୟାପକ କରାଯିବା ଆବଶ୍ୟକ ବୋଲି କହିଛନ୍ତି ଗୋଶାଳା ଜନସମ୍ପର୍କ ଅଧିକାରୀ । ତେବେ ସହରାଞ୍ଚଳରେ ଫୋପଡ଼ା ହେଉଥିବା ଗୋବରକୁ ନୂଆ ଢ଼ଙ୍ଗରେ ଉପଯୋଗ କରିଥିବାରୁ କଟକ ଗୋଶାଳାର ପ୍ରୟାସକୁ ପ୍ରଂଶାସା କରାଯାଉଛି ।