ଲୁପ୍ତପ୍ରାୟ ବାଇଚଢେଇ : ଆଧୁନିକତାର ଛାପରେ ନା ଶୁଭୁଛି ବାଇଚଢେଇର କିଚିରିମିଚିରି ଶବ୍ଦ, ନା ଗଛଡାଳରେ ଦେଖିବାକୁ ମିଳୁଛି ବାଇଚଢେଇ ବସା

412

କନକ ବ୍ୟୁରୋ : ଆଧୁନିକତାର ସମାଜ ଗଢ଼ିବା ଲକ୍ଷ୍ୟରେ ମନୁଷ୍ୟ । ବଣ ଜଙ୍ଗଲ ସଫା କରିବା ସହ ବଡ଼ ବଡ଼ ଅଟ୍ଟାଳିକା ଗଢ଼ିବାରେ ବ୍ୟସ୍ତ ଏ ସଭ୍ୟ ସମାଜ । ସାରା ବିଶ୍ୱଟା ଯେମିତି ଏହି ମନୁଷ୍ୟ ହାତରେ । ମନୁଷ୍ୟର ଏହି ଆଧୁନିକତା କାରଣରୁ ପୃଥିବୀରେ କ୍ରମଶ ଲୋପ ପାଇବାରେ ଲାଗିଛନ୍ତି ବନ୍ୟ ଜନ୍ତୁ ଓ ପଶୁ ପକ୍ଷୀ । ଗାଁ ଦାଣ୍ଡରେ ଶୁଭୁନି ବାଇ ଚଢେଇର କିଚିରିମିଚିରି ଶବ୍ଦ ।

ମଣିଷର ଆଧୁନିକତା ଚାକଚକ୍ୟ ଜୀବନ ଶୈଳୀ ଭିତରେ ବିଲୁପ୍ତ ହେବାରେ ଲାଗିଛନ୍ତି ବିଭିନ୍ନ ପ୍ରକାର ପଶୁ ପକ୍ଷୀ । ଶାଗୁଣା, ଚିଲ, ଗେଣ୍ଡାଳିଆ, ଶାରୀ ଓ ବାଦୁଡି ଭଳି ଅନେକ ପକ୍ଷୀ ଆଉ ନୀଳ ଆକାଶରେ ଡେଣା ମେଲାଇ ଉଡିବାର ଦେଖିବାକୁ ମିଳୁନାହିଁ । ଠିକ୍ ସେହିପରି ଗାଁ ଗହଳିରେ ଆଉ ଶଭୁନି ବାଇ ଚଢେଇର କିଚିରିମିଚିରି କଳରବ । କଂକ୍ରିଟ ସହର ଯୋଗୁଁ ଲୋପ ପାଉଛି ସବୁଜିମା । କଟା ଯାଉଛି ବଡ ବଡ ଗଛ । ଯେଉଁ ଡାଳକୁ ସୁରକ୍ଷିତ ସ୍ଥାନ ଭାବି ବସା ବାନ୍ଧି ରହିଥାନ୍ତି ବାଇଆ ଚଢ଼େଇ ।

ବାଇ ଚଢେଇକୁ କୃଷକ ବନ୍ଧୁ ବୋଲି କୁହାଯାଏ । ଚାଷୀ ସୁନାର ଫସଲରେ ଲାଗୁଥିବା ରୋଗପୋକ ଦମନ କରିଥାଏ ବାଇଆ ଚଢ଼େଇ । ଏବଂ ତାର କାଠିକୁଟାରେ ତିଆରି ସୁନ୍ଦର ଓ ମଜବୁତ ବସା ସମସ୍ତଙ୍କୁ ପ୍ରେରଣା ଦେଇଥାଏ । ହେଲେ ଆଜିର ସମୟରେ ଆଉ ଶୁଭୁନି ଜେଜେ ମାଆର ବାଇ ଚଢେଇ ଗୀତ କି ଗଛ ଡାଳରେ ଦେଖିବାକୁ ମିଳୁନାହିଁ ବାଇ ଚଢେଇ ବସା । ସରକାରଙ୍କ ପକ୍ଷରୁ ଯଦି ଏହି ଚଢ଼େଇ ମାନଙ୍କ ସୁରକ୍ଷା ପାଇଁ କିଛି ପଦକ୍ଷେପ ନିଆଯାଇପାରନ୍ତା ତାହେଲେ ଏମାନେ ପୃଥିବୀରୁ ବିଲୁପ୍ତ ହେବା ପୂର୍ବରୁ ରକ୍ଷା ପାଇପାରନ୍ତେ ।