ନଭେମ୍ବର ୨୬ରୁ ଡିସେମ୍ବର ୨୫ ମଧ୍ୟରେ ଦେଶକୁ କରୋନା ଆସିଥିବା ଆଶଙ୍କା । ବୈଜ୍ଞାନିକଙ୍କ ଅନୁମାନ ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା, ଜାନୁୟାରୀରେ ଚୀନ୍ ଫେରନ୍ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କ ଦ୍ୱାରା ବ୍ୟାପିଥାଇପାରେ ଭୂତାଣୁ

477

କନକ ବ୍ୟୁରୋ : କରୋନା ପାଇଁ ଲଢେଇ କରୁଛି ଦେଶ । ଦେଶରେ ଜାନୁଆରୀ ୩୦ ତାରିଖରେ କେରଳରେ ପ୍ରଥମ କରୋନା ରୋଗୀ ଚିହ୍ନଟ ହୋଇଥିଲା । ଜାତୀୟ ଗଣମାଧ୍ୟମ ଅନୁସାରେ, ଦେଶର ବଛା ବଛା ବୈଜ୍ଞାନିକମାନେ ଅନୁମାନ କରିଛନ୍ତି ଯେ, ଭାରତରେ ନଭେମ୍ବର ଡିସେମ୍ବରରେ ହିଁ କରୋନା ପହଂଚିସାରିଥିଲା । ବୈଜ୍ଞାନିକଙ୍କ ଅନୁମାନ ୨୬ ନଭେମ୍ବରରୁ ୨୫  ଡିସେମ୍ବର ମଧ୍ୟରେ ଭାରତ ଆସିଥାଇପାରେ କରୋନା । ତେଲେଙ୍ଗାନା ଓ ଅନ୍ୟ ରାଜ୍ୟରେ ବ୍ୟାପୁଥିବା କରୋନା ଭୂତାଣୁ ନଭେମ୍ବର ବା ଡିସେମ୍ବର ମାସରେ ଆସିଥିବା ସମ୍ଭାବନା ରହିଛି ।

 ତେଣୁ ପ୍ରଶ୍ନ ଉଠୁଛି ଜାନୁୟାରୀ ପୂର୍ବରୁ ଚୀନରୁ ଭାରତ ଆସୁଥିବା ଯାତ୍ରୀଙ୍କ ଜରିଆରେ ଦେଶରେ କରୋନା ସଂକ୍ରମଣ ଆରମ୍ଭ ହୋଇଥିଲା କି ? ତେବେ ଏହାର କୌଣସି ସଠିକ ପ୍ରମାଣ ମିଳି ନାହିଁ । କାରଣ ସେହି ସମୟରେ ଭାରତରେ ବ୍ୟାପକ ଭାବେ କରୋନା ଟେଷ୍ଟିଂ ହେଉନଥିଲା । ହାଇଦ୍ରାବାଦର ସେଂଟର ଫର ସେଲୁଲାର ଆଣ୍ଡ ମଲକ୍ୟୁଲର ବାୟୋଲୋଜି ଭାରତରେ ବ୍ୟାପୁଥିବା କରୋନାର ଆସିବା ସମୟର ଅନୁମାନ କରିଛି । ଏହାଛଡା ଭାରତରେ ବ୍ୟାପୁଥିବା କରୋନା ଭୂତାଣୁର ନୂଆ ରୂପକୁ ମଧ୍ୟ ଠାବ କରିଛି, ଯାହାର ନାମ ରଖାଯାଇଛି ଏ-ଥ୍ରି ଆଇ ।

କେରଳରେ ପ୍ରଥମ ରୋଗୀଙ୍କୁ ଚିହ୍ନଟ ହୋଇଥିବା କରୋନା ଭୂତାଣୁର ଯାଂଚ ପରେ ଏହା ଚୀନର ବୁହାନର କରୋନା ଭୂତାଣୁ ସହ ମେଳ ଖାଇଥିଲା । ହେଲେ ହାଇଦ୍ରାବାଦରେ ଚିହ୍ନଟ କରୋନା ରୋଗୀଙ୍କ ଭୂତାଣୁର ଉତ୍ପତି ଚୀନ ନୁହେଁ ବରଂ ଏହା ଦକ୍ଷିଣ ପୂର୍ବ ଏସିଆରୁ ଆସିଥିବା ଅନୁମାନ କରାଯାଉଛି । ଏ-ଥ୍ରି ଆଇ କରୋନା ଭୂତାଣୁ କେଉଁ ଦେଶରୁ ଆସିଛି ଜଣାପଡିନଥିବା ବେଳେ ଏହାର ଉତ୍ପତି ଚୀନ ନୁହେଁ ବୋଲି ସ୍ପଷ୍ଟ କରିଛନ୍ତି ଭାରତୀୟ ବୈଜ୍ଞାନିକ । ଏବେ ଠାବ ହୋଇଥିବା ନୂଆ ରୁପର କରୋନା ଭୂତାଣୁ ବା ଏ-ଥ୍ରୀ-ଆଇ ବିଶେଷ କରି ତେଲେଙ୍ଗାନା, ମହାରାଷ୍ଟ୍ର, ଦିଲ୍ଲୀ ଓ ତାମିଲନାଡୁରେ ବ୍ୟାପିବାରେ ଲାଗିଛି ।