ଖୁବଶୀଘ୍ର ଖୋଲିପାରେ ରତ୍ନଭଣ୍ଡାର : ଶ୍ରୀମନ୍ଦିର ପ୍ରଶାସନ ସ୍ତରରେ ବିଚାର ବିମର୍ଷ ଆରମ୍ଭ, ସେବାୟତ କହିଲେ, ସାର୍ବଜନୀନ ହେଉ ରତ୍ନଭଣ୍ଡାର ସଂପତ୍ତି

327

କନକ ବ୍ୟୁରୋ : ଖୁବଶୀଘ୍ର ଖୋଲିପାରେ ଶ୍ରୀମନ୍ଦିର ରତ୍ନଭଣ୍ଡାର । ଏନେଇ ଶ୍ରୀମନ୍ଦିର ପ୍ରଶାସନ ସ୍ତରରେ ବିଚାର ବିମର୍ଷ ଆରମ୍ଭ ହୋଇଛି । ସୁପ୍ରିମକୋର୍ଟଙ୍କ ମଧ୍ୟବର୍ତୀକାଳୀନ ନିର୍ଦ୍ଦେଶ ପରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ସମ୍ଭାବନା ସୃଷ୍ଟି ହୋଇଛି । ଶ୍ରୀମନ୍ଦିର ପରିଚାଳନା କମିଟି ଓ ପ୍ରଶାସନିକ ଅଧିକାରୀଙ୍କ ବୈଠକ ପରେ ଖୁବଶୀଘ୍ର ଏନେଇ ନିଷ୍ପତ୍ତି ନିଆଯିବ । ସେପଟେ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଖୋଲି ମହାପ୍ରଭୁଙ୍କ ସମ୍ପତି ସାର୍ବଜନୀନ କରିବାକୁ ଦାବି କରିଛନ୍ତି ସେବାୟତ ।

ବର୍ଷ ବର୍ଷ ଧରି ରହସ୍ୟ ଘେରରେ ଥିବା ଶ୍ରୀମନ୍ଦିରର ରତ୍ନଭଣ୍ଡାର ଖୋଲିବା ସମ୍ଭାବନା ଦେଖାଦେଇଛି । ସୁପ୍ରିମକୋର୍ଟଙ୍କ ମଧ୍ୟବର୍ତୀକାଳୀନ ନିର୍ଦ୍ଦେଶ ପରେ ଶ୍ରୀମନ୍ଦିର ପ୍ରଶାସନସ୍ତରରେ ବିଚାର ବିମର୍ଷ ଆରମ୍ଭ ହୋଇଯାଇଛି । ଶ୍ରୀମନ୍ଦିର ପରିଚାଳନା କମିଟି ଓ ପ୍ରଶାସନିକ ଅଧିକାରୀଙ୍କ ବୈଠକ ପରେ ଖୁବଶୀଘ୍ର ଏନେଇ ନିଷ୍ପତ୍ତି ନିଆଯିବ ।

୧୯୮୫ ମସିହାରେ ବଳଭଦ୍ରଙ୍କର ଅଳଙ୍କାର ପାଇଁ ଶେଷ ଥର ଭିତର ରତ୍ନଭଣ୍ଡାର ଖୋଲାଯାଇଥିଲା । ତାପରଠାରୁ ଆଉ ରତ୍ନଭଣ୍ଡାର ଖୋଲିନି । ତେବେ ଗତବର୍ଷ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଚାବି ହଜିବା କଥା ସାମନାକୁ ଆସିଥିଲା । ଏହାପରେ ବିବାଦ ଜୋର ଧରିଥିଲା । ୨ ମାସ ପରେ ଜିଲା ରେକର୍ଡ ରୁମ୍ ଷ୍ଟ୍ରଙ୍ଗ ବକ୍ସରୁ ରତ୍ନଭଣ୍ଡାରର ଡୁପ୍ଲିକେଟ୍ ଚାବି ମିଳିଥିଲା । ବଡ କଥା ହେଉଛି ଚାବି ଖୋଜିବାକୁ ୨୨ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ଗୃହରେ ଉତର ରଖିଥିଲେ ରାଜ୍ୟ ସରକାର । ଏବେ ପୁଣି ଚାବିକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସେବାୟତ ।

ଶ୍ରୀମନ୍ଦିର ରତ୍ନଭଣ୍ଡାର ଓ ଏହାର ଚାବିକୁ ନେଇ ବିବାଦ ଭିତରେ ସୁପ୍ରିମକୋର୍ଟଙ୍କ ମଧ୍ୟବର୍ତୀକାଳୀନ ନିର୍ଦ୍ଦେଶ ଆସିଛି । ଆଉ ମନ୍ଦିରର ରତ୍ନଭଣ୍ଡାର ଖୋଲିବା ସମ୍ଭାବନା ଦେଖାଦେଇଛି ।