କନକ ବ୍ୟୁରୋ : ଓଡ଼ିଶା ଅଗ୍ନିଶମ ସେବାର ୮୨ ବର୍ଷର ପରମ୍ପରା ଭାଙ୍ଗିବ । ନିଅାଁଲିଭା ଓ ବିପର୍ଯ୍ୟୟ ପରିଚାଳନା ଇତ୍ୟାଦିରେ ମହିଳାମାନଙ୍କୁ ନିୟୋଜନ କରାଯିବ । ଏଭଳି ଏକ ପ୍ରସ୍ତାବ ଓଡ଼ିଶା ଅଗ୍ନିଶମ ସେବା ନିର୍ଦ୍ଦେଶାଳୟ ପକ୍ଷରୁ ରାଜ୍ୟସରକାରଙ୍କ ନିକଟକୁ ପଠାଯାଇଛି । ଓଡ଼ିଶାରେ ୧୯୩୬ ମସିହାରୁ ଅଗ୍ନିଶମ ବିଭାଗ କାର୍ଯ୍ୟକରିବା ଦିନଠୁ କୌଣସି ମହିଳାଙ୍କୁ ଫାୟାରମ୍ୟାନ କିମ୍ବା ଷ୍ଟେସନ୍ ଅଫିସର ପାହ୍ୟାରେ ନିଯୁକ୍ତି ଦିଆଯାଇନାହିଁ । କେବଳ ପ୍ରଶାସନିକ କାର୍ଯ୍ୟ ପାଇଁ କେତେକ ମହିଳାଙ୍କୁ ନିଯୁକ୍ତି ମିଳିଛି । ତେଣୁ ଖାଲି ରହୁଥିବା ପଦବିଗୁଡ଼ିକରେ ୧୫ ପ୍ରତିଶତ ମହିଳାମାନଙ୍କୁ ନିଯୁକ୍ତି ଦେବା ପାଇଁ ପ୍ରସ୍ତାବରେ କୁହାଯାଇଛି ।
ଅଗ୍ନିଶମ ବିଭାଗରେ ସାହସୀ ଓ ନିର୍ଭିକ କର୍ମଚାରୀଙ୍କ ଆବଶ୍ୟକତା ରହିଥିବାରୁ ଆରମ୍ଭରୁ ମହିଳାମାନଙ୍କୁ ନିଯୁକ୍ତି ଦିଆଯାଉନଥିଲା । କିନ୍ତୁ ରାଜ୍ୟ ସରକାର ମହିଳା ମାନଙ୍କୁ ଏବେ ପ୍ରାଧାନ୍ୟ ଦେଉଥିବାବେଳେ ଅଗ୍ନିସେବା କ୍ଷେତ୍ରରେ ନିଯୁକ୍ତି ନିୟମ ଆସିଗଲେ ଏହା ବିଭାଗ ତଥା ସରକାରଙ୍କ ପାଇଁ ବଡ଼ ଉପଲବ୍ଧି ହେବ ବୋଲି କୁହାଯାଇଛି । ବର୍ତ୍ତମାନ ରାଜ୍ୟରେ ଥିବା ୩୩୫ଟି ଦମକଳ କେନ୍ଦ୍ରରେ ପ୍ରାୟ ୪ହଜାର ଅଗ୍ନିଶମ କର୍ମଚାରୀ କାର୍ଯ୍ୟ କରୁଛନ୍ତି । ସେମାନଙ୍କ ମଧ୍ୟରେ ବେସ୍ ଲେଭଲ୍ରେ ଫାୟାରମ୍ୟାନ ଓ ଷ୍ଟେସନ୍ ଅଫିସର୍ ପାଇଁ ମହିଳାମାନଙ୍କୁ ନିଯୁକ୍ତି ଦେବାକୁ ପ୍ରସ୍ତାବ ଦିଆଯାଇଛି । ଗୃହ ବିଭାଗରେ ଫାୟାରମ୍ୟାନ ମାନେ କନଷ୍ଟେବଳ ଓ ଷ୍ଟେସନ୍ ଅଫିସରମାନେ ସବ୍ ଇନ୍ସପେକ୍ଟର ପାହ୍ୟାର ଅଧିକାରୀ । ଏମାନଙ୍କ ମଧ୍ୟରୁ ଫାୟାରମ୍ୟାନ ମାନଙ୍କୁ ନିର୍ଦ୍ଦେଶାଳୟ ପକ୍ଷରୁ ସିଧାସଳଖ ନିଯୁକ୍ତି ମିଳୁଥିବାବେଳେ ଷ୍ଟେସନ୍ ଅଫିସରମାନେ ଷ୍ଟାଫ୍ ସିଲେକ୍ସନ୍ ବୋର୍ଡ ମାଧ୍ୟମରେ ନିଯୁକ୍ତି ପାଉଛନ୍ତି। ତେବେ ଏସବୁ ସ୍ଥାନରେ ମହିଳା ଫାୟାରମ୍ୟାନ କିମ୍ବା ଷ୍ଟେସନ୍ ଅଫିସର ନିଯୁକ୍ତି ପାଇଲେ ମହିଳାମାନଙ୍କ ଭିତରେ ଆତ୍ମବିଶ୍ୱାସ ବୃଦ୍ଧି ପାଇବା ସହ ନାରୀ ସଶକ୍ତିକରଣ କ୍ଷେତ୍ରରେ ମଧ୍ୟ ଏହାର ଅବଦାନ ରହିବ ବୋଲି ନିର୍ଦ୍ଦେଶାଳୟ ପକ୍ଷରୁ କୁହାଯାଇଛି ।