ଲକଡାଉନ୍ ଭିତରେ ଚୋରା ମଦବେପାର : ଫିଲ୍ମ ପ୍ରଡ୍ୟୁସରଙ୍କ ପୁଅଙ୍କ ସମେତ ୨ ଜଣକୁ ଗିରଫ କଲା ଖଣ୍ଡଗିରି ପୋଲିସ, ଲକ୍ଷାଧିକ ଟଙ୍କାର ଦାମୀ ମଦ ସହ ଦାମୀ ଗାଡି ଜବତ

472

କନକ ବ୍ୟୁରୋ : ଦାମୀକାର ସାମ୍ନାରେ ଲାଗିଥିଲା କୋଭିଡ-୧୯ ପାସ୍ । ରାସ୍ତାରେ ଚେକିଂର ଭୟ ନଥିଲା । ଗୋଟିଏ ଫୋନ୍ କଲ୍ କଲେ ରାଜଧାନୀର ଯେକୌଣସି ସ୍ଥାନରେ ପହଂଚିଯାଉଥିଲା ପେଟି ପେଟି ମଦ । ଲକ୍ ଡାଉନ୍ ସମୟରେ ରାଜଧାନୀରେ ଚାଲିଥିଲା ଏଭଳି ଚୋରରେ ଚାଲିଥିଲା ମଦ କାରବାର । କୁଇକ୍ ଆକ୍ସନ ଟିମ୍ ଦ୍ୱାରା ଏହି ଗ୍ୟାଙ୍ଗର ଦୁଇ ଜଣ ବ୍ୟକ୍ତି ଗିରଫ ହୋଇଛନ୍ତି ।

ସେମାନେ ମଧ୍ୟରୁ ଜଣେ ବରମୁଣ୍ଡା ଅଂଚଳରେ ରହୁଥିବା ଜଣେ ଫିଲ୍ମ ପ୍ରଯୋଜକଙ୍କ ପୁଅ ବୋଲି ଜଣାପଡିଛି । ଏପରିକି ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣେ ଜଣାଶୁଣା ହାସ୍ୟ ଅଭିନେତାଙ୍କ ସହ ମଧ୍ୟ ତାଙ୍କର ସଂପର୍କ ରହିଛି । ଅନ୍ୟ ଜଣକ ତାଙ୍କର ସହଯୋଗୀ ବୋଲି ଜଣାପଡିଛି । ସେମାନଙ୍କ ପାଖରୁ ୯୬ ବୋତଲ ଦାମୀ ବିଦେଶୀ ମଦ ଜବତ ହୋଇଛି । ଏହାର ଆନୁମାନିକ ବଜାର ମୂଲ୍ୟ ଏକ ଲକ୍ଷ ଟଙ୍କା ବୋଲି ସୂଚନା ମିଳିଛି ।

ପୂର୍ବରୁ ମିଳିଥିବା ସୂଚନା ଅନୁସାରେ କୁଏଟି ଟିମ୍ ବରମୁଣ୍ଡା ଅଂଚଳର ରୁଚିକା ମାର୍କେଟରେ ଛକି ରହିଥିଲେ ଏବଂ ଅଭିଯୁକ୍ତ ଜଣକ ତାଙ୍କର ଦାମୀ କାରରେ ସେଠାରେ ପହଂଚିବା ପରେ ତାଙ୍କ ଗାଡି ଯାଂଚ କରିବା ପରେ ଦୁଇ ଜଣଙ୍କୁ ଗିରଫ କରିନେଇଥିଲା । ଖଣ୍ଡଗିରି ଥାନା ପୋଲିସ ସେମାନଙ୍କୁ ପଚରା ଉଚୁରା ପରେ ଆଜି କୋର୍ଟ ହାଜର କରାଯିବ ।