ଖରା ଆରମ୍ଭ ନହେଉଣୁ ପାଣି ଚିନ୍ତା : ମାଲକାନଗିରି ଜିଲ୍ଲାର ଆଦିବାସୀ ଇଲାକାରେ କାମରେ ଆସୁନି ସୋଲାର ପାଣି ପମ୍ପ, ଚିନ୍ତାରେ ନାମେଲଗୁଡା ଗାଁର ୩୦୦ ପରିବାର

117

କନକ ବ୍ୟୁରୋ : ଖରା ଆରମ୍ଭ ହୋଇ ଗଲାଣି । ଗାଁ ଗଣ୍ଡାରେ ନଳକୁପ ସମେତ ସମସ୍ତ ପାନୀୟ ଜଳ ପ୍ରକଳ୍ପ ଗୁଡିକ କାର୍ଯ୍ୟକ୍ଷମ କରିବା ପାଇଁ ଚାରିଆଡେ ତତ୍ପତା ପ୍ରକାଶ ପାଇଛି । ହେଲେ ମାଲକାନଗିରି ଜିଲ୍ଲାର ଆଦିବାସୀ ଇଲାକାରେ ପିଇବା ପାଣି ଯୋଗାଇବା ଲାଗି ନିର୍ମିତ ସୋଲାର ପମ୍ପ ଗୁଡିକ ଅଚଳ । ଗ୍ରାମବାସୀ ପ୍ରଶାସନକୁ ବାରମ୍ବାର ଗୁହାରି କଲେ ବି କୌଣସି ସୁଫଳ ମିଳୁନାହିଁ । ଆଗକୁ କେମିତି ମେଂଟିବ ଶୋଷ, ପିଲାଛୁଆ ପିଇବା ପାଇଁ ପାଣି କେଉଁଠୁ ଆଣିବେ ତାକୁ ନେଇ ଚିନ୍ତାରେ ମାଲକାନଗିରି ନାମେଲଗୁଡା ଗାଁର ୩୦୦ ପରିବାର । କେବଳ ନାମେଲଗୁଡା ନୁହେଁ ବରଂ ଜିଲ୍ଲାର ଅଧିକାଂଶ ସ୍ଥାନରେ ସୋଲାର ପାଣି ପମ୍ପ ଅଚଳ ଥିବା ବେଳେ ବିଭାଗୀୟ ଅଧିକରୀ କିନ୍ତୁ ନିରବ ।

କୋରୁକୋଣ୍ଡା ବ୍ଲକ ନାମେଲଗୁଡା ଗାଁରେ ଆଦିବାସୀଙ୍କୁ ପାନୀୟ ଜଳ ଯୋଗାଇବା ଲାଗି ସୌର ଚାଳିତ ହ୍ୟାଣ୍ଡ ପମ୍ପ ନିର୍ମାଣ ହୋଇଛି । ହେଲେ ନିର୍ମାଣର ଦିନ କେଇଟା ପରେ ଅଚଳ ଏହି ସୌର ଚାଳିତ ପାନୀୟ ଜଳ ପ୍ରକଳ୍ପ । ଏଣେ ଗାଁରେ ଥିବା ନଳକୂଅରୁ ବାହାରୁଛି ଆଇରନ ପାଣି । ଯାହାକୁ ପିଇବା ଅନୁପଯୋଗୀ । ଆଗକୁ ଖରା ଦିନ ଥିବାରୁ ନାଳ, ପୋଖରୀ, ଚୁଆ ସବୁ ସୁଖି ଗଲାଣି । ତେଣୁ ପିଲାଛୁଆଙ୍କ ଶୋଷ ମେଂଟାଇବେ କେମିତି ଏବେ ସେହି ଚିନ୍ତାରେ ନାମେଲଗୁଡା ୩୦୦ ଆଦିବାସୀ ପରିବାର । ସୌର ଚାଳିତ ପାନୀୟ ଜଳ ପ୍ରକଳ୍ପ ଅଚଳ ନେଇ ସ୍ଥାନୀୟ ସରପଂଚ, ବିଡିଓ, ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ଓ ଓରେଡାକୁ ଜଣାଇଲେ ବି କେହି ଶୁଣୁନଥିବା ଅଭିଯୋଗ ହୋଇଛି ।


ମାଲାକନଗିରି, କାଲିମେଳା ଓ ଖଇରପୁଟ ବ୍ଲକର ୩୦ରୁ ଅଧିକ ଗାଁରେ ଅଚଳ ସୌର ଚାଳିତ ପାନୀୟ ଜଳ ପ୍ରକଳ୍ପ । ଏନେଇ ସରକାରୀ ସୂଚନା ମଧ୍ୟ ରହିଛି । ହେଲେ ଏଯାଏଁ ମରାମତିର କୌଣସି ଖବର ନାହିଁ । ଗ୍ରାମ୍ୟ ଜଳ ଯୋଗାଣ ବିଭାଗର ଅନୁଦାନରେ ମାଲକାନଗିରି ଜିଲ୍ଲାରେ ୫୦୦ରୁ ଅଧିକ ସୌର ଚାଳିତ ଜଳ ପ୍ରକଳ୍ପ ହୋଇଛି । ଓଡିଶା ଅକ୍ଷୟ ଶକ୍ତି ବିକାଶ ସଂସ୍ଥା ୫ ଲକ୍ଷ ଟଙ୍କା ବ୍ୟୟରେ ବିଭିନ୍ନ ଘରୋଇ ସଂସ୍ଥା ଦ୍ୱାର ଏସବୁ ପ୍ରକଳ୍ପ ନିର୍ମାଣ କରିଛି । ୫ ବର୍ଷ ଧରି ପ୍ରକଳ୍ପର ରକ୍ଷଣାବେକ୍ଷଣ କରିବା ପାଇଁ ଓରେଡା ଚୁକ୍ତି କରିଛି ।

ସରକାରୀ ଭାବେ ୩୦ଟି ପ୍ରକଳ୍ପ ଅଚଳ ଥିବା କୁହାଯାଉଛି, ହେଲେ ଏହି ସଂଖ୍ୟା ଆହୁରି ଅଧିକ ବୋଲି ଅଭିଯୋଗ ହୋଇଛି । ତେବେ ବେଳ ଥାଉ ଥାଉ ଏଗୁଡିକର ମରାମତି କରିବା ଲାଗି ଦାବି ହୋଇଛି ।