ବୈଜୟନ୍ତ ପଣ୍ଡା ଦଳବିରୋଧୀ କାର୍ଯ୍ୟ କରୁଥିଲେ, ବିଜେଡିରେ ଥାଇ ଅନ୍ୟଦଳ ପାଇଁ କାମ କରୁଥିଲେ ଏହାରି ଆଧାରରେ କେନ୍ଦ୍ରାପଡା ସାଂସଦଙ୍କୁ ଦଳର ପ୍ରାଥମିକ ସଦସ୍ୟ ପଦରୁ ନିଲମ୍ବିତ କରିଦିଆଗାଲ । ହେଲେ ବୈଜୟନ୍ତଙ୍କ ଭଳି ଆଉ ଜଣେ ନେତା ବିଜେପିରେ ହେଲେ ବିଜୟ ମହାପାତ୍ର । ଯିଏ ଲଗାତର ଭାବେ ଦଳୀୟ ନୀତି, କାର୍ଯ୍ୟଧାରା ଏବଂ ନିର୍ବାଚନ ପରିଚାଳନାକୁ ନେଇ ପ୍ରଶ୍ନ କରିଆସୁଛନ୍ତି । ଦଳର ଆଭିମୁଖ୍ୟ ବାହାରକୁ ଯାଇ ମତ ରଖୁଛନ୍ତି ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ୧୨୦ ଗଣିତ ନେଇ ପ୍ରଶ୍ନବାଚୀ ତିଆରି କରୁଛନ୍ତି, ତାଙ୍କ ବିରୋଧରେ ବିଜେପି ନେତା ଚୁପ୍ ବସିଛନ୍ତି । କାର୍ଯ୍ୟାନୁଷ୍ଠାନ ପାଇଁ ହାତ ଯାଉନି । ମନରେ ଡର ରହୁଛି ନା ଦଳ ଜାଣିଛି ବିଜୟଙ୍କୁ ଦଳରୁ ବାହାର କଲେ ଏହା ମହଙ୍ଗା ପଡିପାରେ । ବୈଜୟନ୍ତଙ୍କ ଭଳି ନେତାଙ୍କୁ ଦଳରୁ ସସପେଣ୍ଡ କରି ଯେଉଁ ଦମ୍ ନବୀନ ଦେଖାଇଲେ ସେହି ସାହାସ ବିଜେପି କେବେ ଦେଖାଇବ? କିଛି ଏଭଳି ଦିଗକୁ ନେଇ ଏବେ ରାଜନୈତିକ ମହଲରେ ଚର୍ଚ୍ଚା ଜୋରଧରିଛି ।
କିଛିଦିନ ଆଗରୁ କେନ୍ଦ୍ରାପଡା ପାଟକୁରାରେ ବିଜେପିର ଏକ ମିଶ୍ରଣ ପର୍ବ ସମୟରେ ବିଜେପି କର୍ମୀ ଓ ବିଜୟ ମହାପାତ୍ରଙ୍କ ସମର୍ଥକଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ଏହାପରେ ବିଜୟ ମହାପାତ୍ରଙ୍କୁ ଜିଲ୍ଲା କମିଟିରୁ ବହିଷ୍କାର କରାଯାଇଥିଲା । ମାତ୍ର ୧୦୦ ଦିନ ତଳେ କେନ୍ଦ୍ରାପଡା ଜିଲ୍ଲା ସଭାପତି ଭାବେ ଦାୟିତ୍ୱ ଗ୍ରହଣ କରିଥିବା ଦୁର୍ଯ୍ୟୋଧନ ସାହୁ ତାଙ୍କୁ ଏହି ଜିଲ୍ଲା ବିଜେପି କାର୍ଯ୍ୟ ସମିତିର ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ପଦରୁ ବହିଷ୍କାର କରିଥିଲେ । ବିଜୟଙ୍କ ମୁହଁରେ ଲଗାମ୍ ଲଗାଇବାକୁ ଏହି କାର୍ଯ୍ୟନୁଷ୍ଠାନ ଉଦ୍ଦିଷ୍ଟ ବୋଲି ଅନୁମାନ କରାଯାଉଥିଲା । ହେଲେ ଏହା ପରବର୍ତ୍ତୀ ପର୍ଯ୍ୟାୟରେ ବିଜେପିକୁ ଅଡୁଆ ଭିତରକୁ ଠେଲିଦେଇଥିଲା ।
