ଗଣଦୁଷ୍କର୍ମ ଘଟଣାରେ ନିଜ ଆଡୁ ମାମଲା ରୁଜୁ କଲା ମହିଳା କମିସନ ! ପୀଡିତାଙ୍କୁ ଭେଟିଲେ ଶିଶୁ ସୁରକ୍ଷା ଆୟୋଗର ଅଧ୍ୟକ୍ଷ

54

କନକ ବ୍ୟୁରୋ : ଗଣଦୁଷ୍କର୍ମର ଶିକାର ହୋଇଥିବା କୋରାପୁଟ ପୀଡିତାଙ୍କ ଚିକିତ୍ସା ପାଇଁ ୭ ଜଣିଆ ଡାକ୍ତରୀ ଦଳ ଗଠନ କରାଯାଇଛି । ଏହି ଡାକ୍ତରୀ ଦଳ ୨୪ ଘଂଟିଆ ପୀଡିତାର ସ୍ୱାସ୍ଥ୍ୟବସ୍ଥା ତଦାରଖ କରିବେ । ସେପଟେ ଘଟଣାରେ ନିଜ ଆଡୁ ମାମଲା ରୁଜୁ କରିଛି ମହିଳା କମିସନ । ପୀଡିତାଙ୍କ ବୟାନ ରେକର୍ଡ ପାଇଁ ମହିଳା କମିସନର ୪ ଜଣିଆ ସ୍ୱତନ୍ତ୍ର ଟିମ କେନ୍ଦୁଲ ଯାଇଛନ୍ତି । ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ । ପୀଡିତାଙ୍କ ପରିବାର ସହ ଆଲୋଚନା ହୋଇଛି ।

ଖୁବ ଶୀଘ୍ର ସରକାରଙ୍କୁ ରିପୋର୍ଟ ଦିଆଯିବ ବୋଲି ମହିଳା କମିସନର ଲୋପାମୁଦ୍ରା ବକ୍ସିପାତ୍ର କହିଛନ୍ତି । ରାଜ୍ୟ ଶିଶୁ ସୁରକ୍ଷା ସଭ୍ୟ ମଧ୍ୟ କୋରାପୁଟ ଡାକ୍ତରଖାନାକୁ ଯାଇ ପୀଡିତାଙ୍କୁ ଭେଟିଛନ୍ତି । ଏହାସହ ପୀଡିତାଙ୍କ ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ଡାକ୍ତରଖାନା କର୍ତୃପକ୍ଷଙ୍କ ସହ ଆଲୋଚନା ମଧ୍ୟ କରିଛନ୍ତି । ସେହିପରି ଜିଲ୍ଲା କଂଗ୍ରେସ ସଭାନେତ୍ରୀ ମଧ୍ୟ ପୀଡିତାଙ୍କୁ ଭେଟି ଅପରାଧୀଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଛନ୍ତି ।

ସୂଚନାଯୋଗ୍ୟ ଗଣଦୁଷ୍କର୍ମ ମାମଲାର ୪ଦିନ ପରେ ବି ଦୁଷ୍କର୍ମକାରୀଙ୍କୁ ଠାବ କରିପାରିନି ପୋଲିସ୍ । ତଦନ୍ତର ଦାୟିତ୍ୱ ନେଇଛି କ୍ରାଇମବ୍ରାଞ୍ଚ । ଦୁଷ୍କର୍ମକାରୀ କିଏ ତାକୁ ନେଇ ଖୋଳତାଡ କରୁଛି ଟିମ୍ । ଅଧିକାରୀମାନେ ଘଟଣାସ୍ଥଳ ବୋଲି କୁହାଯାଉଥିବା ମେଞ୍ଜିଗୁଡା ଜଙ୍ଗଲକୁ ଯାଇ କିଛି ନମୁନା ମଧ୍ୟ ସଂଗ୍ରହ କରିଛନ୍ତି । ଯବାନ ପୋଷାକରେ ଥିବା ବଳ।ତ୍କାରୀ ଦୁର୍ବୃତଙ୍କୁ ଖୋଜିବାରେ ଲାଗି ପଡିଛି ପୁଲିସ ।

କ୍ୟାମ୍ପରୁ କ୍ୟାମ୍ପ ବୁଲି ସୁରକ୍ଷାକର୍ମୀଙ୍କୁ ତଦନ୍ତକାରୀ ଦଳ ପଚରାଉଚରା କରୁଥିବା କହିଛନ୍ତି ପୁଲିସ ମହାନିର୍ଦେଶକ ରାଜେନ୍ଦ୍ର ପ୍ରସାଦ ଶର୍ମା । ପୁଲିସ ମଧ୍ୟ ତଦନ୍ତ ଜାରି ରଖିଥିବା କହିଛନ୍ତି କୋରାପୁଟ ଏସପି ଡାକ୍ତର କନୱର ସିଂହ । କୌଣସି ବି ପରିସ୍ଥିତିରେ ଅଭିଯୁକ୍ତଙ୍କୁ ଛଡାଯିବନି । ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହଛନ୍ତି ।

ତେବେ ଏହି ଘଟଣା ପରେ ସେ ରାସ୍ତା ଦେଇ ଯିବାକୁ ଲୋକେ ଡରୁଛନ୍ତି । କୁନ୍ଦୁଲି ନିକଟସ୍ଥ ମାରଲା, ମେଞ୍ଜିଗୁଡା, ମୂଷାଗୁଡା ଓ ସୋରିଷପଦର, ବିଲେଇଗୁଡା ଗାଁରେ ଏବେ କୋକୁଆ ଭୟ ହୋଇଛି । ଗୋଟିଏ ଗାଁରୁ ଅନ୍ୟ ଗାଁକୁ ଯିବାକୁ ମହିଳା, ଯୁବତୀମାନେ ଡରୁଛନ୍ତି । ଏପଟେ ସ୍କୁଲ ଯିବାକୁ ବି ଛାତ୍ରୀମାନେ ଡରିଲେଣି । ତେଣୁ ସ୍କୁଲରେ ଉପସ୍ଥାନ କମିବାରେ ଲାଗିଛି । ସଞ୍ଜ ହେଉ ହେଉ ଗାଁରେ ତାଟି କବାଟ ପଡିଯାଉଛି । ମହିଳା ମାନେ ବାହାରକୁ ବାହାରିବା ପୂର୍ବରୁ ହଜାରେ ଥର ଭାବୁଛନ୍ତି ।