ଗ୍ରୀଷ୍ମ ଆରମ୍ଭରୁ ରାଜ୍ୟରେ ପିଇବା ଜଳ ସମସ୍ୟା ! ନବରଙ୍ଗପୁର ବଡ଼କୁମାରୀ ଓ ଗଂଜାମ ମୌଳାଭଣଞ୍ଜାରେ ପାଣି ପାଇଁ ହାହାକାର

28

କନକ ବ୍ୟୁରୋ : ଗ୍ରୀଷ୍ମ ଆରମ୍ଭରୁ ରାଜ୍ୟରେ ଉତ୍କଟ ହେଲାଣି ଜଳ ସମସ୍ୟା । ଖରା ଆରମ୍ଭରୁ ପାଣି ପାଇଁ ହାହାକାର । ଗାଁ ଗାଁରେ ପିଇବା ପାଣିକୁ ନେଇ ଦେଖା ଦେଲାଣି ସମସ୍ୟା । ଜଳ ଯୋଗାଣ ପାଇଁ ପାଣି ଟାଙ୍କି ଅଛି, ପାଇପି ବିଛା ଯାଇଛି । ହେଲେ ନିମ୍ନ ମାନର କାମ ଯୋଗୁଁ ତାହା ଖରାପ ହୋଇ ପଡ଼ିରହିଛି । ଫଳରେ ଉତ୍କଟ ଜଳାଭାବର ଶିକାର ହେଉଛନ୍ତି ଲୋକ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ବଡ଼କୁମାରୀ ପଂଚାୟତ ଓ ଗଂଜାମ ଜିଲ୍ଲା ମୌଳାଭଣଞ୍ଜା ପଂଚାୟତରେ ।

ପାଣି ଟୋପେ ପାଇଁ ଗୋଟିଏ ନଳକୂପ ପାଖରେ ଥୁଆ ହୋଇଛି ମାଳମାଳ ବାଲଟି, ଗରା ଓ ମାଠିଆ । ଖାଲି ଏତିକି ନୁହେଁ ପିଇବା ପାଣି ମୁନ୍ଦେ ପରସ୍ପର ଭିତରେ ଚାଲେ ଗଣ୍ଡଗୋଳ ଏବଂ ଠେଲାପେଲା । ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ବଡ଼କୁମାରୀ ପଂଚାୟତର ଖୁଟୁଗୁଡା ଗାଁରେ ପିଇବା ପାଣି ମିଳୁନଥିବାରୁ ଅନ୍ୟ ଏକ ସାହିରୁ ଯାଇ ପାଣି ଆଣୁଛନ୍ତି ଏଠାକାର ମହିଳା । ଖୁଟୁଗୁଡାକୁ ପାନୀୟ ଜଳ ଯୋଗାଣ ପାଇଁ ୭ ବର୍ଷ ହେଲା ପାଣି ଟାଙ୍କି ତିଆରି ହୋଇଛି ହେଲେ ତାହା ଅଯୋଗ୍ୟ ।

ଅନେକ ସ୍ଥାନରେ ତିଆରି ହୋଇଥିବା ପୋଷ୍ଟ ଭାଙ୍ଗିରୁଜି ଗଲାଣି । ଫଳରେ ,ପାଣି ଟୋପେ ପାଇଁ ଡ଼ହଳ ବିକଳ ହେଇଛନ୍ତି ଲୋକେ । ଏନେଇ ବାରମ୍ବାର ପ୍ରଶାସନକୁ ଜଣାଇଥିଲେ କେହି ଶୁଣୁନଥିବା ଅଭିଯୋଗ ହୋଇଛି । ଖୁଟୁଗୁଡା ଗାଁରେ ଜଳ ସମସ୍ୟା ଦୂର କରିବା ପାଇଁ ୧୫ ଦିନ ମଧ୍ୟରେ ପାଣି ଟାଙ୍କିର ମରାମତି କରାଯିବ ବୋଲି କହିଛନ୍ତି ଉମରକୋଟ ବ୍ଲକ ଗ୍ରାମ୍ୟ ଜଳ ଯୋଗାଣ ବିଭାଗ କନଷ୍ଠ ଯନ୍ତ୍ରୀ ।

ସେହି ସମାନ ଦୃଶ୍ୟ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଳକ ଖୋଲୁଡି ଗାଁରେ । ଗାଁର ୩ଟି ୱାର୍ଡରେ ପ୍ରାୟ ଦୁଇ ହଜାରରୁ ଅଧିକ ଲୋକ ବସବାସ କରୁଛନ୍ତି । ଏଠାରେ ଜଳ ଉତ୍ସ କହିଲେ ଗୋଟି ପୋଖରୀ, ଖୋଲା କୂପ, ୫ଗୋଟି ନଳକୂପ ଓ ଗାଁ ଦେଇ ଯାଇଥିବା ଘୋଡାହାଡ ନଦୀ । ଗ୍ରୀଷ୍ମ ଆରମ୍ଭରୁ ହିଁ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ନଦୀ, ନାଳ ଓ ପୋଖରୀ ଶୁଖିଲାଣି ।

ଆଉ ଏବେ ପାଣି ପାଇଁ ଭରସା ଗୋଟିଏ ମାତ୍ର ନଳକୂପ । ତାହା ପୁଣି ବେଳେବେଳେ ଅଚଳ ହୋଇପଡ଼ୁଛି । ଫଳରେ ଗାଁ ଲୋକଙ୍କୁ ପାଣି ପାଇଁ ମାଇଲ ମାଇଲ ମାର୍ଚ କରିବାକୁ ପଡୁଛି । ଚୁଆ ପାଣି ପିଇ ଏଠାକାର ଲୋକ ବିଭିନ୍ନ ପ୍ରକାର ରୋଗର ଶିକାର ହେଉଥିଲେ ସୁଦ୍ଧା ପ୍ରଶାସନ ପକ୍ଷରୁ କୈାଣସି ପଦକ୍ଷେପ ନିଆଯାଉନଥିବାରୁ ଅସନ୍ତୋଷ ଦେଖାଦେଇଛି ।

ସେପଟେ ଖୋଲୁଡି ଗାଁରେ ଗ୍ରୀଷ୍ମ ପ୍ରବାହ ପୂର୍ବରୁ ସମସ୍ତ ନଳକୂପର ମରାମତି କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ସାନେଖାମୁଣ୍ଡି ବିଡିଓ । ଗ୍ରୀଷ୍ମ ଆସିବା ଆଗରୁ ରାଜ୍ୟରେ ଉପୁଜିଥିବା ଜଳ ସମସ୍ୟାର ସମାଧାନ ପାଇଁ ପ୍ରଶାସନିକ ସ୍ତରରେ ଘନଘନ ବୈଠକ ବସୁଛି । ହେଲେ ଗ୍ରାମାଂଚଳରେ ସ୍ଥିତି ସୁଧୁରୁ ନାହିଁ ।