କିଏ ସମ୍ଭାଳିବ ଉତ୍ତରପ୍ରଦେଶର ଶାସନଭାର ? ନିଷ୍ପତି ପାଇଁ ଅମିତ ଶାହଙ୍କୁ ଦାୟିତ୍ୱ ଦେଲା ବିଜେପି ସଂସଦୀୟ ବୋର୍ଡ

21

କନକ ବ୍ୟୁରୋ : ଦିଲ୍ଲୀରେ ବିଜେପି ସଂସଦୀୟ ବୋର୍ଡର ବୈଠକ ହେବା ସହ କିଏ ସମ୍ଭାଳିବ ଉତ୍ତରପ୍ରଦେଶ ଶାସନଭାର ? ଏଥିପାଇଁ ପର୍ଯ୍ୟବେକ୍ଷକ ଭାବେ ଭେଙ୍କିଆ ନାଇଡୁ ଓ ଭୁପେନ୍ଦ୍ର ଯାଦବଙ୍କୁ ଦାୟିତ୍ୱ ଦିଆଯାଇଛି । ଏହାଛଡା ଏହି ବୈଠକରେ ଆସନ୍ତା ୧୬ ତାରିଖରେ ରାଜ୍ୟ ବିଧାୟକ ଦଳ ବୈଠକରେ ନୂଆ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା କରାଯିବ ବୋଲି ନିଷ୍ପତି ନିଆଯାଇଛି ।

ଏହି ନାଁ ବାଛିବାର ଦାୟିତ୍ୱ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କୁ ଦେଇଛି ସଂସଦୀୟ ବୋର୍ଡ । ଅନ୍ୟ ନେତାଙ୍କ ସହ ଆଲୋଚନା କରି ଅମିତ ଶାହ ମୁଖ୍ୟମନ୍ତ୍ରୀ କିଏ ହେବ ତାହା ବାଛିବେ ବୋଲି କୁହାଯାଇଛି । ତେବେ ଏହି ନାଁକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ସ୍ୱୀକୃତି ପରେ ଘୋଷଣା କରାଯିବ ବୋଲି ମଧ୍ୟ ନିଷ୍ପତି ନିଆଯାଇଛି ।

ଉତ୍ତରପ୍ରଦେଶର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବ ସେନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ କେନ୍ଦ୍ର ମନ୍ତ୍ରୀ ରାଜନାଥ ସିଂ ଓ ବିଜେପି ରାଜ୍ୟ ସଭାପତି କେଶବ ପ୍ରସାଦ ମୌର୍ଯ୍ୟଙ୍କ ନାଁ ସବୁଠୁ ଆଗରେ ରହିଛି । ଅନ୍ୟପଟେ ସଂସଦୀୟ ବୋର୍ଡ ବୈଠକ ପରେ କେନ୍ଦ୍ର ମନ୍ତ୍ରୀ ରାଜନାଥ ସିଂଙ୍କ ବାସଭବନକୁ ଯାଇ ଅମିତ ଶାହ ତାଙ୍କ ସହ ଦୀର୍ଘ ସମୟ ଆଲୋଚନା କରିଛନ୍ତି । ତେବେ ଆଲୋଚନା ପ୍ରସଙ୍ଗ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ ।