ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମପ୍ରବାହ : ଆଭ୍ୟନ୍ତରୀଣ ଓଡ଼ିଶାରେ ବଢ଼ିବ ତାତି, କିଛି ସ୍ଥାନ‌ରେ ପାରଦ ୪୦ ଡିଗ୍ରି ଉପରେ ରହିବା ସମ୍ଭାବନା

183

କନକ ବ୍ୟୁରୋ : ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିଛି । ଆଜି ୮ଟି ଜିଲ୍ଲାର ତାପମାତ୍ରା ୪୦ ଡିଗ୍ରି ଉପରେ ରହିଥିଲେ ହେଁ କେଉଁଠାରେ ପାରଦ ୪୧ ଛୁଇଁନାହିଁ । ୨୦ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ସ୍ଥିତି ଏପରି ରହିବ । ଏହି ସମୟ ମଧ୍ୟରେ ରାଜ୍ୟର କିଛି ସ୍ଥାନରେ କାଳବୈଶାଖୀ ହେବାର ସମ୍ଭାବନା ଥିଲେ ମଧ୍ୟ ତାପମାତ୍ରା ଉପରେ ସେପରି କୌଣସି ପ୍ରଭାବ ପଡ଼ିବ ନାହିଁ । ସେହିପରି ଆସନ୍ତା ୪ରୁ ୫ଦିନ ମଧ୍ୟରେ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ବଢ଼ିବ ଓ କିଛି ସ୍ଥାନ‌ରେ ପାରଦ ୪୦ ଡିଗ୍ରି ଉପରେ ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ।

କେନ୍ଦ୍ରର ସୂଚନା ଅନୁଯାୟୀ, ୨୦ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ। ଆସନ୍ତାକାଲି ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର, କଟକ, ଖୋର୍ଧା, କୋରାପୁଟ, ରାୟଗଡ଼ା ଓ ଗଜପତି ଆଜି ଜିଲ୍ଲାର କିଛି ସ୍ଥାନରେ ୩୦ରୁ ୪୦କିମି ବେଗରେ ପବନ ବହିବା ସହ ବର୍ଷା ହେବ । ସେହିପରି ଉତ୍ତର ଉପକୂଳ ଯଥା ଢେଙ୍କାନାଳ, ଅନୁଗୁଳ, କନ୍ଧମାଳ, ନୟାଗଡ଼, କଳାହାଣ୍ଡି ଓ ଗଞ୍ଜାମ ଆଦି ଜିଲ୍ଲାରେ ମଧ୍ୟ ୧୮ତାରିଖ ଦିନ ୩୦ରୁ ୪୦ କିମି ବେଗରେ ପବନ ସହ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି ।

୧୯ତାରିଖରେ ମୟୂରଭଞ୍ଜ, ବାଲେଶ୍ବର, ରାୟଗଡ଼ା, କନ୍ଧମାଳ, କୋରାପୁଟ ଓ ମାଲକାନଗିରି ଏବଂ ୨୦ ତାରିଖରେ ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, କୋରାପୁଟ, ରାୟଗଡ଼ା ଓ ନବରଙ୍ଗପୁରରେ ଜିଲ୍ଲାର କେ‌ତେକ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବ। କିନ୍ତୁ ଏହାଦ୍ବାରା ତାପମାତ୍ରାରେ ସେଭଳି କୌଣସି ପରିବର୍ତ୍ତନ ଦେଖାଯିବ ନାହିଁ। କିନ୍ତୁ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ବୃଦ୍ଧି ପାଇବ ବୋଲି କେନ୍ଦ୍ର ସୂଚନା ଦେଇଛି।