ରାଜ୍ୟରେ କାଳବୈଶାଖୀ ସମ୍ଭାବନା, ତାତି କମିବ

243

କନକ ବ୍ୟୁରୋ : ଗତ ଦୁଇ ଦିନ ହେଲା ରାଜ୍ୟର ଅନେକ ସ୍ଥାନରେ ତାପମାତ୍ରା କମିଛି । ଗତକାଲି ମାଲକାନଗିରିକୁ ଛାଡ଼ି ଦେଲେ ରାଜ୍ୟର ବାକି ସବୁ ସ୍ଥାନର ତାପମାତ୍ରା ୪୦ ଡିଗ୍ରି ତଳେ ରହିଥିଲା । ଆସନ୍ତା ଦିନରେ ମଧ୍ୟ ତାପମାତ୍ରା ବିଶେଷ ବଢ଼ିବାର ଆଶଙ୍କା ନାହିଁ । ରାଜ୍ୟର ଅଧିକାଂଶ ସ୍ଥାନରେ ପାଗ ମେଘୁଆ ରହିବା ସହ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି। ତେଣୁ ରାଜ୍ୟର ସ‌ର୍ବୋଚ୍ଚ ଓ ସର୍ବନିମ୍ନ ତାପମାତ୍ରା ଖସିବାର ସମ୍ଭାବନା ରହିଛି ।

ବିଶିଷ୍ଟ ପାଣିପାଗ ବିଜ୍ଞାନ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକଙ୍କ ଆକଳନ ଅନୁଯାୟୀ, ୭ରୁ ୯ତାରିଖ ମଧ୍ୟରେ ରାଜ୍ୟର ‌ଅନେକ ସ୍ଥାନରେ ପାଗ ମେଘୁଆ ରହିବା ସହ ବର୍ଷା ସମ୍ଭାବନା ରହିଛି। ଏହି ସମୟରେ ତାପମାତ୍ରା କମିବ ଓ ତା’ ପରେ ବଢ଼ିବ। ୭ ତାରିଖରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଗୁରୁଚାପ ବଳୟ ସୃଷ୍ଟି ହେବାର ସମ୍ଭାବନା‌ ଅଛି। ଏଥିଯୋଗୁଁ ରାଜ୍ୟକୁ ବଙ୍ଗୋପସାଗରୀୟ ପବନ ବୋହିବ। ଫଳରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତାକାଲି ରାଜ୍ୟର ଅନେକ ସ୍ଥାନରେ ସର୍ବାଧିକ ତାପମାତ୍ରା ୨ ଡିଗ୍ରି ବଢ଼ିବ। ଅଳ୍ପ କେତେକ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରି ଅତିକ୍ରମ କରିବ। ଭୁବନେଶ୍ବର ସମେତ ଏହାର ସଂଲଗ୍ନ ଅଞ୍ଚଳରେ ୬ ଓ ୭ଦିନ ତାପମାତ୍ରା ୨ ଡିଗ୍ରି ବଢ଼ିବ। ତା’ପରେ ବିଶେଷ ବଢ଼ିବ ନାହିଁ। ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ତାପମାତ୍ରା ୩୭ରୁ ୩୮ ଡିଗ୍ରି ମଧ୍ୟରେ ରହିବ।

ସମ୍ବଲପୁର ଓ ଏହା ସଂଲଗ୍ନ ଅଞ୍ଚଳରେ ଆସନ୍ତା ୧୭ତାରିଖ ପର୍ଯ୍ୟନ୍ତ ଗରମ ବିଶେଷ ବଢ଼ିବ ନାହିଁ। ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରି ତଳେ ରହିବ। ଝାରସୁଗୁଡ଼ା, ବଲାଙ୍ଗୀର ଓ ଅନୁଗୁଳରେ ଆସନ୍ତାକାଲି ତା‌ପମାତ୍ରା ପ୍ରାୟ ୨ ଡିଗ୍ରି ବଢ଼ି ୮ ତାରିଖରେ କିଛି କମିବ। ତା’ପରେ କ୍ରମଶଃ ବଢ଼ି ୧୩ ତାରିଖ ସୁଦ୍ଧା ତାପମାତ୍ରା ୪୧ରୁ ୪୨ ଡିଗ୍ରି ପାଖାପାଖି ରହିବ। ୧୮ ତାରିଖରେ ରାଜ୍ୟ‌ର ଅନେକ ସ୍ଥାନରେ ତାପମାତ୍ରା କମିବ। ୭ ତାରିଖ ଦିନ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପାଗ ମେଘୁଆ ରହିବ। ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ହୋଇପାରେ। ୮ ତାରିଖ ଦିନ ସାରା ଓଡ଼ିଶାରେ ପାଗ ମେଘୁଆ ରହିବ। କେତେକ ସ୍ଥାନରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି। ଭୁବନେଶ୍ବର ସମେତ ଦକ୍ଷିଣ ଉପକୂଳ ଓ ଆଭ୍ୟନ୍ତରୀଣ ଦକ୍ଷିଣରେ ଅପେକ୍ଷାକୃତ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି। ୯ ତାରିଖରେ ବର୍ଷାର ପ୍ରକୋପ କମି ଉପକୂଳ ଓଡ଼ିଶାରେ ସୀମିତ ରହିବ।