କନକ ବ୍ୟୁରୋ : ବଙ୍ଗୋପସାଗରୀୟ ପବନ ଓ ମେଘୁଆ ପାଗ ସହ ରାଜ୍ୟର କେତେକ ସ୍ଥାନରେ ଗତ ଦୁଇ ଦିନ କାଳବୈଶାଖୀ ବର୍ଷା ହୋଇଯାଇଛି । ଫଳରେ ବିଭିନ୍ନ ସ୍ଥାନରେ ସର୍ବାଧିକ ତାପମାତ୍ରା ହ୍ରାସ ପାଇଛି। ଆକଳନ କରାଯାଉଛି ୧୦ ତାରିଖ ପରେ ପାଗରେ ପରିବର୍ତ୍ତନ ହେବ ଏବଂ ପୁଣି ତାପମାତ୍ରା ବଢ଼ିବ। ବିଶେଷ କରି ୧୨ରୁ ୧୪ ତାରିଖ ଭିତରେ ଅନେକ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରି ଅତିକ୍ରମ କରିବ । ପୁଣି ୧୪ ଓ ୧୫ ତାରିଖରେ ରାଜ୍ୟର ବିଭିନ୍ନ ସ୍ଥାନରେ ମେଘୁଆ ପାଗ ସହ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଥିବାରୁ ଏହି ସମୟରେ ତାପମାତ୍ରାରେ ହ୍ରାସ ଘଟିବ।
ବିଶିଷ୍ଟ ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକଙ୍କ ଆକଳନ ଅନୁଯାୟୀ, ଭୁବନେଶ୍ବର ସମେତ ଉପକୂଳ ଜିଲ୍ଲାଗୁଡିକରେ ତାପମାତ୍ରା ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ଅପରିବର୍ତ୍ତିତ ରହିବ। ୧୪ ତାରିଖ ବେଳକୁ ତାପମାତ୍ରା ପ୍ରାୟ ୨ ଡିଗ୍ରି କମି ୧୮ ତାରିଖ ପର୍ଯ୍ୟନ୍ତ ତାହା ଅପରିବର୍ତ୍ତିତ ରହିବ। ସର୍ବନିମ୍ନ ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ। ଆଭ୍ୟନ୍ତରୀଣ ଦକ୍ଷିଣ ଓ କେନ୍ଦ୍ରୀୟ ଓଡ଼ିଶାରେ ବର୍ତ୍ତମାନର ତାପମାତ୍ରା ଅପରିବର୍ତ୍ତିତ ରହିବ। ଏହିସବୁ ଅଞ୍ଚଳରେ ୧୨ ଓ ୧୩ ତାରିଖ ଭିତରେ ତାପମାତ୍ରା ପ୍ରାୟ ଦେଢ଼ ଡିଗ୍ରି ପର୍ଯ୍ୟନ୍ତ ବଢ଼ିପାରେ। ତେବେ ୧୪ ଓ ୧୫ ତାରିଖରେ ସ୍ଥାନେ ସ୍ଥାନେ କାଳବୈଶାଖୀ ବର୍ଷାର ସମ୍ଭାବନା ରହିଛି। ସମ୍ବଲପୁରଠାରୁ ସୁନ୍ଦରଗଡ଼ ପର୍ଯ୍ୟନ୍ତ ତାପମାତ୍ରା କମ୍ ରହିବ। ତେବେ ପଶ୍ଚିମ ଓଡ଼ିଶାରେ ୧୨ରୁ ୧୪ ତାରିଖ ଭିତରେ ତାପମାତ୍ରା କିଛି ବୃଦ୍ଧି ପାଇବ।
୧୦ ଓ ୧୧ ତାରିଖରେ ଉପକୂଳ ଅଞ୍ଚଳରେ ପାଗ ଆଂଶିକ ମେଘୁଆ ହେତୁ ଟାଣ ଖରା ହେବ ନାହିଁ। ୧୪ ଓ ୧୫ ତାରିଖ ବେଳକୁ ଦକ୍ଷିଣ ଓଡ଼ିଶାରେ ପାଗ ମେଘୁଆ ରହିବା ସହ କାଳବୈଶାଖୀ ବର୍ଷା ଯୋଗୁଁ ଗରମ କମିବ। ତେବେ ୧୯ ତାରିଖ ପରେ ରାଜ୍ୟରେ ପାଗର ବିଶେଷ ପରିବର୍ତ୍ତନ ଯୋଗୁଁ ଗରମ କମ୍ ରହିବ ଓ ତାପମାତ୍ରା ଚଳିତ ସପ୍ତାହ ଅପେକ୍ଷା କମ୍ ରହିବ। ଏହି ସମୟରେ ଗତ ଦିନଗୁଡ଼ିକ ଅପେକ୍ଷା ବିଭିନ୍ନ ସ୍ଥାନରେ ତାପମାତ୍ରା ୨ ଡିଗ୍ରି କମିବ ବୋଲି ଶ୍ରୀ ପଶୁପାଳକ ସୂଚନା ଦେଇଛନ୍ତି ।