ଓଡ଼ିଶା ପାଇଁ ଚିନ୍ତା ବଢ଼ାଇଲା ପଶ୍ଚିମବଙ୍ଗ : ରାଜ୍ୟରେ ୭୪କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୨୪ପଶ୍ଚିମବଙ୍ଗ ଫେରନ୍ତା, ସୂଚନା ଦେଲେ ରାଜ୍ୟ ସରକାରଙ୍କ କୋଭିଡ ୧୯ ମୁଖପାତ୍ର

991

କନକ ବ୍ୟୁରୋ : ଓଡ଼ିଶା ପାଇଁ ଚିନ୍ତା ବଢ଼ାଇଲା ପଶ୍ଚିମବଙ୍ଗ । ଆଜି ଚିହ୍ନଟ ହୋଇଥିବା ୧୩ ଜଣଙ୍କ ମଧ୍ୟରୁ ୧୦ ଜଣ ପଶ୍ଚିମବଙ୍ଗ ଫେରନ୍ତା ବୋଲି ଜଣାପଡ଼ିଛି । ସେପଟେ ରାଜ୍ୟରେ ଚିହ୍ନଟ ହୋଇଥିବା ୭୪କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୨୪ଜଣ ହେଉଛନ୍ତି ପଶ୍ଚିମବଙ୍ଗ ଫେରନ୍ତା କିମ୍ବା ଫେରିଥିବା ବ୍ୟକ୍ତିଙ୍କ ସଂସ୍ପର୍ଷରେ ଆସିଛନ୍ତି । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ସରକାରଙ୍କ କୋଭିଡ ୧୯ ମୁଖପାତ୍ର ସୁବ୍ରତ ବାଗଚୀ । ଏହାସହ ଆଗୁଆ ଭାବେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ଆଶ୍ୱସ୍ତି ଆଣିଛି ବୋଲି କହିଛନ୍ତି ସୁବ୍ରତ ବାଗଚୀ ।

ଆଜି ଚିହ୍ନଟ ହୋଇଥିବା  ୧୦ ଆକ୍ରାନ୍ତଙ୍କ ରହିଛି କୋଲକାତା ଲିଙ୍କ । ଭଦ୍ରକ ଓ ଯାଜପୁରର ୧୦ ଜଣ କରୋନା ଆକ୍ରାନ୍ତ ଗସ୍ତ ବିବରଣୀ ଅନୁସାରେ ସମସ୍ତଙ୍କର କୋଲକାତା ଲିଙ୍କ ରହିଛି । ଆଜି ଭଦ୍ରକରେ ଚିହ୍ନଟ ହୋଇଥିବା ୫ ଜଣ ଆକ୍ରାନ୍ତ ଏବଂ ଯାଜପୁରରେ ଚିହ୍ନଟ ହୋଇଥିବା ୫ ଜଣ ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରି କୋଲକାତା ଥିବା ସ୍ପଷ୍ଟ କରିଛି ସ୍ୱାସ୍ଥ୍ୟ ବିଭାଗ ।

ପରିସ୍ଥିତି ସରଜମିନ୍ ତଦନ୍ତ ଓ ଉପଯୁକ୍ତ ପଦକ୍ଷେପ ନେବାପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର। ତେବେ ଚିହ୍ନଟ ହୋଇଥିବା ବ୍ୟକ୍ତିମାନଙ୍କ ରୋଗ ଶୀଘ୍ର ଚିହ୍ନଟ ହୋଇନଥିଲେ ପରିସ୍ଥିତି ଭୟାବହ ହୋଇଥାଆନ୍ତା । ପରିସ୍ଥିତିକୁ ଅକ୍ତିଆରରେ ଆଣିବା ପାଇଁ ପଛରେ ରହିଛି ଗ୍ରାମ ପଞ୍ଚୟତ ମାନଙ୍କର ସତର୍କତା, ସଚେତନତା ଏବଂ ସହଯୋଗ ।  ଗତକାଲି ମୁଖ୍ୟମନ୍ତ୍ରୀ କୋଭିଡ଼୍ ଯୁଦ୍ଧରେ ଐତିହାସିକ ନିଷ୍ପତ୍ତି ନେଇଛନ୍ତି । ସରପଞ୍ଚମାନଙ୍କୁୁ ଜିଲ୍ଲାପାଳ କ୍ଷମତା ପ୍ରଦାନ କରିଛନ୍ତି । ପଞ୍ଚାୟତ ଅନୁଷ୍ଠାନ ଉପରେ ଅଗାଧ ବିଶ୍ୱାସ ପ୍ରକଟ କରିଛନ୍ତି ସରକାର । ଏଥିପାଇଁ ପଞ୍ଚାୟତ ଗୁଡ଼ିକ ସଶକ୍ତ କଲାଗଲା । କାରଣ ଗ୍ରାମ ବଞ୍ଚିଲେ , ରାଜ୍ୟ ଓ ଦେଶ ବଞ୍ଚିବ ।

ତେବେ ପଶ୍ଚିମବଙ୍ଗ ଫେରନ୍ତାଙ୍କୁ ସତର୍କ  କରାଇଛନ୍ତି ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ।  ପଶ୍ଚିମବଙ୍ଗରୁ ଫେରିଥିବା ସମସ୍ତ ବ୍ୟକ୍ତି କ୍ୱାରେଣ୍ଟାଇନରେ ରହିବେ । ୨୮ ଦିନ ଭିତରେ କୋଲକାତାରୁ ଫେରିଥିବା ସମସ୍ତ ବ୍ୟକ୍ତି ସଙ୍ଗରୋଧରେ ରହିବା ପାଇଁ ପରାମର୍ଶ ଦିଆଯାଇଛି । କୌଣସି ବ୍ୟକ୍ତି ସହଯୋଗ ନକଲେ ଆଇନତଃ କାର୍ଯ୍ୟାନୁଷ୍ଠାନ ଗହଣ କରାଯିବ ବୋଲି ସ୍ପଷ୍ଟ କରାଯାଇଛି ।

ଏହାସହ ସଂକ୍ରମଣ ପ୍ରତିରୋଧ ଜୋନରେ ରହି ସରକାରଙ୍କୁ ସହଯୋଗ କରୁଥିବା ଜନତାଙ୍କୁ ସାଧୁବାଦ ଜଣାଇଛନ୍ତି ସୁବ୍ରତ ବାଗଚୀ । କଣ୍ଟେନମେଣ୍ଟରେ ରହୁଥିବା ସମସ୍ତ ଲୋକ ଜଣେ ଜଣେ କୋଭିଡ଼୍ ଯୋଦ୍ଧା । ତାଙ୍କ ସହଯୋଗ ପାଇ କରୋନା ସଂକ୍ରମଣକୁ କିଛିକାଂଶରେ ପ୍ରତିହତ କରିବାରେ ସରକାର ସଫଳ ହୋଇଛନ୍ତି ।