କରୋନାକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ନୂଆ ଚେତାବନୀ : ଲମ୍ବା ସମୟ ଯାଏଁ ଆମ ସହ ରହିବ ମାରାତ୍ମକ ଭୂତାଣୁ, ଶୀଘ୍ର ବୈଶ୍ୱିକ ଗସ୍ତ କଟକଣା ନହଟାଇବା ଦେଲେ ପରାମର୍ଶ

1,071

କନକ ବ୍ୟୁରୋ : କରୋନା ଭୂତାଣୁ ମାନବ ସମାଜ ସହ ଲମ୍ବା ସମୟ ଯାଏଁ ରହିବ । ମହାମାରୀ କରୋନାକୁ ନେଇ ଏହି ଚେତାବନୀ ଦେଇଛି ବିଶ୍ୱ ସ୍ୱାସ୍ଥ୍ ସଂଗଠନ । କରୋନା ଭୁତାଣୁକୁ ନେଇ ବପଦଜନକ ଟ୍ରେଣ୍ଡ ଦେଖିବାକୁ ମିଳୁଥିବା ବେଳେ କିଛି ଦେଶରେ ମହାମାରୀ ସଂକ୍ରମଣ ପ୍ରଥମ ପର୍ଯ୍ୟାୟରେ ରହିଛି । ଆଫ୍ରିକା, ମଧ୍ୟ ଆମେରିକା ଓ ଦକ୍ଷିଣ ଆମେରିକାରେ କରୋନା ସଂକ୍ରମଣର ବିପଦଜନକ ଟ୍ରେଣ୍ଡ ଦେଖିବାକୁ ମିଳୁଛି । ତେଣୁ ଶୀଘ୍ର ଗ୍ଲୋବାଲ ଟ୍ରାଭେଲ ବା ଗୋଟିଏ ଦେଶରୁ ଅନ୍ୟ ଦେଶକୁ ଯାତ୍ରା କଟକଣା ନହଟାଇବା ପାଇଁ ସାରା ଦୁନିଆକୁ ସତର୍କ କରିଦେଇଛି ଡବ୍ଲୁଏଚଓ ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମହାନିର୍ଦ୍ଦେଶକ ଟେଡ୍ରୋସ ଏ. ଗେବ୍ରେୟସସ୍ ଗଣମାଧ୍ୟମକୁ କହିଛନ୍ତି କେତେକ ଦେଶରେ ମହାମାରୀ କରୋନାର ସଂକ୍ରମଣ ପ୍ରଥମ ପର୍ଯ୍ୟାୟରେ ରହିଛି । ସେହିପରି ଯେଉଁଠୁ କରୋନା ଆରମ୍ଭ ହୋଇଥିଲା, ସେଠାରେ ପୁଣିଥରେ ସଂକ୍ରମଣର ନୂଆ ମାମଲା ସାମ୍ନାକୁ ଆସିଛି । ଆମକୁ ବହୁତ ଆଗକୁ ଯିବାର ଅଛି, ତେଣୁ ଏହା ସୁନିଶ୍ଚିତ କରିବାକୁ ପଡିବ ଯେପରି କୌଣସି ଭୁଲ ନହୋଇଯାଏ । ଏହି ମାରାତ୍ମକ ଭୁତାଣୁ ଆମ ସହ ଲମ୍ବା ସମୟ ଧରି ରହିବ ବୋଲି କହିଛନ୍ତି ଏ.ଗେବ୍ରେୟସସ୍ । ସେପଟେ ଡବ୍ଲୁଏଚଓର ଜରୁରୀକାଳିନ ପରିସ୍ଥିତି ବିଭାଗର ବିଶେଷଜ୍ଞ ଡ.ମାଇକ ରାୟନ କହିଛନ୍ତି ବୈଶ୍ୱିକ ଗସ୍ତ କଟକଣା ହଟାଇବା ନେଇ ତରବର ହେବା ଅନୁଚିତ ।