ଚଳିତ ନିର୍ବାଚନ ଏକାକୀ ଲଢ଼ିବ ବିଜେଡ଼ି ! ନବୀନ କହିଲେ,ବିଜୟ ସମ୍ଭାବନା ଥିବା ପ୍ରାର୍ଥୀଙ୍କୁ ଦିଆଯିବ ଗୁରୁତ୍ୱ

ସେପଟେ ହାତରେ ବାୟୋଡାଟା ଧରି ନବୀନ ନିବାସରେ ପହଂଚିଲେ ଆଶାୟୀ ପ୍ରାର୍ଥୀ

254

କନକ ବ୍ୟୁରୋ : ସାରା ଦେଶରେ ଏବେ ନିର୍ବାଚନୀ ମାହୋଲ । ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣା ପରେ ଟିକେଟ ପାଇଁ ବିଭିନ୍ନ ଦଳ ମଧ୍ୟରେ କସରତ ଆରମ୍ଭ ହୋଇଯାଇଛି । ପ୍ରାର୍ଥୀ ତାଲିକା ଘୋଷଣା ପାଇଁ ସମସ୍ତ ରାଜନୈତିକ ଦଳଗୁଡ଼ିକ ଲାଗିପଡ଼ିଛନ୍ତି । ନିର୍ବାଚନରେ ହାରଜିତକୁ ନେଇ ଚାଲିଛି ଅଙ୍କକଷା । କିଏ ଜିତିକ କିଏ ହାରିବ ସେ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଚଳିତ ନିର୍ବାଚନ ବିଜେଡ଼ି ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ । ପୁଣି ଥରେ ଗଡ଼ ହାତେଇବାକୁ ପ୍ରାଣପଣେ ଉଦ୍ୟମ ଜାରି ରଖିଛି ବିଜେଡ଼ି । ଶାସକ ଦଳ ଲୋକଙ୍କ ପାଖରେ ପହଞ୍ଚିବା ସହ ରାଜ୍ୟ ସରକାରଙ୍କ ଜନହିତକର କାର୍ଯ୍ୟକ୍ରମକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଚେଷ୍ଟା ଜାରି ରଖିଛି ।

ନିର୍ବାଚନ ତାରିଖ ଘୋଷଣା ପରେ ଓଡ଼ିଶାରେ ଗତ ୧୮ ବର୍ଷ ଧରି କ୍ଷମତାରେ ଥିବା ବିଜୁ ଜନତାରେ ଟିକେଟ ପାଇଁ ଜୋରଦାର ଲବି ଆରମ୍ଭ ହୋଇଯାଇଛି । କାହାକୁ ମିଳିବ ଟିକଟ୍, ଏହାକୁ ନେଇ ରାଜନୈତିକ ଦଳ ଗୁଡିକର ଆଶାୟୀ ପ୍ରାର୍ଥୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏପରି ସ୍ଥିତିରେ କାହାକୁ ମିଳିବ ବିଜେଡି ଟିକଟ୍ ତାନେଇ ସ୍ପଷ୍ଟ ଚିତ୍ର ପଦାକୁ ଆସିନି । ତେବେ ଆଜି ନବୀନ ନିବାସ ଆଗରେ ଅନେକ ଆଶାୟୀଙ୍କୁ ଦେଖିବାକୁ ମିଳିଥିଲା । ହାତରେ ରହିଛି ବାୟୋଡାଟା । ସମସ୍ତେ ଆଶା ରଖିଛନ୍ତି ସୁଯୋଗ ମିଳିବେ ନିଜର ପ୍ରାର୍ଥୀତ୍ୱ ନେଇ ଚୟନ କମିଟି ଆଗରେ ନିଜେ ହାଜର ହେବେ । ଏପରି ସ୍ଥିତିରେ କାହାକୁ ମିଳିବ ବିଜେଡି ଟିକଟ ସେ ନେଇ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଗଣମାଧ୍ୟମକୁ ନବୀନ କହିଛନ୍ତି ଏଥର ପ୍ରାର୍ଥୀ ଚୟନରେ ବିଜୟ ସଂଭାବନା ଥିବା ପ୍ରାର୍ଥୀଙ୍କୁ ଦଳ ଟିକେଟ୍ ଦେବ । ନିର୍ବାଚନ ତାରିଖ ଘୋଷଣା ସରିଥିବାରୁ ଖୁବଶୀଘ୍ର ଦଳ ପ୍ରାର୍ଥୀ ତାଲିକା ଘୋଷଣା କରିବ ବୋଲି କହିଛନ୍ତି ନବୀନ । ଚଳିତ ଥର ବିଜେଡ଼ି ଏକାକୀ ନିର୍ବାଚନ ଲଢ଼ିବ ବୋଲି ସ୍ପଷ୍ଟ କରିଛନ୍ତି ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ । ଅର୍ଥାତ ପୂର୍ବ ନିର୍ବାଚନର ଫଳାଫଳକୁ ଦେଖି ତଥା ବର୍ତ୍ତମାନ ସମୟରେ ନେତାଙ୍କ ପତିଆରାକୁ ଦେଖି ଟିକେଟ ମିଳିବ । ନିର୍ବାଚନୀ ରାଜନୀତିରେ ଜୋ ଜିତା ୱହି ସିକନ୍ଦର । ତେଣୁ ଟିକେଟ ବଂଟନରେ ଏହି ସର୍ତ୍ତ ରାଜନୈତିକ ଦଳ ମାନଙ୍କପାଇଁ ମୁଖ୍ୟ ସର୍ତ୍ତ ହୋଇଥାଏ ।