ଝିଅ ଜନ୍ମ କରିବା କ’ଣ ପାପ? ଆଉ କେତେ ନିର୍ଭୟା, କେତେ ପ୍ରିୟଙ୍କା ଆଉ ଅତ୍ୟାଚାରିତ ହେବେ ? ଜବାବ ଦେବ କିଏ . . . 

942

ଜନସଂଖ୍ୟା ବଢ଼ୁଛନ୍ତି, ଆଉ ନିର୍ଭୟା ସଂଖ୍ୟା ବି ବଢ଼ୁଛନ୍ତି । ବିକାଶର ଗତି ସିିନା ମନ୍ଥର ହେବାରେ ଲାଗିଛି ହେଲେ ଦିନକୁ ଦିନ ନିର୍ଭୟା ସଂଖ୍ୟା ବଢ଼ିବାରେ ଲାଗିଛି । ସତ କି ନୁହଁ । ଆପଣ ବିଚାର କରନ୍ତୁ । ଦିଲ୍ଲୀ ନିର୍ଭୟା ଗଣଦୁଷ୍କର୍ମ ପରେ ନିର୍ଭୟାମାନଙ୍କ ପ୍ରତି ଅତ୍ୟାଚାର ବଢ଼ିବାରେ ଲାଗିଛି । ଏକଥା ଆମେ ନୁହେଁ ଆପଣ ଅନୁଭବ କରୁଥିବେ ନିଶ୍ଚୟ ।

‘ବିନାଶ୍ରୟେ ନବଢ଼ନ୍ତି କବିତା ବନିତା ଲତା’ । ମଧ୍ୟଯୁଗୀୟ ଏହି ଉକ୍ତିଟିକୁ ବିରୋଧ କରି ଆମେ ଗଳାଫଟାଇ ଯେତେ ଚିତ୍କାର କଲେ ବି ସମାଜର ବିଚାରଧାରାରେ ପରିବର୍ତ୍ତନ ହେଉନି । ଆଜିବି ମା, ଝିଅ, ଭଉଣୀ ଘରୁ ପାଦ କାଢ଼ିଲେ ପରିବାର ଲୋକ ଚିନ୍ତାରେ ଦିନ କାଟୁଛନ୍ତି । ଝିଅ କେତେବେଳେ ଘରେ ପହଞ୍ଚିବ, ଏତେ ବିଳମ୍ବ କାହଁକି ହେଲା . . ଇତ୍ୟାଦି ଇତ୍ୟାତି ଅନେକ ଚିନ୍ତା ।  

ପୁରଷଙ୍କ କାନ୍ଧକୁ କାନ୍ଧ ମିଳାଇ ମହିଳାମାନେ ଚାକିରି କରିବା ସହ ଘର ସମ୍ଭାଳିଲେ ବି କିଛି କେଉଁଠି କିଛି କମି ରହିଯାଉଛି । ଯେଉଁଥିପାଇଁ ସ୍ୱାଧୀନ ଭାରତରେ ନାରୀ ଆଜି ବି ପରାଧୀନ, ଅସୁରକ୍ଷିତ । ରକ୍ଷକ ଭକ୍ଷକ ସାଜିଛି। ମହିଳା ସମାଜ ଅସୁରକ୍ଷିତ ଭାବେ ଗତି କରୁଛନ୍ତି ।ରାତି କଥା ଛାଡ଼ନ୍ତୁ ଦିନରେ ବି ଗୋଡ଼ କାଢ଼ିବା ଗୋଟିଏ ଝିଅ ପାଇଁ ବେଶ ବିପଦପୂର୍ଣ୍ଣ । ତେବେ ଏଥିପାଇଁ କେତେବେଳେ କିଏ ସମାଜକୁ ଦୋଷ ଦେଉଛି ତ ପୁଣି କିଏ ନାରୀମାଂସ ଲୋଭୀ ମଣିଷକୁ ଆଉ ପୁଣି କିଏ ନାରୀ ସମାଜକୁ । କମିବା ବଦଳରେ ବିଭିନ୍ନ ସମୟରେ ନାରୀ ନିର୍ଯାତନା, ଯୌତୁକ ଜନିତ ହତ୍ୟା, ଦୁଷ୍କର୍ମ , ଗଣଦୁଷ୍କର୍ମ ସଂଖ୍ୟା ବୃଦ୍ଧିି ପାଇବାରେ ଲାଗିଛି ।

