କନକ ବ୍ୟୁରୋ : ଗତ ଦୁଇ ଦିନ ହେଲା ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଲାଗି ରହିଛି । ଆଜିଠାରୁ ଖରା ଆହୁରି ବଢ଼ିବ। ସାରା ରାଜ୍ୟରେ ପାଗ ଶୁଖିଲା ରହିବା ସହ ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରି ଉପରେ ରହିପାରେ। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ଆକଳନ ଅନୁଯାୟୀ, ଆସନ୍ତା ୨୮ ତାରିଖରୁ ରାଜ୍ୟର କେତେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। କିନ୍ତୁ ଏଥିପାଇଁ ରାଜ୍ୟର ତାପମାତ୍ରାରେ କୌଣସି ପରିବର୍ତ୍ତନ ଘଟିବ ନାହିଁ ବୋଲି ଅନୁମାନ କରାଯାଉଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ବିଶିଷ୍ଟ ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକଙ୍କ ସୂଚନା ଅନୁଯାୟୀ, ଗତ ଦୁଇ ଦିନ ହେଲା ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ବଢ଼ିବା ଆରମ୍ଭ କରିଛି। ଶୁକ୍ରବାରଠାରୁ ତାପମାତ୍ରା ବିଶେଷ ଭାବେ ବଢ଼ିବା ସହ ପାଗ ଶୁଖିଲା ରହିବ। ମୁଣ୍ଡ ଫଟା ଖରା ହେବ । ବାୟୁର ଆର୍ଦ୍ରତା କମ୍ ରହିବା ସହ ଗତି ମଧ୍ୟ କମ୍ ରହିବ। ଫଳରେ ସାରା ରାଜ୍ୟରେ ଗରମ ଅନୁଭୂତ ହେବ । ଆସନ୍ତା ୫ ତାରିଖ ପର୍ଯ୍ୟନ୍ତ ଗରମରୁ ନିସ୍ତାର ନାହିଁ ବୋଲି ସେ କହିଛନ୍ତି। ଶ୍ରୀ ପଶୁପାଳକଙ୍କ ଆକଳନ ଅନୁଯାୟୀ, ଭୁବନେଶ୍ବର ସମେତ ଉପକୂଳ ଅଞ୍ଚଳରେ ୨୮ ତାରିଖ ସୁଦ୍ଧା ସର୍ବାଧିକ ତାପମାତ୍ରା ୩୮ ରୁ ୩୯ ଡିଗ୍ରି ରହିବ। ଏପ୍ରିଲ ୧ରୁ ୨ ତାରିଖ ଭିତରେ ତାପମାତ୍ରା ୪୦ରୁ ୪୧ ଡିଗ୍ରି ପର୍ଯ୍ୟନ୍ତ ରହିବ ।
୩ ତାରିଖରେ ସାମାନ୍ୟ କମିବ। ରାତିର ସର୍ବନିମ୍ନ ତାପମାତ୍ରା ୨୮ରୁ ୩୦ ତାରିଖ ମଧ୍ୟରେ ୨ ଡିଗ୍ରି ବଢ଼ି ତା’ପରେ ଅପରିବର୍ତ୍ତିତ ରହିବ। ବଲାଙ୍ଗୀର ସମେତ ପଶ୍ଚିମ ଓଡ଼ିଶାରେ ୨୯ ତାରିଖରୁ ତାପାମାତ୍ରା ଦ୍ରୁତ ଗତିରେ ବଢ଼ିବ। ୩୧ ତାରିଖରେ ୪୦ ଡିଗ୍ରି ଓ ଏପ୍ରିଲ ୨ ତାରିଖ ସୁଦ୍ଧା ତାପମାତ୍ରା ୪୧.୫ ଡିଗ୍ରିରେ ପହଞ୍ଚିବ ଓ ତା’ପରେ ଅପରିବର୍ତ୍ତିତ ରହିବ। ସେହିଭଳି ଅନୁଗୁଳରେ ୨୮ ତାରଖ ସୁଦ୍ଧା ୩୯ରୁ ୪୦ ଡିଗ୍ରି ଓ ଏପ୍ରିଲ ୨ ତାରିଖ ସୁଦ୍ଧା ତାପମାତ୍ରା ୪୧ ଡିଗ୍ରିରୁ ଅଧିକ ରହିବ। ଝାରସୁଗୁଡ଼ା ସମେତ ଉତ୍ତରପଶ୍ଚିମ ଓଡ଼ିଶାରେ ଗରମ ଅଧିକ ରହିବ।