ସମର୍ଥକଙ୍କୁ ମାଡ଼ ମାରି ବିବାଦରେ ବ୍ରହ୍ମପୁର ସାଂସଦ : ଚନ୍ଦ୍ରଶେଖରଙ୍କ ପାଇଁ ଆସିଲା ସୁପ୍ରିମୋଙ୍କ ଡକରା

2,120

କନକ ବ୍ୟୁରୋ : ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁଙ୍କୁ ନବୀନ ନିବାସରୁ ଡକରା । ସମର୍ଥକଙ୍କୁ ଚାପୁଡ଼ା ମାରିବା ଘଟଣାକୁ ନେଇ ବିଜେଡ଼ି ସୁପ୍ରିମୋ ବ୍ରହ୍ମପୁର ସାଂସଦଙ୍କୁ ଡକାଇଛନ୍ତି । ସୁପ୍ରିମୋଙ୍କୁ କି ସ୍ପଷ୍ଟୀକରଣ ଦେବେ ସାଂସଦ ? କାହିଁକି ସମର୍ଥକୁଙ୍କୁ ମାରିଲେ ଚାପୁଡ଼ା ? ଲୋକଙ୍କ ମନ ନେଇ ଲୋକଙ୍କ ଅଧିକାରକୁ ପ୍ରାଧାନ୍ୟ ଦେଉଥିବା ବିଜେଡ଼ି ସରକାରରେ ଏପରି ଘଟଣାକୁ କିପରି ଗ୍ରହଣ କରିବେ ବିଜେଡ଼ି ସୁପ୍ରିମୋ । ଏ ଘଟଣା ସମ୍ପର୍କରେ କ’ଣ ନିଷ୍ପତ୍ତି ନେବେ ନବୀନ, ତାହା ଉପରେ ସମସ୍ତଙ୍କ ନଜର ।

ଗତକାଲି ଗଜପତି ଜିଲ୍ଲା ବିଜେଡିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ  ବୈଠକରେ ଜଣେ ସମର୍ଥକଙ୍କୁ ଚାପୁଡ଼ା ମାରିଥିଲେ ଚନ୍ଦ୍ରଶେଖର ସାହୁ । ମଂଚ ଉପରେ ବିଜେଡିର କିଛି ନେତାଙ୍କ ଗହଣରେ ଉପସ୍ଥିତ ଥିଲେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ । ପ୍ରଶଂସକଙ୍କୁ ସାଂସଦଙ୍କ ପାଖରେ ଥିବା ବ୍ୟକ୍ତି ଜଣଙ୍କ ବେକରେ ଏକ ଗାମୁଛା ପକାଇବାକୁ ଦେଇଥିଲେ । ହେଲେ ପ୍ରଶଂସକ ଜଣଙ୍କ ଗାମୁଛାକୁ ନିଜ ବେକରେ ନପକାଇ ସାଂସଦଙ୍କ ହାତକୁ ବଢାଇ ଦେଇଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ସାଂସଦ ହଠାତ୍ ସର୍ବସମ୍ମୁଖରେ  ସମର୍ଥକଙ୍କୁ ଏକ ଶକ୍ତ ଚାପୁଡା ମାରିଥିଲେ  । ଏହି ଘଟଣାକୁ ନେଇ ରାଜନୈତିକ ମହଲରେ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା । ସୋସିଆଲ ମିଡିଆରେ ଭିଡ଼ିଓ ଭାଇରାଲ ହୋଇଥିଲା ।

ତେବେ ଏହି ଘଟଣାକୁ ନେଇ ସମର୍ଥକ ସଂଗ୍ରାମ କେଶରୀ ସାହୁ କହିଛନ୍ତି, ସାଂସଦ ତାଙ୍କୁ ମାଡ଼ ମାରି ନାହାନ୍ତି । ସାଂସଦଙ୍କ ସହ ଆଗରୁ ଚିହ୍ନା ପରିଚିତି ରହିଛି । ସାଂସଦ ତାଙ୍କୁ ସାନ ଭାଇ ପରି ଦେଖନ୍ତି । କଂଗ୍ରେସରେ ଦୀର୍ଘଦିନ ରହିଥିବାରୁ ବିଜେଡ଼ିରେ ମିଶିବା ନେଇ ଜଣାପଡ଼ିବା ପରେ ବଦନାମ୍ କରିବାକୁ ଷଡ଼ଯନ୍ତ୍ର କରାଯାଇଛି ବୋଲି ସେ କହିଥିଲେ  ।

 

ଆଉ ତା’ପରେ ଏହି ଘଟଣାକୁ ନେଇ ସଫେଇ ଦେଇଥିଲେ ବ୍ରହ୍ମପୁର ସାଂସଦ ।  ସୋରଡ଼ା ବିଧାୟକଙ୍କୁ ଅପମାନ କରିଥିବାରୁ ତାଙ୍କୁ ତାଗିଦା କରାଯାଇଥିଲା ବୋଲି ସଫେଇ ଦେଇଥିଲେ । କାହା କଥାରେ ସତ୍ୟତା ରହିଛି । ସମର୍ଥକ ସତ କହୁଛନ୍ତି, ନା ସାଂସଦ । ନବୀନ ନିବାସ ଡକରା ପରେ ଘଟଣା ଅଧିକ ସେମ୍ବଦନଶୀଳ ହୋଇପଡ଼ିଛି । ନବୀନଙ୍କ ନିଷ୍ପତ୍ତି ଉପରେ ସମସ୍ତଙ୍କ ନଜର ରହିଛି ।