ଯେଉଁଭଳି ଭାବେ ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ବିଜୟ ମହାପାତ୍ରଙ୍କୁ ଜଣ ଜିଲ୍ଲା ସଭାପତି ଜିଲ୍ଲା କମିଟିରୁ ବାଦ୍ ଦେଲେ ତାକୁ ନେଇ କିଛି ବରିଷ୍ଠ ନେତା ଅସନ୍ତୋଷ ବ୍ୟକ୍ତ କରିଥିଲେ । ସୂଚନା ଅନୁସାରେ ତାଲିକାର ଆଗରେ ଥିଲେ ବିଜେପି ବିଧାୟକ ଦଳ ନେତା କନକ ବର୍ଦ୍ଦନ ସିଂହଦେଓ । ଖୋଲାଖୋଲି ନହେଲେ ବି ଦଳୀୟ ମହଲରେ ସେ ନିଜ ମନ କଥା ଜଣାଇଲେ । ଏପରିକି ବାର୍ତ୍ତା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିକଟରେ ବି ପହଂଚିଗଲା । ତେଣୁ ଘଟଣାକୁ ଆଉ ଆଗକୁ ବଢାଇବା ବଦଳରେ ବିଜେପି ନିଜ ଗତିରେ ବ୍ରେକ୍ ଲଗାଇଲା । ମହାନଦୀ ପ୍ରସଙ୍ଗରେ ବିଜୟଙ୍କ ଖୋଲାମତ ଦଳକୁ ଅଡୁଆରେ ପକାଉଥିଲେ ମଧ୍ୟ ବିଜେପି ବାଧ୍ୟବାଧ୍ୟକତାରେ ଚୁପ୍ ରହୁଥିବା କୁହାଯାଉଛି । ନା ଦଳ ବିଜୟଙ୍କୁ ସାଥୀରେ ନେଇ ଆଗକୁ ବଢିପାରୁଛି ନା ଛାଡି ଆଗକୁ ଯାଇପାରୁଛି । ଏଭଳି ଦ୍ୱନ୍ଦ୍ୱ ଆଉ ତ୍ରିଶଙ୍କୁ ଅବସ୍ଥାରେ ରାଜ୍ୟ ବିଜେପି ରହିଛି ।
ଗତବର୍ଷ ଜୁନ୍ ମାସରେ ବିଜୟ ମହାପାତ୍ରଙ୍କ ଦଳବିରୋଧୀ କାର୍ଯ୍ୟକଳାପ ବାବଦରେ କେନ୍ଦ୍ରୀୟ ନେତୃତ୍ୱଙ୍କୁ ଜଣାଯାଇଥିବା ନେଇ ଗଣମାଧ୍ୟମକୁ ସୂଚନା ଦେଇଥିଲେ ରାଜ୍ୟ ସଭାପତି ବସନ୍ତ ପଣ୍ଡା । ଦଳର ଅନୁଶାସନକୁ ଉଲ୍ଲଂଘନ କରିବା, ମହାନଦୀ ପ୍ରସଙ୍ଗରେ ଦଳର ଆଭିମୁଖ୍ୟ ବାହାରକୁ ଯାଇ ମତଦେବା, ଆଇଓସିଏଲରେ ଓଡିଆଙ୍କୁ ନିଯୁକ୍ତି ନେଇ କେନ୍ଦ୍ରମନ୍ତ୍ରୀ ତଥା ଧର୍ମେନ୍ଦ୍ର ପ୍ରଧାନଙ୍କୁ ସମାଲୋଚନା କରିବା, କେନ୍ଦ୍ରାପଡାରେ ନିଜର ସମାନ୍ତରାଳ ସଂଗଠନ ଦ୍ୱାରା