ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଚେତାବନୀ ବଢ଼ାଇଲା ଚିନ୍ତା :କରୋନା ନେଇ ବିଶ୍ୱରେ ଅବସ୍ଥା ଆହୁରି ଖରାପ ହୋଇପାରେ କହିଲା ଡବ୍ଲୁଏଚଓ, ସତର୍କ ରହିବାକୁ ଦେଲା ପରାମର୍ଶ

866

କନକ ବ୍ୟୁରୋ : ବିଶ୍ୱରେ କରୋନାର ପ୍ରଭାବ ଜାରି ରହିଥିବା ବେଳେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ଡବ୍ଲୁଏଚଓ)ର ତାଜା ତଥ୍ୟ ଅଧିକ ଚିନ୍ତା ଆଣିଛି । ଡବ୍ଲୁଏଚଓ କହିଛି ଯେ, କରୋନା ନେଇ ବିଶ୍ୱରେ ଅବସ୍ଥା ଆହୁରି ଖରାପ ହୋଇପାରେ । ଏଥିପାଇଁ ପ୍ରସ୍ତୁତ ରହିବାକୁ କହିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ବିଶ୍ୱର ପ୍ରାୟ ୨୧୦ଟି ଦେଶକୁ କରୋନା ବ୍ୟାପୀ ସାରିଥିବା ବେଳେ ୨୪ ଲକ୍ଷ ୪୪ ହଜାରରୁୁ ଅଧିକ ଆକ୍ରାନ୍ତ ହୋଇ ସାରିଲେଣି ।

ଏକ ଲକ୍ଷ ୬୮ ହଜାରରୁ ଅଧିକ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ୬ ଲକ୍ଷ ୪୦ ହଜାର ସୁସ୍ଥ ହୋଇଛନ୍ତି । ଚୀନର ଉହାନ ସହରରୁ ଆରମ୍ଭ ହୋଇଥିବା କରୋନା ଉଭୟ ଜୀବନ ଓ ଜୀବୀକା ଉପରେ ନିଷ୍ଠୁର ପ୍ରହାର କରିଚାଲିଛି । ଇଟାଲୀ, ସ୍ପେନ୍‌, ଆମେରିକା, ଫ୍ରାନ୍ସ, ଇଂଲଣ୍ଡ ପରି ଦେଶରେ କରୋନା ମୃତ୍ୟୁ ଜନିତ ସଂଖ୍ୟା ଅଧିକ ରହିଛି ।