ଶିଳ୍ପ ନଗରୀ ରାଉରକେଲାରେ ଚାଞ୍ଚଲ୍ୟ : ବାରମ୍ବାର ଗର୍ଭରେ କନ୍ୟା ସନ୍ତାନ ଧାରଣ କରୁଥିବା ଯୋଗୁଁ ବୋହୂକୁ ଶାଶୁଘର ଲୋକେ ଜାଳି ଦେଇଥିବା ଅଭିଯୋଗ

448

କନକ ବ୍ୟୁରୋ : ଇସ୍ପାତ ସହର ରାଉରକେଲାରେ ଦେଖିବାକୁ ମିଳିଛି ଅମଣିଷପଣିଆର ନଗ୍ନ ଚିତ୍ର । ପୁଅ ନହେବାରୁ ୮ମାସର ଗର୍ଭବତୀ ବୋହୂକୁ ଶ୍ୱଶୁରଘର ଲୋକେ ଜାଳି ମାରି ଦେଇଥିବା ଅଭିଯୋଗ ହୋଇଛି । ଏହି ଗୁରୁତର ଅଭିଯୋଗ ଆଣିଛନ୍ତି ମହିଳାଙ୍କ ବାପା । ତାଙ୍କ ଏତଲା ଆଧାରରେ ବନ୍ଧମୁଣ୍ଡା ପୋଲିସ ମାମଲା ରୁଜୁ କରିଛି । ପୋଲିସ ଏବେ ମୃତ ମହିଳାଙ୍କ ସ୍ୱାମୀ ବିନୋଦ ସିଂହ, ଶ୍ୱଶୁର ରାମକ୍ରିତ ସିଂହ, ଯାଆ ମୁନି ଦେବୀ ଓ ଦେଢଶୁର ଜୟ ମଙ୍ଗଳ ସିଂହଙ୍କୁ ଥାନାରେ ଅଟକ ରଖି ପଚରା ଉଚରା କରୁଛି । ମୃତ ମହିଳା ଜଣଙ୍କ ୨୦୧୫ରେ ଗର୍ଭବତୀ ହୋଇଥିଲେ । ହେଲେ ଗର୍ଭରେ ଝିଅ ଥିବା ଜାଣି ସ୍ୱାମୀ ଗର୍ଭ ନଷ୍ଟ କରିଥିଲେ ।

ପରେ ୨୦୧୭ରେ ପୁଣିଥରେ ଗର୍ଭବତୀ ହୋଇଥିଲେ ମହିଳା ଏବଂ ଏକ କନ୍ୟା ଝିଅ ସନ୍ତାନ ଜନ୍ମଦେଇଥିଲେ । ତେବେ ଝିଅ ହେବାକୁ ପରିବାର ସଦସ୍ୟ ଅକନଥୀୟ ନିର୍ଯାତନା ଦେଇଥିଲେ ବୋଲି ତାଙ୍କ ବାପା ଅଭିଯୋଗ କରିଛନ୍ତି । ପୁଣି ଥରେ ୨୦୧୯ ମେ ମାସରେ ମହିଳା ଜଣଙ୍କ ଗର୍ଭବତୀ ହୋଇଥିଲେ । ତେବେ ଏଥର ବି କନ୍ୟା ସନ୍ତାନ ଥିବା ଜାଣିବାକୁ ପାଇବାରୁ ଅତ୍ୟାଚାର ସୀମୀ ଟପିଥିଲା । ପୁତ୍ର ସନ୍ତାନ ପାଇଁ ହିତାହିତ ଜ୍ଞାନ ହରାଇ ବସିଥିଲେ ପରିବାର ଲୋକ । ଗର୍ଭରେ ଏକ ନିଷ୍ପାପ ଶିଶୁ ଥିବା ଜାଣି ପୁତ୍ର ମୋହରେ ଗର୍ଭବତୀ ବୋହୁକୁ ପୋଡ଼ି ମାରିଦେଇଛନ୍ତି ଶ୍ୱଶୁରଘର ଲୋକେ । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମହିଳାଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ପୋଲିସ କହିଛନ୍ତି ।