କାହାକୁ ମିଳିବ ନୂଆ ସରକାରରେ ମନ୍ତ୍ରୀ ପଦ : ଶେଷ ସ୍ପର୍ଶ ଦେବା ପାଇଁ ଚାଲିଛି କସରତ, ନବୀନ ନିବାସ ଆଗରେ ଆଶାୟୀଙ୍କ ଭିଡ

541

କନକ ବ୍ୟୁରୋ : ନବୀନଙ୍କ ନୂଆ ମନ୍ତ୍ରିମଣ୍ଡଳର ରୂପରେଖ ମୋଟାମୋଟି ପ୍ରସ୍ତୁତ ହୋଇଗଲାଣି । ଏଥର ନୂଆ ମନ୍ତ୍ରିମଣ୍ଡଳରେ ଦେଖିବାକୁ ମିଳିବ ନୂଆ ମୁହଁ । ପୁରୁଣା ମନ୍ତ୍ରିମଣ୍ଡଳର ବହୁ କମ୍ ନେତାଙ୍କ ନାମ ନୂଆ ତାଲିକାରେ ସ୍ଥାନ ପାଇଛି । ମନ୍ତ୍ରିମଣ୍ଡଳର ନବକଳେବର ପାଇଁ ଜୋରସୋରରେ ବିଚାର ବିମର୍ଷ ଚାଲିଛି । ବିଜେଡ଼ି ସୁପ୍ରିମୋ କାହାକୁ ସୁଯୋଗ ଦେବେ ସେନେଇ ଆଶାୟୀ ନେତାମାନେ ଚାହିଁ ବସିଛନ୍ତି ।

କାହାକୁ ମିଳିବ ନବୀନଙ୍କ ନୂଆ ସରକାରରେ ମନ୍ତ୍ରୀ ପଦ ? ବିଜେଡିର ସର୍ବୋଚ୍ଚ କ୍ଷମତା କେନ୍ଦ୍ର ନବୀନ ନିବାସ ଆଗରେ ଏଥିପାଇଁ ଗହଳିଚହଳି । ବଢିବାରେ ଲାଗିଛି ଆଶାୟୀଙ୍କ ଭିଡ଼ । ସେପଟେ ମିଳିଥିବା ସୂଚନା ଅନୁସାରେ ୩୦ ଜଣ ସମ୍ଭାବୀ ମନ୍ତ୍ରୀଙ୍କ ତାଲିକା ପ୍ରସ୍ତୁତ ହୋଇଛି । ପଂଚମ ଥର ପାଇଁ ବିଜେଡି ସରକାର ଗଢିବାକୁ ଯାଉଥିବାରୁ ଏକ ନୂଆ ଟିମ ସହ ନବୀନ ସାମନାକୁ ଆସିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ୨୧ ଜଣ ମନ୍ତ୍ରୀ ତାଲିକାରେ ଶେଷ ସ୍ପର୍ଶ ଦେବା ପାଇଁ ଚାଲିଛି କସରତ । ଲୋକେସଭା ପ୍ରାର୍ଥୀ ଚୟନ ବେଳେ ୩୩ ପ୍ରତିଶତ ମହିଳାଙ୍କୁ ଅଗ୍ରାଧିକାର ଦେଇଥିଲେ ନବୀନ । ତେଣୁ ମନ୍ତ୍ରିମଣ୍ଡଳରେ ଅଧିକ ମହିଳାଙ୍କୁ ସ୍ଥାନ ମିଳିବାକୁ ଏଡାଇ ଦେଇ ହେବ ନାହିଁ । ବରିଷ୍ଠତା ଭିତରେ କାହାକୁ ମିଳିବ ବାଚସ୍ପତି ପଦ ତାହା ଉପରେ ବି ନଜର ରହିବ ।

ପୂରା ନବକଳେବର ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଞ୍ଚମ ଥର ସରକାର ଗଠନ କରିବା ଲାଗି ଯୋଜନା କରିଛନ୍ତି । ଆଉ ଏଥିପାଇଁ ନେତାମାନଙ୍କ ସଂପର୍କରେ ଗୁଇନ୍ଦା ତଥ୍ୟ ସଂଗ୍ରହ ଆରମ୍ଭ ହାଇଛି । ନିର୍ଦ୍ଦିଷ୍ଟ କିଛି ଅପରାଧରେ ସାମିଲ ଅଛନ୍ତି କି ନାହିଁ, ସେ ସଂକ୍ରାନ୍ତ ରିପୋର୍ଟ ସଂଗ୍ରହ ଚାଲିଛି। ଆଜି ମଧ୍ୟାହ୍ନ ସୁଦ୍ଧା ତାଲିକାକୁ ଚୂଡାନ୍ତ ସ୍ପର୍ଶ ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୨୧ଟି ଆସନ ପୂରଣ କରାଯିବ ନା ଗୋଟେ ଦୁଇଟି ଖାଲି ରଖାଯିବ ତାହା ମଧ୍ୟ ଆଜି ସନ୍ଧ୍ୟା ସୁଦ୍ଧା ସ୍ପଷ୍ଟ ହୋଇଯିବ ।