ସାରା ରାଜ୍ୟରେ ପ୍ରବଳ ଗରମ ଓ ଗୁଳୁଗୁଳି : ୪୦ ଡିଗ୍ରି ଉପରେ ୫ ସହର, ତାଳଚେର ସବୁଠୁ ଉତ୍ତପ୍ତ

252

କନକ ବ୍ୟୁରୋ : ସାରା ରାଜ୍ୟରେ ପ୍ରବଳ ଗରମ ଓ ଗୁଳୁଗୁଳି ଅନୁଭୂତ । ରାଜ୍ୟର ୫ଟି ସହରର ତାପମାତ୍ରା ୪୦ ଡିଗ୍ରି ଡେଇଁଥିବା ବେଳେ ତାଳଚେରରେ ସର୍ବାଧିକ ୪୧.୧ ଡିଗ୍ରି ରେକର୍ଡ କରାଯାଇଛି । ଏହା ପଛକୁ ରହିଛି ଟିଟିଲାଗଡ଼ (୪୧ଡିଗ୍ରି) । ସେହିପରି ବଲାଙ୍ଗୀର, ମାଲକାନଗିରି ଓ ବୌଦ୍ଧ ଜିଲ୍ଲାରେ ପାରଦ ୪୦ ଡେଇଁଥିବା ଜଣାଯାଇଛି । ଆସନ୍ତା ୨/୩ ଦିନ ରାଜ୍ୟର ତାପମାତ୍ରା ଆହୁରି ବୃଦ୍ଧି ପାଇବ । ଉପକୂଳ ଓଡ଼ିଶାରେ ତାପମାତ୍ରା ଆହୁରି ୨ରୁ ୩ଡିଗ୍ରି ବଢ଼ିବାକୁ ଥିବା ବେଳେ ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ସ୍ଥାନରେ ପାରଦ ୪୦ ଉପରେ ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ।

ବିଶିଷ୍ଟ ପାଣିପାଗ ବିଜ୍ଞାନ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକଙ୍କ ସୂଚନା ମୁତାବକ, ବର୍ତ୍ତମାନ ସାରା ରାଜ୍ୟରେ ତାପମାତ୍ରା ବଢ଼ିବ। ପ୍ରଥମତଃ ନିର୍ମଳ ଆକାଶ ହେତୁ ରାଜ୍ୟରେ ଖରା ଟାଣ ରହୁଛି। ଦ୍ବିତୀୟରେ ଉତ୍ତରପଶ୍ଚିମରୁ ରାଜ୍ୟକୁ ବହୁଥିବା ପବନ ଓଡ଼ିଶା ଉପରେ ପ୍ରବାହିତ ହେଉଛି। ଓଡ଼ିଶାରେ ସମସ୍ତରୀୟ ପବନର ବେଗ କମ୍‌ ରହୁଛି। ତା’ ସହ ଊର୍ଧ୍ବଗାମୀ ପବନର ବେଗ ମଧ୍ୟ କମ୍‌ ରହୁଛି। ଫଳରେ ତାପ ଅପସାରିତ ହୋଇପାରୁନାହିଁ। ତେଣୁ ଗରମ ବଢ଼ୁଛି। ତେବେ ଆସନ୍ତାକାଲି ଭୁବନେଶ୍ବର ସମେତ ଉପକୂଳ ଜିଲ୍ଲାର ଅଳ୍ପ କେତେକ ସ୍ଥାନରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି। ଫଳରେ ଏହି ସବୁ ସ୍ଥାନରେ ତାପମାତ୍ରା ସାମୟିକ ସମୟ ପାଇଁ କମ୍‌ ରହିବ। ଅନୁମାନ କରାଯାଉଛି ଯେ ଭୁବନେଶ୍ବର ତାପମାତ୍ରା ଆସନ୍ତା ୪ ଦିନ ପର୍ଯ୍ୟନ୍ତ ବଢ଼ିବ ନାହିଁ। ଦକ୍ଷିଣ ଉପକୂଳର କେତେକ ସ୍ଥାନରେ ତାପମାତ୍ରା କିଛି କମିପାରେ। କିନ୍ତୁ କେନ୍ଦ୍ରୀୟ ଓ ପଶ୍ଚିମ ଉତ୍ତର ଦିଗରେ ତାପମାତ୍ରା ଅପେକ୍ଷାକୃତ ଅଧିକ ବଢ଼ିବ। ବର୍ତ୍ତମାନ ଦକ୍ଷିଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ଗରମ ଜାରି ରହିଛି। ଏଣୁ ସାରା ରାଜ୍ୟରେ ଗରମ ବଢ଼ିବ। ୯ରୁ ୧୨ ତାରିଖ ମଧ୍ୟରେ ତାପମାତ୍ରା ବିଶେଷ ଭା‌ବେ ବଢ଼ିବ। କିଛି ସ୍ଥାନରେ ତାପମାତ୍ରା ୪୨ଡିଗ୍ରି ଅତିକ୍ରମ କରିବ। ଏହି ସମୟରେ ଭୁବନେଶ୍ବର ସମେତ ଦକ୍ଷିଣ ଉପକୂଳ ଓ ଆଭ୍ୟନ୍ତରୀଣ-ଦକ୍ଷିଣକୁ ବଙ୍ଗୋପସାଗରର ପବନ ବହିବାର ସମ୍ଭାବନା ରହିଛି। ଫଳରେ ବାୟୁର ଆର୍ଦ୍ରତା ବଢ଼ିବ। ଗୁଳୁଗୁଳି ସହ ଅଧିକ ଗରମ ଅନୁଭୂତ ହେବ। ଏପ୍ରିଲ ୧୪ ତାରିଖ ସଂକ୍ରାନ୍ତି ଦିନ ଅନେକ ସ୍ଥାନରେ ପାଗ ଆଂଶିକ ମେଘୁଆ ରହିବ ଏବଂ ତାପମାତ୍ରା ୨ ଡିଗ୍ରି ଓ ତା’ଠାରୁ ଅଧିକ କମିବ।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ, ଆଜି ରାଜ୍ୟର ଅଧିକାଂଶ ସହର ତାପମାତ୍ରା ୩୯ ଡିଗ୍ରି ଡେଇଁଛି ବା ତା’ ପ‌ାଖାପାଖି ରହିଛି। ଆସନ୍ତା ୨/୩ ଦିନ ମଧ୍ୟରେ ତାପାମାତ୍ରା ଆହୁରି ବୃଦ୍ଧି ପାଇବ। ବିଶେଷକରି ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ସ୍ଥାନ ଉତ୍ତପ୍ତ ରହିବ। ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ସ୍ଥାନର ତାପମାତ୍ରା ୪୦ ଡିଗ୍ରି ପାର୍‌ କରିବ। ତେବେ ୩ରୁ ୭ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି ବୋଲି କେନ୍ଦ୍ର ପକ୍ଷରୁ କୁହାଯାଇଛି।