ଜମାକାରୀଙ୍କୁ ଆଶ୍ୱାସନା ଦେଲା ସାହାରା : ଲୋକଙ୍କୁ ବିଭ୍ରାନ୍ତ କରୁଛନ୍ତି କିଛି ବିତାଡିତ ଏଜେଣ୍ଟ, ସମୟ ଲାଗୁଛି ହେଲେ ସୁରକ୍ଷତି ଅଛି ଲୋକଙ୍କ ଟଙ୍କା

4,190

କନକ ବ୍ୟୁରୋ : କେବେ ଟଙ୍କା ଫେରିପାଇବେ ସାହାରା କମ୍ପାନୀରେ ଟଙ୍କା ଜମା କରିଥିବା ଜମାକାରୀ ? ଏନେଇ ଆନ୍ଦୋଳନ ପ୍ରତିବାଦ ଆରମ୍ଭ ହୋଇଥିବା ବେଳେ ସାହାରା କମ୍ପାନୀ ପକ୍ଷରୁ ଆଜି ଆସିଛି ସ୍ପଷ୍ଟୀକରଣ । ଯେଉଁଥିରେ କୁହାଯାଇଛି ସାହାରା-ସେବୀ ଖାତାରେ ଟଙ୍କା ଜମା ରହିଛି । କୋର୍ଟଙ୍କ ପ୍ରତିବନ୍ଧ ଯୋଗୁଁ ଜମାକାରୀଙ୍କୁ ଟଙ୍କା ମିଳିବାରେ ବିଳମ୍ବ ହେଉଛି । ଖୁବଶୀଘ୍ର ଏହି ଟଙ୍କା ମିଳିଯିବ ବୋଲି ଏହି ସ୍ପଷ୍ଟୀକରଣରେ କୁହାଯାଇଛି । ତେବେ କମ୍ପାନୀରୁ ବାହାର କରାଯାଇଥିବା କିଛି ଏଜେଂଟ ଅପପ୍ରଚାର କରୁଛନ୍ତି ବୋଲି ଏଥିରେ କୁହାଯାଇଛି ।

ସାହାରାରେ ଟଙ୍କା ଜମା କରିଥିବା ଜମାକାରୀ ଟଙ୍କା ଫେରି ନପାଇବା ସମ୍ପର୍କିତ ଖବର ପରେ ସ୍ପଷ୍ଟୀକରଣ ରଖିଛି ସାହାରା କମ୍ପାନି । ଏଥିରେ କୁହାଯାଇଛି , ସର୍ବୋଚ୍ଚ ନ୍ୟାୟାଳୟରେ ପ୍ରତିବନ୍ଧ କାରଣରୁ ଏକଜୁଟ କରାଯାଇଥିବା ସମୁଦାୟ ଧନରାଶୀ ସାହାରା ସେବି ଖାତାକୁ ଚାଲିଯାଇଛି । ଯେଉଁ ଧନରାଶୀରୁ ସାହାରା ଟଙ୍କାଟିଏ ମଧ୍ୟ ଖର୍ଚ୍ଚ କରିପାରିବ ନାହିଁ ଏପରିକି ନିବେଶକଙ୍କର ପେମେଂଟ ମଧ୍ୟ କରିପାରିବ ନାହିଁ । ଏ ପର୍ଯ୍ୟନ୍ତ ସାହାରା ସେବି ଖାତାରେ ମୋଟ ସୁଧ ସହ ପ୍ରାୟ ୨୧ହଜାର କୋଟି ଟଙ୍କା ଜମାହୋଇଯାଇଛି । ନ୍ୟାୟାଳୟଙ୍କ ନିର୍ଦ୍ଦେଶ ଅନୁସାରେ ଖାତା ଗୁଡିକର ଯାଂଚ ପରେ ସମସ୍ତ ଧନରାଶୀ ସାହାରାକୁ ଫେରସ୍ତ ମିଳିଯିବ । ଏହାପରେ ନିବେଶକମାନେ ଜମା କରିଥିବା ଅର୍ଥ ଫେରିପାଇବେ ।

 

ସେପଟେ ଟଙ୍କା ଫେରିପାଇବା ପାଇଁ ଜମାକାରୀମାନେ ଏବେ ଏଜେଂଟଙ୍କ ତଂଟି ଧରିଛନ୍ତି । ଆଉ ଏସବୁ ଭିତରେ ସ୍ପଷ୍ଟୀକରଣ ଦେଇ ସାହାରା ଉଲ୍ଲେଖ କରିଛି, କମ୍ପାନିରୁ ବାହାର କରାଯାଇଥିବା କିଛି ଏଜେଂଟ କୁଜି ନେତାମାନଙ୍କ ସହ ମିଶି ଜମାକାରୀଙ୍କ ମଧ୍ୟରେ ଅପପ୍ରଚାର କରୁଛନ୍ତି ।  ଅନ୍ୟପକ୍ଷରେ ସବୁ ଜିଲ୍ଲାର ଜମାକାରୀଙ୍କ ସମ୍ପର୍କରେ ତଥ୍ୟ ମାଗିଛନ୍ତି ରାଜ୍ୟ ସମବାୟ ସମିତି ସମୁହ ନିବନ୍ଧକ । ତଥ୍ୟ ମିଳିବାପରେ ତଦନ୍ତ ପାଇଁ ଏହାକୁ ଇକୋନୋମିକ ଅଫେନ୍ସ ୱିଙ୍ଗକୁ ଦିଆଯିବ ବୋଲି କହିଛନ୍ତି ରାଜ୍ୟ ସମବାୟ ସମିତି ସମୁହ ନିବନ୍ଧକ । ଏହାରି ଭିତରେ ଏବେ ବି ଜମାକାରୀ ଅନେଇ ବସିଛନ୍ତି ଟଙ୍କା ଫେରିପାଇବା ପାଇଁ । ହେଲେ ବେସାହାରା କରି ଦେଉଛି ସାହାରା ।

 

ଆଉ ଇଏ ହେଉଛି ୨୦୧୫ର ସ୍ପଷ୍ଟୀକରଣ । ଏଥିରେ ସାହାରା ମୁଖ୍ୟ ସୁବ୍ରତ ରାୟ ସାହାରା କହିଥିଲେ, ୪ମାସ ମଧ୍ୟରେ ଜମାକାରୀଙ୍କୁ ଟଙ୍କା ମିଳିଯିବ । ଜମାକାରୀଙ୍କ ଟଙ୍କା ତୁଳନାରେ ସାହାରା ପାଖରେ ୩ଗୁଣା ସମ୍ପତି ରହିଛି ତେଣୁ ଜମାକାରୀ ଶାନ୍ତିରେ ଶୁଅନ୍ତୁ ବୋଲି କୁହାଯାଇଥିଲା । ଏବେ ୪ବର୍ଷ ପରେ ସ୍ଥିତି ଯାହାକୁ ସେୟା । ଏବେ ବି ଅପେକ୍ଷା ରହିଛି ଜମାକାରୀଙ୍କୁ କେବେ ମିଳିବ ତାଙ୍କ ହକ ଟଙ୍କା ।