ମୋଦିଙ୍କ ନୂଆ ମନ୍ତ୍ରୀମଣ୍ଡଳରେ କାହାକୁ ମିଳିବ ସୁଯୋଗ, କିଏ ବାଦ ପଡିବ ? ଏବେ ବି ସସପେନ୍ସ ଜାରି, ଆଜି ଉଠିବ ପରଦା

956

କନକ ବ୍ୟୁରୋ : ମୋଦିଙ୍କ ନୂଆ ମନ୍ତ୍ରୀମଣ୍ଡଳରେ  କାହାକୁ ମିଳିବ ସୁଯୋଗ । ବାଦ୍ ପଡିବ କିଏ, ତାହା ଏବେ ଆଲୋଚନାର ବିଷୟ ପାଲଟିଛି । ଏହା ଉପରୁ ସସପେନ୍ସ ଉଠିନଥିବା ବେଳେ ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଏବଂ ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ମନ୍ତ୍ରୀ ପଦରେ ନରହିବାର ସମ୍ଭାବନା ଅଛି । ଦୀର୍ଘ ଦିନ ଧରି ସ୍ୱାସ୍ଥ୍ୟଗତ ସମସ୍ୟା ଦେଇ ଗତି କରୁଥିବା ଜେଟଲୀ, ମନ୍ତ୍ରୀ ପଦରେ ନରହିବାକୁ ମୋଦିଙ୍କୁ ଚିଠି ଲେଖିଛନ୍ତି । ସ୍ୱାସ୍ଥ୍ୟଗତ ସମସ୍ୟା କାରଣରୁ ତାଙ୍କୁ ମନ୍ତ୍ରୀ ପଦ ନଦେବା ପାଇଁ ଚିନ୍ତା କରାଯାଉ ବୋଲି ଜେଟଲୀ ଏହି ଚିଠିରେ ଲେଖିଛନ୍ତି । ତେବେ ଅରୁଣ ଜେଟଲୀଙ୍କ ସ୍ଥାନରେ ଅର୍ଥ ମନ୍ତ୍ରୀ ଦାୟିତ୍ୱ କାହାକୁ ମିଳିବ ସେ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।

ଔପଚାରିକ ଭାବେ ଅନୁରୋଧ କରିବା ପାଇଁ ଏହି ଚିଠି ଲେଖୁଥିବା ଜେଟଲୀ ଉଲ୍ଲେଖ କରିଛନ୍ତି । ଏସବୁ ସତ୍ୱେ ତାଙ୍କୁ ବୁଝାଇବାକୁ ଖୋଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଘରେ ରୁଦ୍ଧ ଦ୍ୱାର ବୈଠକ କରିଛନ୍ତି । ସେହିପରି ବିଜେପି ଅଧ୍ୟକ୍ଷ ଅମିତ ଶାହା ମଧ୍ୟ ମନ୍ତ୍ରୀ ପଦ ପାଇବେ ବୋଲି ଚର୍ଚ୍ଚା ହେଉଛି । ଏନଡିଏ ମେଂଟ ସହଯୋଗୀ ଜେଡିୟୁ, ଅକାଳି ଦଳ, ଶିବସେନା ଏବଂ ଏଲଜେପିକୁ ଗୁରୁତ୍ୱପୂର୍ଣ୍ଣ ବିଭାଗ ମିଳିବ କୁହାଯାଉଛି । ଜେଡିୟୁ ଓ ଶିବସେନାକୁ ୨ଟି ଲେଖାଏଁ ମନ୍ତ୍ରୀ ପଦ ମିଳିବ ବୋଲି ଚର୍ଚା ହେଉଛି । ସେହିପରି ଉତର ପ୍ରଦେଶରେ ଆପନା ଦଳର ମୁଖ୍ୟ ଅନୁପ୍ରିୟା ପଟେଲଙ୍କୁ ମୋଦି କ୍ୟାବିନେଟରେ ସୁଯୋଗ ମିଳିପାରେ ।

ପଶ୍ଚିମବଙ୍ଗରେ ବିଜେପିର ଭଲ ପ୍ରଦର୍ଶନ ଯୋଗୁଁ ମନ୍ତ୍ରୀମଣ୍ଡଳରେ କିଛି ରାଜ୍ୟକୁ ମଧ୍ୟ ଗୁରୁତ୍ୱ ଦିଆଯାଇପାରେ । କେନ୍ଦ୍ରମନ୍ତ୍ରୀ ରାଧାମୋହନ ସିଂହଙ୍କୁ ମନ୍ତ୍ରୀମଣ୍ଡଳରେ ଏଥର ସୁଯୋଗ ମିଳିନପାରେ । ଓଡିଶାରୁ ୩ ଜଣ ସାଂସଦଙ୍କୁ ମୋଦିଙ୍କ କ୍ୟାବିନେଟରେ ସୁଯୋଗ ମିଳିବା ନେଇ ଆକଳନ କରାଯାଉଛି । ତେବେ ସୂଚନା ଅନୁସାରେ ମୋଦିଙ୍କ ମନ୍ତ୍ରୀମଣ୍ଡଳରେ ମୋଟ୍ ୬୫ ଜଣ ସଦସ୍ୟ ରହିବେ । ନୂଆ ବିଜେପି ସାଂସଦଙ୍କ ମଧ୍ୟରୁ ୪୦ ପ୍ରତିଶତ ସଦସ୍ୟଙ୍କୁ ମୋଦିଙ୍କ ଟିମରେ ସୁଯୋଗ ମିଳିବ ବୋଲି କୁହାଯାଉଛି ।