ପ୍ରବଳ ଥଣ୍ଡା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ! ରାଜ୍ୟର ବିଭିନ୍ନ ସ୍ଥାନରେ ୩ ମୃତ

106

କନକ ବ୍ୟୁରୋ : ପ୍ରବଳ ଥଣ୍ଡା ଯୋଗୁ ଆଜି ୩ ଜଣଙ୍କର ପ୍ରାଣହାନୀ ଘଟିଛି । ସମ୍ବଲପୁର ସହରର ୨ଟି ଭିନ୍ନ ଭିନ୍ନ ସ୍ଥାନରେ ୨ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ନବରଙ୍ଗପୁର ଜିଲ୍ଲା ଅନ୍ତର୍ଗତ ଝରିଗାଁରେ ଜଣେ ବୃଦ୍ଧାଙ୍କର ମୃତ୍ୟୁ ହୋଇଛି । ସମ୍ବଲପରର ଅଇଁଠାପାଲି ଥାନା ରାନୀବନ୍ଧ ଗ୍ରାମର ଦିଲ୍ଲୀପ ଭୋଇ(୪୦) ଗତ ୧୬ ତାରିଖ ଦିନ ବିଳମ୍ବିତ ରାତିରେ ଘରୁ ବାହାରି ଆଉ ଫେରି ନଥିଲେ । ତେବେ ୧୭ ତାରିଖ ଦିନ ରାତି ପ୍ରାୟ ୧୨ଟା ବେଳେ କେହି ଜଣେ ବ୍ୟକ୍ତି ଫୋନ କରି ପତ୍ରା ଜଙ୍ଗଲ ଲାଲୁପଡ଼ା ରାସ୍ତା କଡ଼ରେ ଏକ ମୃତଦେହ ପଡ଼ିଥିବା ନେଇ ପୁଲିସକୁ ସୂଚନା ଦେଇଥିଲେ ।

ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ମୃତ୍ୟୁର କାରଣ ସନ୍ଦେହଜନକ ନଥିବା ଜଣାପଡ଼ିଛି । ସେହିଭଳି ବୁର୍ଲା ଜ୍ୟୋତିବିହାର ସମ୍ମୁଖରେ ଜାତୀୟ ରାଜପଥ ୫୩ କଡ଼ରେ କୌଣସି ବ୍ୟକ୍ତିଙ୍କ ମୃତଦେହ ପଡ଼ିଥିବା ନେଇ ସୂଚନା ପାଇ ବୁର୍ଲା ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ମୃତ ବ୍ୟକ୍ତିଙ୍କ ବୟସ ପ୍ରାୟ ୬୦ ବର୍ଷ ହେବ ବୋଲି ଅନୁମାନ କରାଯାଉଛି। ଶୀତ ଯୋଗୁଁ ଉଭୟଙ୍କ ମୃତ୍ୟୁ ହୋଇଥିବା ପୁଲିସ ଆଶଙ୍କା କରୁଛି । ଏନେଇ ଆଇଁଠାପାଲି ଓ ବୁର୍ଲା ପୁଲିସ ପୃଥକ ପୃଥକ୍ ଦୁଇଟି ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଛି ।

ଅନ୍ୟପକ୍ଷରେ, ନବରଙ୍ଗପୁର ଜିଲ୍ଲା ଅନ୍ତର୍ଗତ ଝରିଗାଁ ବ୍ଲକର ବାଣୁଆଗୁଡା ଗ୍ରାମର ଯମୁନା ହରିଜନ(୬୦) ପ୍ରବଳ ଥଣ୍ଡା ଯୋଗୁ ପ୍ରାଣ ହରାଇଛନ୍ତି । ଏହି ମହିଳା ଦୀର୍ଘ ୩୫ବର୍ଷ ତଳେ ନିଚ ଜାତିର ଜଣେ ବ୍ୟକ୍ତିଙ୍କୁ ବ୍ୟବହାର କରିଥିଲେ । ଫଳରେ, ତାଙ୍କ ପରିବାର ଲୋକ ତାଙ୍କ ସହିତ ସମ୍ପର୍କ ଛିନ୍ନ କରିଥିଲେ । ଯାହାକୁ ନେଇ ସାତ ଜନମର ସାଥୀ ହେବା ପାଇଁ ସ୍ୱପ୍ନ ଦେଖିଥିଲେ ସେ ମଧ୍ୟ କିଛି ମାସ ପରେ ଯମୁନାଙ୍କୁ ଛାଡି ଅନ୍ୟତ୍ର ଚାଲିଗଲେ । ଏହାପର ଠାରୁ ଯମୁନା ମାନସିକ ଭାରସାମ୍ୟ ହରାଇ ଏତେତେଣେ ବୁଲିବାକୁ ଲାଗିଲେ ।

ଗତ ଦୁଇ ଦିନର ପ୍ରବଳ କଥଣ୍ଡାକୁ ସହ୍ୟ କରିନପାରି ଆଜି ଯମୁନା ଚିରଦିନ ପାଇଁ ଆଖି ବୁଜି ଦେଇଛନ୍ତି । ତେବେ ମୃତ ଯମୁନାଙ୍କ ପରିବାର ଲୋକ ଲୋକ ସାମାଜିକ ବାସନ୍ଦ ଭୟରେ ଶବ ସତ୍କାର କରିବାକୁ ମନା କରି ଦେଇଥିଲେ । ପରେ ପ୍ରଶାସନିକ ଅଧିକାରୀ, ପୁଲିସ, ସ୍ବେଚ୍ଛାସେବୀ ଓ ଗଣମାଧ୍ୟମ ପ୍ରତିନିଧି ଯମୁନାଙ୍କ ଶବ ସତ୍କାର କରିବାକୁ ଅଣ୍ଟା ଭଡିଥିଲେ । ମୃତ ଯମୁନାଙ୍କ ଶବ ପୋତି ଦିଆଯାଇଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଯମୁନାଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ଡାକ୍ତର କହିଛନ୍ତି ।