ଶୁଭାରାଣୀଙ୍କ ବିରାମହୀନ ସଂଘର୍ଷ : ଅଲୋଡ଼ା ପାଲଟିଛନ୍ତି ଓଡ଼ିଶା ମହିଳା ଫୁଟବଲ ଦଳର ପ୍ରଥମ ଅଧିନାୟିକା, ପରିବାର ପ୍ରତିପୋଷଣ ପାଇଁ ଘର ଘର ବୁଲି ଖବରକାଗଜ ବିକୁଛନ୍ତି ଜାତୀୟ ସ୍ତରର ଖେଳାଳି

349

କନକ ବ୍ୟୁରୋ : ଓଡ଼ିଶା ମହିଳା ଫୁଟବଲ ଦଳର ପ୍ରଥମ ଅଧିନାୟିକା ଆଜି ଅଲୋଡ଼ା । ଦିନେ ଓଡ଼ିଶା ମହିଳା ଫୁଟବଲ ଇତିହାର ନେତୃତ୍ୱ ନେଇଥିଲେ, ହେଲେ ଆଜି ଜାତୀୟ ସ୍ତରର ଖେଳାଳି ସମ୍ପୂର୍ଣ୍ଣ ଅଜଣା ଅଶୁଣା । ଜୀବନ ଯୁଦ୍ଧରେ ପରାସ୍ତ ସୈନିକ ପାଲଟି ଯାଇଛନ୍ତି ଭୁବନେଶ୍ୱର ବଡ଼ଗଡ଼ ବାସିନ୍ଦା ଶୁଭାରାଣୀ ଦାସ । ପରିବାର ପ୍ରତିପୋଷଣ ପାଇଁ ଏବେ ଘର ଘର ବୁଲି ଖବର କାଗଜ ବିକ୍ରି କରୁଛନ୍ତି । ସରକାରୀ ସହାୟତ ତ ଦୂର କଥା କ୍ରୀଡ଼ା ଭତ୍ତା ପାଇଁ ଦୌଡ଼ି ଦୌଡ଼ି ଚପଲ ଛିଡ଼ିଗଲାଣି, ହେଲେ ଭତ୍ତା ହୋଇପାରୁନାହିଁ । ପ୍ରତିକୂଳ ପରିସ୍ଥିତିରେ ବି ହାରିଯାଇ ନାହାନ୍ତି ଶୁଭାରାଣୀ । ଖେଳୁଆଡ଼୍ ମନୋଭାବ ନେଇ ଅନବରତ ସଂଘର୍ଷ ଚାଲିଛି । ମହଙ୍ଗା ଦୁନିଆରେ ବଞ୍ଚିବା ପାଇଁ ଜାରି ରହିଛି ଜୀବନ ଯୁଦ୍ଧ ।

ଶୁଭାରାଣୀଙ୍କ ବିରାମହୀନ ସଂଘର୍ଷ । ଜାତୀୟର ସ୍ତରରେ ଫୁଟବଲ ମଇଦାନରେ ବେଙ୍ଗଲ, ମଣିପୁର, ତାଲମିନାଡ଼ୁ ଭଳି ଦଳକୁ ହାଫଲାଇନ୍, ଡିଫେନ୍ସ ଓ ଫରୱାର୍ଡ଼ରେ ମାତ ଦେଇଥିବା ଶୁଭା ଆଜି ଦାନା ଗଣ୍ଡାକ ପାଇଁ ଲଗାତାର ସଂଘର୍ଷ କରୁଛନ୍ତି । ଦୁଃଖ ଓ ଯନ୍ତ୍ରଣାରେ ଜର୍ଜରିତ ଜୀବନ ନେଇ ଆଗେଇ ଚାଲିଛନ୍ତି ଜାତୀୟ ସ୍ତରର ଖେଳାଳି ଶୁଭାରାଣୀ । କେବଳ ସେ ଫୁଟବଲ ଖେଳରେ ଦକ୍ଷ ନଥିଲେ, ଖୋଖୋ ଖେଳ ପାଇଁ ମଧ୍ୟ ସୁନାମ ଅର୍ଜନ କରିଥିଲେ । ୧୯୮୬ରୁ ୧୯୮୮ ପର୍ଯ୍ୟନ୍ତ ଓଡ଼ିଶାରେ ଜଣେ ସୁନାମଧନ୍ୟ ଖୋଖେ ଖେଳାଳି ଭାବେ ପରିଚିତ ଥିଲେ ଶୁଭାରାଣୀ । ଖୋଖୋରେ ଓଡ଼ିଶାର ପ୍ରତିନିଧିତ୍ୱ କରି ୨୮ ଥର ଚାମ୍ପିଅନ୍ ମଧ୍ୟ ହୋଇଛନ୍ତି । ଏହାସହ ୧୯୯୨ରେ ଗୌହାଟୀର ଅଲ୍ ଇଣ୍ଡିଆ ଫୁଟବଲ୍ ଫେଡ଼େରେସନ୍ ପକ୍ଷରୁ ଆୟୋଜିତ ମ୍ୟାଚରେ ୧୦ରୁ ଅଧିକ ଜାତୀୟ ସ୍ତରର ଫୁଟବଲ ମ୍ୟାଚ ଖେଳିଛନ୍ତି । ହେଲେ ବିଡ଼ମ୍ବନାର ବିଷୟ ହେଲା ରାଜ୍ୟ ପାଇଁ ଗୌରବ ଆଣିଥିବା ଶୁଭା ଆଜି ସମସ୍ତଙ୍କ ପାଇଁ ଅପରିଚିତ । ତାଙ୍କୁ କେହି ଚିହ୍ନନ୍ତିତି । କ୍ରୀଡ଼ା ଭତ୍ତା ପାଇଁ ଦୌଡ଼ି ଦୌଡ଼ି ଚପଲ ଛିଣ୍ଡି ଗଲାନଣି ସତ ହେେ ଭତ୍ତା ମିଳିପାରୁନାହିଁ । ମହଙ୍ଗା ଦୁନିଆରେ ଜୀବନ ଜିଇଁବା ଭାରି କଷ୍ଟକର ହୋଇପଡ଼ୁଛି । ରାସର୍ନ କାର୍ଡ଼ ଖଣ୍ଡେ ପାଇଁଆବେଦନ କରିଛନ୍ତି, ହେଲେ ତାହା ବି ହୋଇପାରିନି ।

