କନକ ନ୍ୟୁଜରେ ଖବର ପ୍ରସାରଣ ପରେ ଢେଙ୍କାନାଳର ଭୁବନକୁ ଫେରିଲା ବିଜୁଳି : ପାନୀୟ ଜଳ ପ୍ରକଳ୍ପରେ ବିଜୁଳି ସଂଯୋଗ ଦେଲା ସେସୁ, ବକେୟା ବିଲ୍ ପାଇଁ କଟିଥିଲା ବିଜୁଳି, ବନ୍ଦ ହୋଇଯାଇଥିଲା ପାଣି

165

କନକ ବ୍ୟୁରୋ : ଫେରିଲା ବିଜୁଳି, ତୁଟିଲା ପିଇବା ପାଣି ସମସ୍ୟା । କନକ ନ୍ୟୁଜରେ ଖବର ପ୍ରସାରଣ ପରେ ସେସୁ ପକ୍ଷରୁ ତୁରନ୍ତ ବିଜୁଳି ସଂଯୋଗ ଦିଆଯାଇଛି । ଢେଙ୍କାନାଳ ଜିଲା ଭୁବନର କୀର୍ତନପୁରରେ ପାନୀୟ ଜଳ ଯୋଗାଣ ପ୍ରକଳ୍ପକୁ ବିଜୁଳି ସଂଯୋଗ ବିଚ୍ଛିନ୍ନ କରିଥିଲା ସେସୁ । କାରଣ, ବିଲ୍ ବାବଦରେ ୨୦ ହଜାରରୁ ଅଧିକ ଟଙ୍କା ବାକି ରହିଥିଲା । ବିଦ୍ୟୁତ୍ ସଂଯୋଗ ବିଛିନ୍ନ କରାଯିବା ପରେ ପାନୀୟ ଯୋଗାଣ ପ୍ରକଳ୍ପ ଏକପ୍ରକାର ଅଚଳ ହୋଇପଡିଥିଲା । ଏବଂ ଗ୍ରାମବାସୀ ବାଧ୍ୟ ହୋଇଥିଲେ ପୁରୁଣା ନଳକୂପର ପାଣି ପିଇବାକୁ ।

ପିଇବା ପାଣି ପାଇଁ ନଳକୂପ ଆଗରେ ଲମ୍ବା ଲାଇନ୍ ଲାଗିଥିଲା । ହାଣ୍ଡି, ମାଠିଆ ଧରି ଧାଡି ଲଗାଇଥିଲେ ମହିଳା । ୪ ଦିନ ଧରି ଏଭଳି ସ୍ଥିତି ଫଳରେ ଡହଳ ବିକଳ ପରିସ୍ଥିତି ସୃଷ୍ଟି ହୋଇଥିଲା । ଆଉ ସାମ୍ନାକୁ ଆସିଥିଲା ସେସୁର ବିଜୁଳି କାଟ୍ ଅଭିଯାନର ସାଇଡ୍ ଇଫେକ୍ଟ । ତେବେ ଏନେଇ କନକ ନ୍ୟୁଜରେ ଖବର ପ୍ରସାରଣ ପରେ ରାତିରେ ପାନୀୟ ଜଳ ଯୋଗାଣ ପ୍ରକଳ୍ପକୁ ବିଜୁଳି ସଂଯୋଗ ଦିଆଯାଇଛି । ଏନେଇ ସେସୁ ପକ୍ଷରୁ ସୂଚନା ଦିଆଯାଇଛି । ସେପଟେ ବିଜୁଳି ସଂଯୋଗ ପହଁଚିବା ପରେ ଗାଁରେ ରହୁଥିବା ୫ ଶହ ପରିବାରର ପିଇବା ପାଣି ସମସ୍ୟା ଦୂର ହୋଇଛି ।