ଗୁଜୁରାଟ ଭଳି ଓଡିଶାରେ କମିବ କି ଜୋରିମାନା ? ଅନ୍ୟ ରାଜ୍ୟକୁ ଦେଖି ତର୍ଜମା କଲାପରେ ବ୍ୟବସ୍ଥା କରାଯିବ ବୋଲି କହିଲେ ପରିବହନ ସଚିବ

508

କନକ ବ୍ୟୁରୋ : ଗୁଜୁରାଟ ଭଳି ଓଡିଶାରେ କମିବ କି ଜୋରିମାନାର ପରିମାଣ ? ବ୍ୟାଙ୍କ ବାଲାନ୍ସ ଖାଲି ହେବା ପୂର୍ବରୁ ରକ୍ଷା ପାଇବେ କି ରାଜ୍ୟବାସୀ । ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ,ନୂଆ ମୋଟର ଯାନ ଆଇନ ପାଇଁ କ’ଣ ରହିବ ରାଜ୍ୟ ସରକାରଙ୍କ ଆଗାମୀ ପଦକ୍ଷେପ । ସେପ୍ଟେମ୍ବର ପହିଲା ଠାରୁ ନୂଆ ଆଇନ ଲାଗୁହେବା ପରେ ରାଜ୍ୟ ସରକାର ଲୋକଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ୩ ମାସ କୋହଳ କରିଛନ୍ତି ନିୟମ । ହେଲେ ଏଥିରୁ ସାଧାରଣ ଜନତାଙ୍କୁ ସାମୟିକ ଆଶ୍ୱସ୍ତି ମିଳିନି । ଏନେଇ ଗଣମାଧ୍ୟମର ପ୍ରଶ୍ନର ଉତ୍ତର ରଖିଛନ୍ତି ପରିବହନ ସଚିବ ଜି. ଶ୍ରୀନିବାସ  ।

 

ପ୍ରଥମେ ଅନ୍ୟ ରାଜ୍ୟ କ’ଣ କରୁଛନ୍ତି ସେ ନେଇ ତର୍ଜମା ଚାଲିଛି  । ଅନ୍ୟ ରାଜ୍ୟର ନିୟମକୁ ଦୃଷ୍ଟିରେ ରଖି ତଥା ଲୋକଙ୍କ ହିତ ପାଇଁ ନବୀନ ସରକାର ପଦକ୍ଷେପ ନେବେ । ଅନ୍ୟପଟେ ଆରଟିଓ ଅଫିସ ଗୁଡିକୁ କିପରି ଦଲାଲ ମୁକ୍ତ କରାଯାଇପାରିବ ସେ ନେଇ ଉଦ୍ୟମ କରାଯାଉଛି ବୋଲି ସଚିବ କହିଛନ୍ତି  । ସାଧାରଣତଃ ପରିବହନ କାର୍ଯ୍ୟାଳୟ ଗୁଡିକରେ ବିଭିନ୍ନ ପ୍ରମାଣପତ୍ର ପାଇଁ ଦଲାଲମାନେ କାୟା ବିସ୍ତାର କରିଥାନ୍ତି । ଏବଂ ଏହା କିପରି ରୋକା ଯାଇ ପାରିବ ତାଉପରେ କଡା ନଜର ରଖିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ଲୋକଙ୍କୁ କିଭଳି ନିଜ ନିଜର ବିଭିନ୍ନ ଲାଇସେନ୍ସ ଓ ପ୍ରମାଣପତ୍ର ସୁବିଧାରେ ମିଳିପାରିବ ସେଥିପାଇଁ ଅଧିକ କାଉଁଟର ଖୋଲାଯିବ ବୋଲି ସେ କହିଛନ୍ତି  ।

ଟ୍ରାଫିକ୍ ନୂଆ ନିୟମ ଲାଗୁ ହେବା ପରେ ଡ୍ରାଇଭିଙ୍ଗ୍ ଲାଇସେନ୍ସ, ପଲ୍ୟୁସନ ସାର୍ଟିଫିକେଟ ଓ ଫିଟନେସ୍ ସାର୍ଟିଫିକେଟ୍ ପାଇଁ ବିଭିନ୍ନ ଆରଟିଓ କାର୍ଯ୍ୟାଳୟରେ ଭିଡ ଜମାଇଛନ୍ତି ଲୋକେ । ଲାଇନ୍ ବାନ୍ଧି କାର୍ଯ୍ୟଳୟରେ ବିଭିନ୍ନ ପ୍ରମାଣ ପତ୍ର ଯୋଗାଡରେ ଲାଗି ପଡିଛନ୍ତି ଗାଡି ଚାଳକ ଓ ମାଲିକ । ତେବେ କିଭଳି ଆରଟିଓ ଅଫିସରେ କାର୍ଯ୍ୟ ଚାଲିଛି ଆଜି ସେ ନେଇ ପରିସ୍ଥିତିକୁ ବୁଲି ଦେଖିଛନ୍ତି ନିଜେ ସଚିବ ।