ରାଜ୍ୟରେ ଆସନ୍ତା ୧୨ ଯାଏ କାଳବୈଶାଖୀ ବର୍ଷା : ସ୍ଥାନେ ସ୍ଥାନେ ଘଣ୍ଟା ପ୍ରତି ୪୦ରୁ ୫୦ କିମି ବେଗରେ ବହିବ ପବନ

920

କନକ ବ୍ୟୁରୋ : ଆସନ୍ତା ୨ରୁ ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ । ଦିନ ଓ ରାତିର ତାପମାତ୍ରାରେ ସେଭଳି କୌଣସି ପରିବର୍ତ୍ତନ ହେବ ନାହିଁ । ତେବେ ୧୨ ତାରିଖ ଯାଏ ରାଜ୍ୟର କିଛି ସ୍ଥାନରେ କାଳବୈଶାଖୀ ବର୍ଷା ହୋଇପାରେ । ସ୍ଥାନେ ସ୍ଥାନେ ଘଣ୍ଟା ପ୍ରତି ୪୦ରୁ ୫୦ କିମି ବେଗରେ ପବନ ହେବ । ପରିସ୍ଥିତିକୁ ଦୃଷ୍ଟିରେ ରଖି କିଛି ଜିଲ୍ଲା ପାଇଁ ୧୨ ତାରିଖ ପର୍ଯ୍ୟନ୍ତ ସତର୍କ ସୂଚନା ଦିଆଯାଇଛି ।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି ଯେ ଏବେ ପାଗ ଶୁଖିଲା ରହିବ। ତାପମାତ୍ରା ବିଶେଷ ବୃଦ୍ଧି ପାଇବ ନାହିଁ । ତେବେ ୯ ତାରିଖରେ ଉପକୂଳ ଓଡ଼ିଶା ସମେତ କେନ୍ଦୁଝର, ସୁନ୍ଦରଗଡ, ମୟୂରଭଞ୍ଜ, ଢେଙ୍କାନାଳ, ଅନୁଗୁଳ, ବୌଦ୍ଧ, କନ୍ଧମାଳ ଓ ବଲାଙ୍ଗୀର ଜିଲ୍ଲାର କେତେକ ସ୍ଥାନରେ ଘଡଘଡି ସହ ବଜ୍ରପାତ ଓ ୪୦ କିମି ବେଗରେ ପବନ ବହିବ ।

୧୦ ତାରିଖରେ ଉପକୂଳ ଓଡ଼ିଶା ସମେତ ରାୟଗଡା, କୋରାପୁଟ, କନ୍ଧମାଳ ଓ ମୟୁରଭଞ୍ଜ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ କାଳବୈଶାଖୀ ସହ ବଜ୍ରପାତ ହେବାର ସମ୍ଭାବନା ରହିଛି । ୧୧ରେ ଦକ୍ଷିଣ ଓଡିଶା ସମେତ ମୟୁରଭଞ୍ଜ ଓ ବାଲେଶ୍ୱରରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ୧୨ ତାରିଖରେ ଉତ୍ତର ଓ ଦକ୍ଷିଣ ଓଡ଼ିଶାର କେତେକ ଜିଲ୍ଲାରେ କାଳବୈଶାଖୀ ହେବାର ସମ୍ଭାବନା ରହିଛି ।