କନକ ବ୍ୟୁରୋ : କିଏ ହେବ ଭାରତର ପରବର୍ତ୍ତୀ ରାଷ୍ଟ୍ରପତି ? ୫ଟି ରାଜ୍ୟର ନିର୍ବାଚନ ଫଳାଫଳ ପରେ ଏବେ ରାଜନୈତିକ ମହଲରେ ଏ ଚର୍ଚ୍ଚା । ସମସ୍ତଙ୍କୁ ଚକିତ କରି ବିଜେପି ଯେମତି ଯୋଗୀ ଆଦିତ୍ୟନାଥଙ୍କୁ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ କଲା ସେମିତି କିଛି ନିଷ୍ପତି ରାଷ୍ଟ୍ରପତି ନିର୍ବାଚନରେ ମଧ୍ୟ ନେଇପାରେ । ବିଜେପି ଭେଟେରାନ୍ ଲାଲାକ୍ରୀଷ୍ଣ ଆଡଭାନୀ, ମୁରଲୀ ମନୋହର ଯୋଶୀ ପ୍ରମୁଖଙ୍କ ନାଁ ତ ଶୁଣାଯାଉଛି । କିନ୍ତୁ ଦଳ, ମହିଳା, ଦଳିତ କିମ୍ବା ଆଦିବାସୀ କାର୍ଡ ଯେ ନ ଖେଳିବ ସେକଥା ବି କୁହାଯାଇପାରିବ ନାହିଁ । ଆଉ ଏ ପରିସ୍ଥିତିରେ ଜାତୀୟ ଗଣମାଧ୍ୟମରେ ପୁଣି ଦ୍ରୌପଦୀ ମୁର୍ମୁଙ୍କୁ ନେଇ ଚର୍ଚ୍ଚା ବଢିଛି ।
ସାନ୍ତାଳ ସଂପ୍ରଦାୟର ଆଦିବାସୀ ମହିଳା ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି କରି ଗୋଟିଏ ଗୁଳିରେ ତିନିଟି ଶିକାର କରିପାରେ ବିଜେପି । ଏକରେ ମହିଳା କାର୍ଡ, ଦୁଇରେ ଆଜି ଯାଏଁ କେହି ଆଦିବାସୀ ରାଷ୍ଟ୍ରପତି ହୋଇନାହାଁନ୍ତି । ତିନିରେ ଓଡିଶା ଦଖଲ ଚେଷ୍ଟାରେ ଆଉ ପାଦେ ଆଗେଇବା । ତିନିଥର ବିଧାୟିକା, ଥରେ ମନ୍ତ୍ରୀ ଓ ବର୍ତ୍ତମାନ ଝାଡଖଣ୍ଡ ରାଜ୍ୟପାଳ ଥିବା ଦ୍ରୌପଦୀ ମୁର୍ମୁଙ୍କୁ ଏଥିପାଇଁ ରାଷ୍ଟ୍ରପତି ନିର୍ବାଚନରେ ଡାର୍କହର୍ସ ମନେ କରାଯାଉଛି ।
ଏହାଛଡା ବାଚସ୍ପତି ସୁମିତ୍ରା ମହାଜନ, ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ, ସହର ବିକାଶ ମନ୍ତ୍ରୀ ଭେଙ୍କେୟା ନାଇଡୁ, ସାମାଜିକ ନ୍ୟାୟ ବିଭାଗ ମନ୍ତ୍ରୀ ଥୱର ଚାନ୍ଦ୍ ଗେହଲଟ୍, ପୂର୍ବତନ ମନ୍ତ୍ରୀ ରାମ ନାଏକ ମଧ୍ୟ ବିଜେପିର ରାଷ୍ଟ୍ରପତି ପ୍ରାର୍ଥୀ ଦୌଡରେ ଅଛନ୍ତି । ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ମଣିପୁର ଓ ଗୋଆରେ ବିଜେପି ସରକାର ଗଠନ କରିବା ପରେ ଦଳ ନିଜର ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ, ଅନ୍ୟ ଦଳର ବିନା ସହଯୋଗରେ ବିଜୟୀ କରିବା ସ୍ଥିତିକୁ ଆସିଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/03/nn-1.jpg)