ବିଜେପିକୁ ଅଟକାଇବା ଭଳି ଅନେକ ଦଳବିରୋଧୀ କାର୍ଯ୍ୟ ନେଇ ଅମିତ ଶାହାଙ୍କୁ ସେହି ସମୟରେ ଅବଗତ କରାଇଥିଲେ ବସନ୍ତ ପଣ୍ଡା । ଯେହେତୁ ବିଜୟ ମହାପାତ୍ର ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ତେଣୁ ନିଷ୍ପତ୍ତି ନେବାର ଅଧିକାର କେବଳ ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କର ଥିବା ବସନ୍ତ ପଣ୍ଡା ଗଣମାଧ୍ୟମ ସାମ୍ନାରେ ମତ ରଖିଥିଲେ । ହେଲେ ଏହାରି ଭିତରେ କୈାଣସି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କେହି ସାହାସ ଦେଖାଇ ପାରୁନାହାନ୍ତି । ପ୍ରଶ୍ନ ଉଠୁଛି, ଯଦି ବିଜୟ ଦଳବିରୋଧୀ କାର୍ଯ୍ୟ କରୁଛନ୍ତି ବୋଲି ରାଜ୍ୟ ନେତୃତ୍ୱ ହୃଦବୋଧ କରୁଛି, ତେବେ କେନ୍ଦ୍ରୀୟ ନେତୃତ୍ୱଙ୍କୁ କାହିଁକି ଭରସା ଦେଇପାରୁନାହାନ୍ତି । ନା ଏହା ପଛରେ ଆଉ କିଛି କାରଣ ରହିଛି ।
ବିଜୟ ମହାପାତ୍ର ହେଉଛନ୍ତି ରାଜ୍ୟ ରାଜନୀତିର ଜଣେ ଟାଣୁଆ ଚେହେରା । ସମୟଚକ୍ରରେ ବିଜେପିରେ ଯୋଗ ଦେଇଥିବା ବିଜୟ ୨୦୧୪ ନିର୍ବାଚନ ବେଳେ ଓ ଏହାପରେ ହୋଇଥିବା କନ୍ଧମାଳ ଉପ-ନିର୍ବାଚନ ଯାଏଁ ଦଳରେ ବେଶ କ୍ଷମତାଶାଳୀ ଥିଲେ । ରାଜ୍ୟ ସରକାରଙ୍କୁ ଘନଘନ ସମାଲୋଚନା କରିବା, ଚିଟଫଣ୍ଡ ଓ ଇଛାଧୀନ କୋଟା କେଳେଙ୍କାରୀ ମାମଲାରେ ସରକାରଙ୍କୁ ବ୍ୟାକଫୁଟକୁ ଠେଲିଥିବା ଏହି ନେତା ହଠାତ୍ ରାଜ୍ୟ ବିଜେପିରେ ଗୈାଣ ହୋଇଗଲେ । ସ୍ଥିତି ଏମିତି ଯେ, ପାଖାପାଖି ଗୋଟିଏ ବର୍ଷ ଧରି ରାଜ୍ୟ କାର୍ଯ୍ୟାଳୟରେ ପାଦ ପକାଇନାହାନ୍ତି ବିଜୟ । ଏପରିକି ପଂଚାୟତ ନିର୍ବାଚନ ମସୟରେ ବିଜୟଙ୍କୁ ପ୍ରଥମେ ଷ୍ଟାର୍ ପ୍ରଚାରକ ତାଲିକାରେ ରଖାଯାଇନଥିଲା ହେଲେ ଗଣମାଧ୍ୟମରେ ଚର୍ଚ୍ଚା ପରେ ତାଙ୍କ ନାଁକୁ ସାମିଲ କରାଗଲା । ମାତ୍ର ସେ କୈାଣସି ଦଳୀୟ ପ୍ରଚାରରେ ନିଜକୁ ସାମିଲ କଲେନାହିଁ । କୁହାଯାଉଛି, ରାଜ୍ୟ ବିଜେପିରେ ବର୍ତ୍ତମାନର କ୍ଷମତାକେନ୍ଦ୍ର ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ସେ ପାଦ ମିଳାଇ ପାରିଲେ ନାହିଁ । ତେଣୁ ନିଜକୁ ଧୀରେ ଧୀରେ ଦଳଠାରୁ ଦୂରେଇ ନେଲେ ବିଜୟ । ତେବେ ଏହାବି ଚର୍ଚ୍ଚା ହେଉଛି, ଜାଣିଶୁଣି ବିଜୟଙ୍କୁ ବିଜେପିରେ ଦୁର୍ବଳ କରାଗଲା । ନଚେତ୍ ରାଜ୍ୟ ବିଜେପିରେ ଧର୍ମେନ୍ଦ୍ର ସଂପୁର୍ଣ୍ଣ କ୍ଷମତାର ଅଧିକାରୀ ହୋଇପାରିନଥାନ୍ତେ ।
ଏତେସବୁ ପରେ ବି କାହିଁକି କାର୍ଯ୍ୟାନୁଷ୍ଠାନକୁ ନେଇ ବିଜେପି ସାହାସ୍ ଦେଖାଇପାରୁନି? ଦଳ ଭାବୁଛି କି ଯଦି ବିଜୟଙ୍କୁ ବାଦ୍ ଦିଆଯାଏ ତେବ ଆଗାମୀ ଦିନରେ ଦଳ ପାଇଁ ଏକ ବଡ ବିପଦ ତିଆରି ହେବ । ରାଜନୈତିକ ମହଲର ଚର୍ଚ୍ଚା ଅନୁସାରେ, ଆଗାମୀ ଦିନରେ ରାଜ୍ୟରେ ଏକ ନୂଆ ଆଂଚଳିକ ଦଳ ଗଠନ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ବିଜୁ ଅମଳର କିଛି ନେତା ଏହାର ବ୍ଲୁ-ପ୍ରିଂଟ ରଚନା କରୁଥିବା ବେଳେ ରାଜ୍ୟର ତିନି ପ୍ରମୁଖ ଦଳର କିଛି ନେତା ଏଥିରେ ସାମିଲ ହେବାର ଯଥେଷ୍ଟ ସମ୍ଭାବନା ରହୁଛି । ଚର୍ଚ୍ଚା ଅନୁସାରେ ବିଜେପି ଭାବୁଛି, ଯଦି ବିଜୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଏ ତେବେ ହୁଏତ ଏହି ଆଂଚଳିକ ଦଳ ସହ ସେ ସାମିଲ ହୋଇ ବିଜେପି ବିରୋଧରେ ମୋର୍ଚ୍ଚା ଖୋଲିପାରନ୍ତି । ରାଜ୍ୟ ରାଜନୀତିରେ ଆଂଚଳିକ ଦଳର ଯଥେଷ୍ଟ ପ୍ରଭାବ ରହୁଥିବାରୁ ବିଜେପି ଭଳି ଜାତୀୟ ଦଳ ସାମ୍ନାରେ ଆଉ ଏକ ଆଂଚଳିକ ଦଳର ଆହ୍ୱାନ ଆସିଯାଇପାରେ । ତେଣୁ ନିଷ୍ପତ୍ତି ନୋବା ଆଗରୁ ଦଳ ୧୦୦ ଥର ଏହି ଦିଗ ପ୍ରତି ଚିନ୍ତା କରି ଚୁପ୍ ରହିଯାଉଥିବା ଚର୍ଚ୍ଚା ହେଉଛି । କାରଣ ୨୦୦୦ ରୁ ୨୦୦୯ ଯାଏଁ ବିଜେଡି ସହ ମିଶି