ତେବେ ସବୁଠାରୁ ବଡ଼ କଥା ହେଲେ ଆଜିକାଲି ଦୁଷ୍କର୍ମ ନୁହେଁ ତ ଗଣଦୁଷ୍କର୍ମ ହେଉଛି । ଯେପରି ଗୋଟିଏ ଟ୍ରେଣ୍ଡ ଚାଲିଛି । ନାରୀ ମାଂସଲୋଭୀ ଅମଣିଷମାନେ ଝୁଣି ଝୁଣି ମା’କୁ ରକ୍ତାକ୍ତ କରିଦେଉଛନ୍ତି । ପୂର୍ଜା ପାର୍ବଣରେ ମା’ ପାଖରେ ଶରଣ ପଶୁଥିବା ମଣିଷଟି ହଠାତ ଆଖି ସାମ୍ନାରେ ଏକୁଟିଆ ଝଅଟିକୁ ପାଇ ଅମଣିଷ ପାଲଟିଯାଉଛି କାହିଁକି ? ଆଉ ଏଇଥିପାଇଁ ବୋଧେ ଦିନକୁ ଦିନ କନ୍ୟା ଭ୍ରୁଣ ହତ୍ୟା ବୃଦ୍ଧି ପାଉଛି । ପିଲାଟିଏ ପେଟରେ ରହିଲେ ବାପାମା’ଙ୍କର ପ୍ରଥମ ଚିନ୍ତା ଝିଅଟଏ ହେବନି ତ । ହେଲେ ଏଥିରେ ଆପଣ ଭାବନ୍ତୁନି ଯେ ଝିଅକୁ ଜାନିଯୌତୁକ ଦେଇ ବିଦା କରିବାକୁ ପଡ଼ିବ ବୋଲି ବପାମା’ ଚିନ୍ତିତ । ବରଂ ସେମାନଙ୍କର ସବୁଠାରୁ ବଡ଼ ଚିନ୍ତା ଝିଅଟିକୁ କିପରି ସୁରକ୍ଷା ଦେବେ ?

ନିର୍ଭୟା, କାଠୁଆ , ଉନ୍ନାଉ ଆଉ ଏବେ ଏହି କର୍ଦ୍ଦମାକ୍ତ ଫର୍ଦ୍ଦରେ ଯୋଡ଼ି ହୋଇଗଲା ଆଉ ଏକ ଗଣଦୁଷ୍କର୍ମ ମାମଲା । ହାଇଦ୍ରାବାଦରେ ଜଣେ ମହିଳା ପଶୁ ଡାକ୍ତର ପ୍ରିୟଙ୍କା ରେଡ୍ଡିିଙ୍କୁ କିଛି ନରପିଶାଚ ଗଣଦୁଷ୍କର୍ମ କରି ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି  । ତେବେ ପ୍ରତିଥର ପରି ଏଥର ବି ପ୍ରିୟଙ୍କାଙ୍କୁ ନ୍ୟାୟ ଦେବାପାଇଁ ବାହାରିଛନ୍ତି ଅନେକ ଲୋକ । ହେଲେ ସତରେ କ’ଣ ପ୍ରିୟଙ୍କାଙ୍କୁ ନ୍ୟାୟ ମିଳିବ ।

ଗଣଦୁଷ୍କର୍ମ ମାମଲା ସାମ୍ନାକୁ ଆସିବା ପରେ ସମସ୍ତଙ୍କ ରକ୍ତ ଗରମ ହୋଇଯାଏ । ଦୋଷୀକୁ ଦଣ୍ଡ ଦେବାପାଇଁ କ୍ୟାଣ୍ଡେଲ ରାଲି ଚାଲେ, ନୀରବ ପ୍ରତିବାଦ, ଆଉ କେବେକେବେ ହିଂସା । ହେଲେ କିଛି ଦିନ ପରେ ସବୁ ଥମିଯାଏ । ଟକ୍ ଟକ୍ ଫୁଟୁଥିବା ରକ୍ତ ଶୀଳତ ପଡ଼ିଯାଏ । ଏଥର ବି ସେପରି ହେବନି ତ ?