ଦୀର୍ଘ ଦିନ ଧରି ଦୁଇ ଝିଅଙ୍କୁ ୧୪ ବର୍ଷ କାଳ ରାସ୍ତ।କଡ଼ରେ କ୍ୟାବିନ୍ ଭିତରେ ଜାକିଜୁକି ହୋଇ ଜୀବନ କାଟିଛନ୍ତି ଶୁଭାରାଣୀ  । ମା’ ଜାତୀୟ ସ୍ତରର ଖେଳାଳି ହେଲେ ପିଲାମାନେ ଷ୍ଟ୍ରିଟ୍ ଲାଇଟର ଆଲୋକରେ ପାଠ ପଢ଼ିବାକୁ ବାଧ୍ୟ । ଶୁଭାରାଣୀଙ୍କ ସ୍ୱାମୀ ଜଣେ ଖବରକାଜ ହକର ଥିଲେ । ହେଲେ କୌଣସି କାରଣ ବଶତଃ ତାଙ୍କ ସ୍ୱାମୀଙ୍କର ଅପରେସନ ହୋଇଥିଲା । ଆଉ ଅପରେସନ ପରେ ସେ କୌଣସି କାମଧନ୍ଦା କରିପାରିଲେ ନାହିଁ । ଘର ଚଳିବା ମୁସ୍କିଲ ହୋଇଗଲା । ଅନ୍ୟ ଉପାୟ ନପାଇ ଶୁଭା ପରିବାର ପ୍ରତିପୋଷଣ ପାଇଁ ଅଂଟା ଭିଡ଼ିଥିଲେ । ସ୍ୱାମୀଙ୍କ ପରେ ହକର କାମ ଆରମ୍ଭ କରିଦେଇଥିଲେ । ଅର୍ଥାଭାବ ତାଙ୍କୁ ରାସ୍ତାକୁ ଟାଣି ଆଣିଥିଲା । ପ୍ରତିଦିନି ୨୦ କିମି ବୁଲି ବୁଲି ଖବରକାଗଜ ବାଣ୍ଟନ୍ତି । ଘରେ ଘରେ ଖବର କାଗଜ ବିକ୍ରି କରି ପରିବାର ପେଟ ପାଳୁଛନ୍ତି ଶୁଭା । ତେବେ ଜଣେ ମହିଳା ହକର ହୋଇଥିବାରୁ ତାଙ୍କୁ କମ୍ ନିର୍ଯାତନା ସହିବାକୁ ପଡ଼ିନି । ହେଲେ ଲୋକଙ୍କ ଟାହିଟାପରାକୁ ଅଣଦେଖା କରି ସଂସାର ଚଳାଇବା ପାଇଁ ସବୁ ମଥାପାତି ସହିଯାଉଛନ୍ତି ।

ସକାଳ ହେବାମାତ୍ରେ ଖବର କାଗଜ ଧରି ରାସ୍ତାକୁ ଛୁଟିଯାଆନ୍ତି । ଟାହିଟାପରାକୁ ଖାତିର ନକରି ଭୋରର ୩ଟାରୁ ଉଠି ଜୀବନ ଯୁଦ୍ଧ ଦୌଡ଼ୁଛନ୍ତି । ଏଯାଏଁ ଶୁଭାଙ୍କୁ କୌଣସି ସରକାରୀ ସହାୟତା ମିଳିନି । ଆଉ ସବୁଠାରୁ ବଡ଼ କଥା ହେଲା ସହାୟତାକୁ ଅପେକ୍ଷା ନକରି ନିଜ ସାଧ୍ୟ ମତେ କାମ କରିଚାଲିଛନ୍ତି । ଖବରକାଗଜ ବାଣ୍ଟିବା ପରେ ସେ ଘରୋଇ ଟ୍ୟୁସନ୍ କରନ୍ତି । ଅଭାବ ଅନଟନ ମଧ୍ୟରେ ମଣିଷପଣିଆ ଭୁଲିଯାଇନାହାନ୍ତି ଶୁଭା । ଅର୍ଥାଭାବରୁ ଟ୍ୟୁସନ ପଢ଼ିପାରୁନଥିବା ପିଲାଙ୍କୁ ମଧ୍ୟ ମାଗଣାରେ ପାଠ ପଢ଼ାଉଛନ୍ତି ।