ରାୟଗଡ଼ାର ବିସ୍ମୟ ବାଳକ ବିଭୁନନ୍ଦନ । କଅଁଳ ବୟସରେ ମୁହେଁ ମୁହେଁ ମହାକାଶ ଓ ସୌରମଣ୍ଡଳର କଥା। ବିନା ଶିକ୍ଷକରେ ଗୁଗୁଲ ଓ ୟୁଟ୍ୟୁବ ସର୍ଚ୍ଚ କରି ମହାକାଶ ସମ୍ମନ୍ଧୀୟ ପ୍ରଶ୍ନର ଅନର୍ଗଳ ଉତ୍ତର ଦେଉଛନ୍ତି ୭ ବର୍ଷୀୟ ବାଳକ

538

କନକ ବ୍ୟୁରୋ : ମହାକାଶକୁ ଯିବି ଆଉ ଆଷ୍ଟ୍ରୋନଟ୍ ହେବି । ଭବିଷ୍ୟତରେ ନାସାକୁ ଯାଇ ଗବେଷଣା କରିବି । ଜଣେ ଭଲ ବୈଜ୍ଞାନିକ ହୋଇ ମଙ୍ଗଳ ଗ୍ରହରେ ବୃକ୍ଷରୋପଣ କରିବା ପାଇଁ ଚେଷ୍ଟା କରିବି । ବୟସ କମ୍ , ହେଲେ ଲକ୍ଷ୍ୟ ବହୁତ ବଡ଼ ।

କୁନି ବୟସରେ ଅସାଧାରଣ ଜ୍ଞାନର ଅଧିକାରୀ ରାୟଗଡ଼ାର ବିଭୁନନ୍ଦନ ନାଥ । ତୁଳସୀ ଦୁଇ ପତ୍ରରୁ ବାସେ ପରି ତାଙ୍କ ଠାରେ ବାରି ହୋଇପଡ଼ୁଛି ବିଚକ୍ଷଣତା । ମାତ୍ର ସାତ ବର୍ଷ ବୟସରୁ ମହାକାଶ ଓ ସୌରମଣ୍ଡଳ ସଂକ୍ରାନ୍ତରେ ଅନେକ ଜ୍ଞାନ ଆହରଣ କରିଛନ୍ତି । ତେବେ ସବୁଠାରୁ ବଡ଼ କଥା ହେଲା ବିନା ଶିକ୍ଷକରେ ଗୁଗୁଲ ଓ ୟୁଟ୍ୟୁବ ସର୍ଚ୍ଚ କରି ମହାକାଶ ସମ୍ମନ୍ଧୀୟ ପ୍ରଶ୍ନର ଅନର୍ଗଳ ଉତ୍ତର ରଖୁଛନ୍ତି । ତାଙ୍କର ଏପରି ବିସ୍ମୟ ପ୍ରତିଭା ଦେଖି ପରିବାର ଲୋକ ବି ଆଶ୍ଚର୍ଯ୍ୟାନ୍ୱିତ ।

ମହାକାଶର ସ୍ଥିତି କ’ଣ ? ସୌରମଣ୍ଡର ସୃଷ୍ଟି କିପରି ହୋଇଛି ? ଏପରି ଅନେକ କଷ୍ଟ ପ୍ରଶ୍ନର ଉତ୍ତର ମାତ୍ର କ୍ଷଣିକରେ ଦେଇପାରୁଛନ୍ତି ଏହି ବିସ୍ମୟ ବାଳକ । ରାୟଗଡ଼ା କଲେକ୍ଟର ରୋଡ଼ ସ୍ଥିତି ଗୌରହରୀ ନାଥଙ୍କ ସାତ ବର୍ଷର ପୁଅ ବିଭୁନନ୍ଦନ । ମହାକାଶ ଓ ସୌରମଣ୍ଡଳ ଉପରେ ଅଛି ଗଭୀର ଜ୍ଞାନ । ତେବେ ଏସବୁ ବିଷୟରେ ତାଙ୍କୁ କେହି କହିାହାନ୍ତି କି ପାଠ ମଧ୍ୟ ପଢ଼ାଇ ନାହାନ୍ତି । ଅତି ଅଳ୍ପ ବୟସରୁ ଅନବରତ ଗୁଗଲ ଓ ୟୁଟ୍ୟୁବ ସର୍ଚ୍ଚ କରି ନାସା ତଥା ମହାକାଶ ବିଷୟରେ ଜାଣିପାରିଛନ୍ତି ବିଭୁନନ୍ଦନ  । ତାଙ୍କ ଘରକୁ ଆସୁଥିବା ଟ୍ୟୁସନ୍ ସାରଙ୍କୁ ସେ ଏମିତି ପ୍ରଶ୍ନ କରନ୍ତି, ଯାହାର ଉତ୍ତର ତାଙ୍କ ପାଖରେ ମଧ୍ୟ ନଥାଏ ।

ଏତେ ଛୋଟବେଳେ ଏତେ ଜ୍ଞାନର ଅଧିକାରୀ ସେକଥା ତାଙ୍କ ବାପାମା’ ମଧ୍ୟ ଜାଣିନଥିଲେ । ପ୍ରତ୍ୟେକ ଦିନ ନିଜ ଇଚ୍ଛାରେ ସମୟ ବାହାର କରି ସେ ମୋବାଇଲରେ ମହାକାଶ ସମ୍ମନ୍ଧରେ ସର୍ଚ୍ଚ କରନ୍ତି । ଆଉ ଏହା ତାଙ୍କର ନିତିଦିନିଆ ଅଭ୍ୟାସ । ପୁଅର ଲକ୍ଷ୍ୟ ପୂରଣ କରିବାକୁ ପାରୁପର୍ଯ୍ୟନ୍ତ ଚେଷ୍ଟା କରିବି ବୋଲି କହିଛନ୍ତି ତାଙ୍କ ବାପା । ସେହିପରି ବିଭୁନନ୍ଦନର ସ୍ୱପ୍ନ ସଫଳ ହେଲେ ମୁଁ ଗର୍ବ ଅନୁଭବ କରିବି ବୋଲି ତାଙ୍କ ମା’ କହିଛନ୍ତି ।