ଭାରତ ଏକ ଶାନ୍ତିପ୍ରିୟ ଦେଶ ଭାବେ ସାରା ବିଶ୍ୱରେ ଖ୍ୟାତି ଅର୍ଜନ କରିଛି। ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ଏଠାରେ ସବୁ ଧର୍ମ ଓ ସବୁ ବର୍ଗକୁ ସମାନ ଅଧିକାର ଦିଆଯାଏ। ଯେଉଁଠି ଜନ୍ମ ନେଇ ମହାତ୍ମାଗାନ୍ଧୀ ଓ ବିବେକାନନ୍ଦ ଭଳି ମହାପୁରୁଷ ସାରା ବିଶ୍ୱ ପାଇଁ ଶାନ୍ତିର ବାର୍ତ୍ତା ବାଣ୍ଟିଛନ୍ତି । ଯେଉଁଠି ନାରୀମାନଙ୍କୁ ଦେବୀ ରୂପରେ ସମ୍ମାନ ଦିଆଯାଇଥାଏ। ହେଲେ ଏବେ ଆମ ଦେଶରେ ନାରୀ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି। ଆଜି ବି ନିଜ ଜୀବନ ପାଇଁ ସଂଘର୍ଷ କରୁଛି ନାରୀ । ଆଉ ଆଜି ବି ନିଜ ଅଧିକାର ପାଇଁ ସଂର୍ଘଷରତ ନାରୀ । ଯେଉଁ ଦେଶକୁ ଆମେ ମା’ ବୋଲି ସମ୍ବୋଧନ କରୁଛେ ସେହି ମା’ କୋଳରେ , ସେହି ମାଟିରେ ନିଜର ଅସ୍ତିତ୍ୱ ଖୋଜୁଛି ରାଜରାସ୍ତାରେ ହେଉ ବା କୌଣସି ଗଳିକନ୍ଦି ।

ନିର୍ଭୟରେ ଯିବାର ଅଧିକାର ଯେମିତି ମହିଳାଙ୍କର ନାହିଁ । କାରଣ କେଉଁଠି କେଉଁସ୍ଥାନରେ ନରରୂପି ରାକ୍ଷାସ ଚାଲିଆସିବେ କହି ହେବ ନାହିଁ । ଏପରିକି ଆପଣ ଗଣମାଧ୍ୟମରେ ପଢିଥିବେ ଘରୁ ବାଡିକୁ ଯିବା ମଧ୍ୟରେ କେହି ଦୁର୍ବୃତ୍ତ ଆସି ଝିଅକୁ ଅପହରଣ କରିନେଇଥିବା ବା ଦୁଷ୍କର୍ମ ଉଦ୍ୟମ କରିଥିବ । ଅଲୋଡା ଶିଶୁ କନ୍ୟା’ ଏହି ହେଡଲାଇନରେ ଅନେକ ଥର ଅନେକ ସ୍ଥାନରେ ଆପଣ ମାନେ ଖବର ପଢିଥିବେ । କେଉଁଠି କନ୍ୟା ଭୃଣ ହତ୍ୟା କରାଯାଉଛି ତ କେଉଁଠି ଜନ୍ମ ପରେ ପରିତ୍ୟକ୍ତ ଅବସ୍ଥାରେ ଫିଙ୍ଗି ଦିଆଯାଉଛି । ମହିଳା ଏବଂ ପୁରୁଷ ସମାନ କାମ କଲେ ମଧ୍ୟ ଦରମା ସମାନ ମିଳିନଥାଏ । ସବୁଠି ଭେଦଭାବର ଶିକାର ହୁଏ ମହିଳା ।

 ତେବେ ଏଠାରେ ପ୍ରଶ୍ନ ଉଠୁଛି ଦେଶରେ ଏପରି ମାମଲା ବଢ଼ୁଛି କାହଁକି ? ଦୋଷୀଙ୍କୁ ଦଣ୍ଡବିଧାନରେ କିଛି ଅବହେଳା ହେଉଛି କି ? କିଏ ଦେବ ଜବାବ । ସାଧାରଣ ଜନତା, ସରକାର, ନା ସେହି ନାରୀମାଂସଲୋଭୀ ପିଶାଚ ?