ରାଜ୍ୟରେ ୧୮ରୁ ୨୦ ଯାଏ ବର୍ଷା : ବିଜୁଳି, ଘଡ଼ଘଡ଼ି ସହ କିଛି ସ୍ଥାନରେ ଝଡ଼ବର୍ଷା ସମ୍ଭାବନା

781

କନକ ବ୍ୟୁରୋ : ଗତକାଲି ଦିନତମାମ୍‌ ଖରାର ମାତ୍ରା ବଢ଼ିଥିବା ବେଳେ ଚଳିତ ବର୍ଷର ଗ୍ରୀଷ୍ମର ପ୍ରବାହ ବାରି ହୋଇପଡ଼ୁଥିଲା । ପାଗ ଶୁଖିଲା ରହିଥିବା ବେଳେ ରାଜ୍ୟର ଅଧିକାଂଶ ସ୍ଥାନର ତାପମାତ୍ରା ୩୧ ଡିଗ୍ରି ଉପରେ ରହିଥିଲା । ଏହିଭଳି ୧୭ ତାରିଖ ଯାଏଁ ରାଜ୍ୟରେ ଖରାର ମାତ୍ରା ବଢ଼ିବା ସହ ତାପମାତ୍ରା ବି ବଢ଼ିବ । ୧୮ ତାରିଖ ବେଳକୁ ପାଗରେ ପରିବର୍ତ୍ତନ ଦେଖାଯିବ। ବିଜୁଳି, ଘଡ଼ଘଡ଼ି ସହ କିଛି ସ୍ଥାନରେ ଝଡ଼ବର୍ଷା ହେବାର ସମ୍ଭାବନା ରହିଛି । ଏହି ସମୟରେ ୩୦ରୁ ୪୦ କିମି ବେଗରେ ପବନ ବହିବ । ସେହିପରି ୧୯ ତାରିଖରେ ବି ବର୍ଷା ଜାରି ରହିବ ଓ ୪୦ରୁ ୫୦ କିମି ବେଗରେ ପବନ ବହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି ।

ସୂଚନା ଅନୁଯାୟୀ, ୧୬ ତାରିଖ ସକାଳ ପର୍ଯ୍ୟନ୍ତ ନୂଆପଡ଼ା, ବଲାଙ୍ଗୀର, କନ୍ଧମାଳ, ଗଞ୍ଜାମ, ସୁନ୍ଦରଗଡ଼, କେଉଁଝର ଓ ମୟୂରଭଞ୍ଜ ଆଦି ଜିଲ୍ଲାର ଗୋଟିଏ ବା ଦୁଇଟି ସ୍ଥାନରେ ବିଜୁଳି ସହ ଝଡ଼ବର୍ଷା ହୋଇପା‌ରେ। ଏହାପରେ ୧୬ ଓ ୧୭ ତାରିଖରେ କେଉଁଝର, ମୟୂରଭଞ୍ଜ, ଢେଙ୍କାନାଳ, ଯାଜପୁର, ବାଲେଶ୍ବର, କଟକ, ଭଦ୍ରକ, ଖୋର୍ଧା, ଗଞ୍ଜାମ, ନୟାଗଡ଼, କନ୍ଧମାଳ ଓ ବୌଦ୍ଧ ଆଦି ଜିଲ୍ଲାରେ ହାଲୁକା ବର୍ଷା ହେବ । ବାକି ସବୁ ଜିଲ୍ଲାରେ ପାଗ ଶୁଖିଲା ରହିବ। ଆସନ୍ତା ୧୮ରୁ ୨୦ ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟରେ ବର୍ଷା ହେବ । ବରଗଡ଼, ବଲାଙ୍ଗୀର, ସୋନପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, କଳାହାଣ୍ଡି, ବୌଦ୍ଧ ଓ କନ୍ଧମାଳ ଆଦି ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ୧୯ ତାରିଖରେ କେଉଁଝର, ମୟୂରଭଞ୍ଜ, ବାଲେଶ୍ବର, ଯାଜପୁର, ଭଦ୍ରକ, ଢେଙ୍କାନାଳ, କନ୍ଧମାଳ, ନୟାଗଡ଼, ଖୋର୍ଧା ଓ ଗଞ୍ଜାମ ଆଜି ଜିଲ୍ଲାରେ ବର୍ଷା ହେବା ସହ ପବନର ବେଗ ବଢ଼ି ୪୦ରୁ ୫୦ କିମି ବେଗରେ ପବନ ବହିବ। ପୁଣି ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେଓଗଡ଼, ଅନୁଗୁଳ, ସୋନପୁର, ବୌଦ୍ଧ, କଟକ, କଳାହାଣ୍ଡି, ରାୟଗଡ଼ା ଓ ଗଜପତି ଆଜି ଜିଲ୍ଲାର କେତେକ ସ୍ଥାନରେ ଝଡ଼ବର୍ଷା ହେବ।

ଗତ ୩୬ ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼ରେ ସର୍ବାଧିକ ୨୩.୦ ମିମି ବର୍ଷା ହୋଇଥିବା ବେଳେ ଝାରସୁଗୁଡ଼ାରେ ସର୍ବନିମ୍ନ ୧୦.୮ ମିମି ବର୍ଷା ରେକର୍ଡ କରାଯାଇଛି । ଏଥିସହ ମାଲକାନଗିରିରେ ସର୍ବୋଚ୍ଚ ତାପମାତ୍ରା ୩୫.୮ ଡିଗ୍ରି ଓ ଭବାନୀପାଟଣାରେ ୩୫.୨ ଡିଗ୍ରି ରେକର୍ଡ କରାଯାଇଛି ।

Comments are closed.