ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଲାଗିରହିବ କାଳବୈଶାଖୀ : ୧୬ ତାରିଖ ପରେ ତାପମାତ୍ରାରେ ବିରାଟ ପରିବର୍ତ୍ତନ,ମୁଣ୍ଡ ଫଟା ଖରା ସାଙ୍ଗକୁ ଅସ୍ତବ୍ୟସ୍ତ କରିବ ଅସହ୍ୟ ଗୁଳୁଗୁଳି
କନକ ବ୍ୟୁରୋ : ସମଗ୍ର ଉପକୂଳ ଓ ସଂଲଗ୍ନ ଅଞ୍ଚଳରେ ଆସନ୍ତା ୪ ଦିନ ପର୍ଯ୍ୟନ୍ତ କାଳବୈଶାଖୀ ଲାଗି ରହିବ । ସର୍ବାଧିକ ତାପମାତ୍ରା କମ୍ ବେଶି ରହିପାରେ । କିନ୍ତୁ ୧୬ ତାରିଖ ପରେ ରାଜ୍ୟର ତାପମାତ୍ରାରେ ବିରାଟ ପରିବର୍ତ୍ତନ ହେବ। ପାରଦ ବଢ଼ିବ ଓ ଅସହ୍ୟ ଗୁଳୁଗୁଳି ଲାଗି ରହିବ । ପାଗ ଶୁଖିଲା ଓ ଖରାଟିଆ ରହିବ । ୨ସପ୍ତାହ ଯାଏଁ ଏଭଳି ସ୍ଥିତି ଲାଗି ରହିବ। ପାଣିପାଗ ବିଶେଷଜ୍ଞମାନେ ଏପରି ପୂର୍ବାନୁମାନ କରିଛନ୍ତି ।
Kanak News is now on WhatsApp
Join and get latest news updates delivered to you via WhatsApp
ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଆଗାମୀ ୪ ଦିନ ରାଜ୍ୟରେ କାଳବୈଶାଖୀ ବର୍ଷା ହେବ। ଏଣୁ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ଦେଖାଯିବ ନାହିଁ । ଏହି ସମୟରେ ଦକ୍ଷିଣ ଓଡ଼ିଶା ସମେତ କେନ୍ଦ୍ରୀୟ ଓଡ଼ିଶାରେ ତାପମାତ୍ରା ଅପେକ୍ଷାକୃତ ଅଧିକ ରହିବ। ଭୁବନେଶ୍ବର ଓ ଉପକୂଳ ଓଡ଼ିଶାରେ ତାପମାତ୍ରା ସବୁଠାରୁ କମ୍ ରହିବ ବୋଲି ଅନୁମାନ କରାଯାଉଛି। କିନ୍ତୁ ୧୬ ତାରିଖଠାରୁ ପବନର ଦିଗ ପରିବର୍ତ୍ତନ ହେବ। ରାଜ୍ୟକୁ ପଶ୍ଚିମା ଗରମ ପବନ ବହିବ। କାଳବୈଶାଖୀ ବର୍ଷା ସମ୍ଭାବନା କମିଯିବ। ପାଗ ଶୁଖିଲା ଓ ଖରାଟିଆ ରହିବ। ତାପମାତ୍ରା ମଧ୍ୟ ବଢ଼ିବ। ରାଜ୍ୟର ଅଧିକାଂଶ ସ୍ଥାନରେ ପ୍ରବଳ ଗରମ ହେବ। ଦୁଇ ସପ୍ତାହ ପର୍ଯ୍ୟନ୍ତ ଏମିତି ସ୍ଥିତି ଲାଗି ରହିବ।
ମେଡେନ୍ ଜୁଲିଆନ୍ ଓସିଲେସନ୍ (ଏମ୍ଜେଓ) ଏବଂ ଭାରତ ମହାସାଗରରୁ ବଙ୍ଗୋପସାଗରକୁ ସମ୍ଭାବ୍ୟ ବାୟୁ ପ୍ରବାହିତରୁ ଜଣାପଡ଼ୁଛି ଯେ ଆଣ୍ଡାମାନରେ ୧୩ ତାରିଖଠାରୁ ୧୮ ତାରିଖ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ। ସ୍ବାଭବିକ ଭାବେ ଆଣ୍ଡାମାନରେ ମେ’ ୨୦ରେ ମୌସୁମୀ ବର୍ଷା ଆରମ୍ଭ ହୋଇଥାଏ। ହେଲେ ଚଳିତ ବର୍ଷ ସେଠି ଦୁଇ ତିନି ଦିନ ଆଗରୁ ମୌସୁମୀ ବର୍ଷା ହେବାର ସମ୍ଭାବନା ଅଛି। ତେବେ ଶ୍ରୀଲଙ୍କାରେ ମୌସୁମୀ ବର୍ଷା ଆରମ୍ଭ ହେବାରେ କିଛି ବିଳମ୍ବ ହୋଇପାରେ। ସ୍ବାଭାବିକ ଭାବେ ସେଠି ୨୪ରୁ ୨୫ ମେ’ ଭିତରେ ମୌସୁମୀ ବର୍ଷା ହୋଇଥାଏ।
ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ, ଆସନ୍ତା ୪/୫ ଦିନ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷାର ସମ୍ଭାବନା ରହିଛି। ରାଜ୍ୟରେ ଏବେ କାଳବୈଶାଖୀ ଜାରି ରହିଥିଲେ ମଧ୍ୟ ଗ୍ରୀଷ୍ମ ପ୍ରବାହ ବି ଜାରି ରହିଛି। ଆଜି ରାଜ୍ୟର ୫ଟି ସହରର ତାପମାତ୍ରା ୪୦ ଡିଗ୍ରି ଉପରେ ରହିଥିବା ବେଳେ ଗତକାଲି ଅପେକ୍ଷା ଅପେକ୍ଷାକୃତ କମ୍ ରହିଛି। ଆଜି ତାଳଚେର ଓ ଟିଟିଲାଗଡ଼ରେ ରାଜ୍ୟର ସର୍ବାଧିକ ତାପମାତ୍ରା ୪୧ ଡିଗ୍ରି ରେକର୍ଡ କରାଯାଇଛି। ଏହାସହ ମାଲକାନଗିରି, ଭବାନୀପାଟଣା ଓ ପାରଳାଖେମୁଣ୍ଡିର ତାପମାତ୍ରା ୪୦ ଡିଗ୍ରି ଉପରେ ରହିଥିଲା।