ଆସନ୍ତା ସପ୍ତାହେ ଯାଏ ଓଡ଼ିଶାରେ ଲାଗି ରହିବ କାଳବୈଶାଖୀ : ୨୪ରୁ ୨୭ ପର୍ଯ୍ୟନ୍ତ ୧୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ,ସ୍ଥାନେ ସ୍ଥାନେ ବଜ୍ରପାତ ସମ୍ଭାବନା

477

କନକ ବ୍ୟୁରୋ : ପୂର୍ବ ମଧ୍ୟ ପ୍ରଦେଶ ଉପରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହୋଇଥିବାରୁ ଆସନ୍ତା ସପ୍ତାହକ ଯାଏ ଓଡ଼ିଶାରେ କାଳବୈଶାଖୀ ଜାରି ରହିବ । ଉତ୍ତର ଓ ଉପକୂଳ ଓଡ଼ିଶା ସମେତ ପଶ୍ଚିମ ଓଡ଼ିଶାର କେତେକ ଜିଲ୍ଲାରେ ଘଡ଼ଘଡ଼ି ସହ ପବନ ହେବ । ସ୍ଥାନେ ସ୍ଥାନେ ବଜ୍ରପାତ ହେବ । ୨୪ରୁ ୨୭ ତାରିଖ ପର୍ଯ୍ୟନ୍ତ ଅଧିକାଂଶ ଜିଲ୍ଲାରେ ଝଡ଼ବର୍ଷା ହେବାକୁ ଥିବାରୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଅରେଞ୍ଜ ୱାର୍ଣ୍ଣଂ ଜାରି କରାଯାଇଛି । ପରିସ୍ଥିତି ଉପରେ ଦୃଷ୍ଟି ରଖିବାକୁ ପରାମର୍ଶ ଦିଆଯାଇଛି ।

ପାଣିପାଗ କେନ୍ଦ୍ରର ଆକଳନ ଅନୁଯାୟୀ ୨୩ ଓ ୨୪ ତାରିଖରେ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ଵର, ଭଦ୍ରକ, ରାୟଗଡ଼ା, ଗଜପତି, ଗଞ୍ଜାମ, ପୁରୀ, ନୟାଗଡ଼, ଖୋର୍ଦ୍ଧା, ଅନୁଗୁଳ, ବୌଦ୍ଧ ଓ କଳାହାଣ୍ଡି ଜିଲ୍ଲାର ଅଧିକାଂଶ ସ୍ଥାନରେ ଘଡ଼ଘଡ଼ି ସହ ବଜ୍ରପାତ ହୋଇପାରେ। ସ୍ଥାନେ ସ୍ଥାନେ ଘଣ୍ଟା ପ୍ରତି ୩୦ରୁ ୪୦ କିମି ବେଗରେ ପବନ ବହିବ। ୨୪ ଓ ୨୫ ତାରିଖରେ ୧୦ ଜିଲ୍ଲା ପାଇଁ ଅରେଞ୍ଜ ଓ ୯ ଜିଲ୍ଲା ଲାଗି ୟେଲୋ ୱାର୍ଣ୍ଣଂ ଜାରି ହୋଇଛି ।  ଉପକୂଳ ଓଡିଶାର ସମସ୍ତ ଜିଲ୍ଲା ସମେତ ଉତ୍ତର ଓଡ଼ିଶା, ଅନୁଗୁଳ, ଦେବଗଡ଼ ଜିଲ୍ଲାରେ କାଳବୈଶାଖୀ ବର୍ଷା ହେବ । କେତେକ ସ୍ଥାନରେ ୪୦ରୁ ୫୦ କିମି ବେଗରେ ପବନ ହେବ। ଏହି ସମୟରେ ଦକ୍ଷିଣ ଓଡ଼ିଶାରେ କାଳବୈଶାଖୀ ପ୍ରଭାବ କିଛି ମାତ୍ରାରେ କମ ରହିବ। ୨୬ ତାରିଖରେ ଜଗତସିଂହପୁର, ପୁରୀ, କନ୍ଧମାଳ, ଗଞ୍ଜାମ, ଗଜପତି, ରାୟଗଡ଼ା ଓ ମୟୂରଭଞ୍ଜ ଜିଲ୍ଲାରେ କାଳବୈଶାଖୀ ପ୍ରଭାବ ଅଧିକ ରହିବ ।

୨୭ ତାରିଖରେ ସମ୍ବଲପୁର, ସୋନପୁର, ଝାରସୁଗୁଡା, ବରଗଡ଼, ଗଜପତି, କନ୍ଧମାଳ ଓ ଗଞ୍ଜାମ ଜିଲ୍ଲାର କେତେକ ସ୍ଥାନରେ କାଳବୈଶାଖୀ ପ୍ରଭାବ ଅଧିକ ରହିବ। ଆସନ୍ତା ୫ ଦିନ ପାଇଁ ସର୍ବୋଚ୍ଚ ତାପମାତ୍ରାରେ ସେଭଳି ପରିବର୍ତ୍ତନ ହେବନି। ତାପମାତ୍ରା ସ୍ୱାଭାବିକ ଠାରୁ ୩ ଡିଗ୍ରି କମ ରହିବ ବୋଲି ଆକଳନ କରାଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହୋଇଛି। ତେବେ ଆଜି ଦିନ ସମୟରେ କୌଣସି ସ୍ଥାନରେ ବର୍ଷା ହୋଇ ନ ଥିବା ଜଣାପଡିଛି। ମାଲକାନଗିରିରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୪୧ ଡିଗ୍ରି ରେକର୍ଡ କରାଯାଇଛି। ଅନ୍ୟ ସମସ୍ତ ସହରରେ ତାପମାତ୍ରା ୪୦ ଡିଗ୍ରି ତଳେ ରହିଥିଲା।

Comments are closed.