ସରକାର ଗଢିଥିବା ବିଜେପି ୨୦୦୯ ଓ ୨୦୧୪ରେ ସଂପୁର୍ଣ୍ଣ ଭାବେ ବିଫଳ ହୋଇଥିଲା । ବିଜେଡି ଭଳି ଆଂଚଳିକ ଦଳ ସାମ୍ନାରେ ସଂପୁର୍ଣ୍ଣ ହାତ ଟେକିଦେଇଥିଲା ବିଜେପି । ସେଦୃଷ୍ଟିକୋଣରୁ ବିଜେପି କାର୍ଯ୍ୟାନୁଷ୍ଠାନ ନେଉନଥିବା ଅନୁମାନ କରାଯାଉଛି ।/kanak/media/post_attachments/wp-content/uploads/2017/12/01_00004.png)
ପ୍ରଶ୍ନ ଉଠୁଛି, ବିଜେପି ନିଜକୁ ଏକ ଶୃଙ୍ଖଳିତ ଦଳଭାବେ ଦାବି କରୁଥିବା ବେଳେ ବିଜୟଙ୍କ ବିଶୃଙ୍ଖଳାକୁ କେତେଦିନ ବରଦାସ୍ତ କରିବ । ନା ନିର୍ବାଚନ ଜିତିବାକୁ ଲକ୍ଷ ରଖିଥିବା ବିଜେପି ଏହି ବିଷକୁ ପିଇବାକୁ ପ୍ରସ୍ତୁତ ଅଛି । ସୂଚନା ଅନୁସାରେ ବିଜେପିର କ୍ଷମତାକେନ୍ଦ୍ର ପାଖରେ ଖବର ଅଛି, ଯଦି ବିଜୟଙ୍କୁ ଦଳରୁ ବାଦ୍ ଦିଆଯାଏ ତେବେ ଅନେକ ପୁରୁଖା ନେତା ବିଦ୍ରୋହ କରିବାର ଯଥେଷ୍ଟ ସମ୍ଭାବନା ରହିଛି । କାରଣ, ବିଜେପିରେ ଏବେ ଅନେକ ବରିଷ୍ଠ ନେତା ଗୈାଣ ହୋଇଯାଇଛନ୍ତି । ସେମାନଙ୍କୁ ଦଳ ଭିତରେ ଆଗଭଳି ଗୁରୁତ୍ୱ ଦିଆଯାଉନାହିଁ । ନିର୍ବାଚନ ପରିଚାଳନାରେ ଏବଂ ଦଳୀୟ ନିଷ୍ପତ୍ତିରେ ସେମାନଙ୍କର ମତାମତ ନିଆଯାଉନାହିଁ । ଆଉ ବିଜୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଗଲେ ହୁଏତ ଏହି ନେତା ଦଳ ବିରୋଧରେ ଆଭିମୁଖ୍ୟ ରଖିପାରନ୍ତି । ତେଣୁ ବିଜୟଙ୍କ ବିରୋଧରେ ବିଜେପି ଏବେ ଦମ୍ ଦେଖାଇବା ମୁଡରେ ନଥିବା କୁହାଯାଉଛି । ବାଧ୍ୟବାଧ୍ୟକତା ଭିତରେ ବିଜୟଙ୍କ ବୟାନର ବିଷକୁ ପିଉଛନ୍ତି ରାଜ୍ୟ ବିଜେପି ନେତା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/01/WhatsApp-Image-2018-01-25-at-9.44.43-AM.jpeg)
/kanak/media/post_attachments/wp-content/uploads/2017/12/web_00000.jpg)