ସରୁନି ଶ୍ରମିକଙ୍କ ଦୁଃଖ । ସ୍ୱତନ୍ତ୍ର ଶ୍ରମିକ ଟ୍ରେନରେ ପ୍ରସବ କଲେ ମହିଳା ଶ୍ରମିକ । ଏପଟେ ଝାରସୁଗଡ଼ା ଷ୍ଟେସନ୍ରୁ ମହିଳାଙ୍କୁ ଡାକ୍ତରଖାନା ନେବା ରାସ୍ତାରେ ପ୍ରସବ

192

କନକ ବ୍ୟୁରୋ : ଟ୍ରେନ୍ ଭିତରେ ମହିଳାଙ୍କ ପ୍ରସବ । ତେଲେଙ୍ଗାନାର ସିକନ୍ଦରାବାଦରୁ ବଲାଙ୍ଗୀର ଆସୁଥିବା ସ୍ୱତନ୍ତ୍ର ଶ୍ରମିକ ଟ୍ରେନରେ ଏଭଳି ଏକ ଘଟଣା ଘଟିଛି । ବଲାଙ୍ଗୀର ଜିଲ୍ଲାର ହେମା କାନ୍ତି ନାମକ ଜଣେ ମହିଳା, ଏହି ଟ୍ରେନରେ ଫେରୁଥିବା ବେଳେ ରାସ୍ତାରେ ପ୍ରସବ ଯନ୍ତ୍ରଣା ଅନୁଭବ କରିଥିଲେ । ଆଉ ଠିକ୍ ଟିଟିଲାଗଡ଼ ଷ୍ଟେସନ୍ ନିକଟରେ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି ହେମା କାନ୍ତି । ଟିଟିଲାଗଡ଼ ଷ୍ଟେସନ୍ରୁ ଉଭୟ ମହିଳା ଓ ଶିଶୁଙ୍କୁ ଜନନୀ ଏକ୍ସପ୍ରେସ୍ରେ ଡାକ୍ତରଖାନାକୁ ନିଆଯାଇଥିଲା । ବର୍ତମାନ ଉଭୟ ମା ଏବଂ ଛୁଆର ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଥିବା କହିଛନ୍ତି ଡାକ୍ତର । ଗତକାଲି ବିଭିନ୍ନ ରାଜ୍ୟରୁ ୨୧ଟି ଶ୍ରମିକ ଟ୍ରେନ୍ ଓଡ଼ିଶା ପହଂଚିଛି । ଏହା ପୂର୍ବରୁ ଗତ ୨୨ ତାରିଖରେ ଜଣେ ୩୫ ବର୍ଷିୟ ଜଣେ ମହିଳା ମଧ୍ୟ ଟ୍ରେନ୍ରେ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ । ଏହି ଟ୍ରେନ୍ ମଧ୍ୟ ତେଲେଙ୍ଗାନାର ସିକନ୍ଦରାବାଦରୁ ବଲାଙ୍ଗୀର ଆସୁଥିଲା ।

ଟିଟିଲାଗଡ଼ ଭଳି ଝାରସୁଗଡ଼ା ଷ୍ଟେସନରେ ମଧ୍ୟ ଏକ ଅନୁରୁପ ଘଟଣା ସାମ୍ନାକୁ ଆସିଛି । ହେଲେ, ଏଠି ଟ୍ରେନ୍ ବଦଳରେ ପୁଲିସ୍ ଭ୍ୟାନରେ ପ୍ରସବ କରିଛନ୍ତି ଜଣେ ମହିଳା ଶ୍ରମିକ । ହାଇଦ୍ରାବାଦରୁ ଦାନାପୁର ଅଭିମୁଖେ ଯାଉଥିବା ଏକ ଶ୍ରମିକ ସ୍ପେଶାଲ ଟ୍ରେନରେ ଏହି ମହିଳାଙ୍କୁ ପ୍ରସବ ବେଦନା ଆରମ୍ଭ ହୋଇଥିଲା । ଏନେଇ ସମ୍ପର୍କରେ ଝାରସୁଗୁଡ଼ା ଷ୍ଟେସନ୍ କର୍ତୃପକ୍ଷ ଏବଂ ଜିଲ୍ଲା ପ୍ରଶାସନକୁ ଯୋଗାଯୋଗ କରାଯାଇଥିଲା । ଟ୍ରେନ୍ ଝାରସୁଗୁଡ଼ା ପହଂଚିବା ପୂର୍ବରୁ ଆମ୍ବୁଲାନ୍ସ ବ୍ୟବସ୍ଥା କରିବାକୁ କୁହାଯାଇଥିଲା । ହେଲେ ଆମ୍ବୁଲାନ୍ସ ନ ପହଂଚିବାରୁ ବାଧ୍ୟ ହୋଇ ମହିଳାଙ୍କୁ ପୁଲିସ୍ ଭ୍ୟାନ୍ରେ ଡାକ୍ତରଖାନାକୁ ନିଆଯାଉଥିଲା । କିନ୍ତୁ ଏହା ପୂର୍ବରୁ ଝାରସୁଗୁଡ଼ା ବସ୍ ଷ୍ଟାଣ୍ଡ ନିକଟକରେ ମହିଳା ଜଣକ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି ।