କନକ ବ୍ୟୁରୋ : ପ୍ରତି ବର୍ଷ ଜଳକଷ୍ଟରେ ଘାଣ୍ଟି ହେଉଥିବା କୋରାପୁଟ ଜିଲ୍ଲାବାସୀ ଏବର୍ଷ ବି ପିଇବାକୁ ପାଣି ପାଇବେନି । ଖରାଦିନ ଆସିବା ଆଗରୁ ଏମିତି ସଙ୍କେତ ଜଳ ଜଳ ଦିଶିଲାଣି। କୋରାପୁଟ ଜିଲ୍ଳାରେ ଭୁତଳ ଜଳସ୍ତର ଅତି ବିପଦଜନକ ଭାବେ ତଳକୁ ଖସି ଯାଇଥିଲାବେଳେ ଜନବସତି ଗୁଡିକୁ ପାଇପ ପାଣି ଯୋଗାଣ ବି ବିଶେଷ ଆଗେଇ ପାରିନି। ଜିଲ୍ଲାର ମୋଟ ୪୪୦୪ଟି ଜନବସତି ଭିତରୁ ଏ ପର୍ଯ୍ୟନ୍ତ ପ୍ରାୟ ୮୩୦ଟି ଜନବସତିକୁ ପାଇପ ପାଣି ଯୋଗାଇ ଦିଆ ଯାଉଛି। ଏଥିପାଇଁ ୪୯୮ଟି ପାଇପ ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ କରାଯାଇଥିଲାବେଳେ ସେଥିରୁ ୩୭ଟି ଅଚଳ ହୋଇ ପଡିଛି । ଏପଟେ ବୈପାରିଗୁଡା, ପଟାଙ୍ଗୀ, ନାରାୟଣପାଟଣା ଆଦି ବ୍ଲକର ଅଧିକାଂଶ ଅଂଚଳରେ ନଳକୂପରୁ ଖରାଦିନେ ପାଣି ବାହାରିବ ନାହିଁ। ତେଣୁ ଜିଲ୍ଲାରେ ଜଳ ସଙ୍କଟ ଦେଖା ଦେବା ଏକ ପ୍ରକାର ନିଶ୍ଚିତ।
ଅପରପକ୍ଷରେ ଏହାର ମୁକା ବିଲା ପାଇଁ ଆଗୁଆ ପ୍ରସ୍ତୁତି ଆରମ୍ଭ କରିଛି ପ୍ରଶାସନ। ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ପକ୍ଷରୁ ସମସ୍ତ ବିଡିଓଙ୍କୁ ଚିଠି ଲେଖି ପଦକ୍ଷେପ ନେବାକୁ କୁହାଯାଇଛି। ପାହାଡ ପର୍ବତ ଘେରା କୋରାପୁଟ ଜିଲ୍ଲାରେ ମାଟି ତଳେ ବହୁ ଅଳ୍ପ ପରିମାଣର ଜଳ ରହିଛି। କିନ୍ତୁ ଏଠାରେ ଏକାଧିକ ଜଳ ଭଣ୍ଡାର ରହିଥିବାରୁ ଭୁପୃଷ୍ଟ ଜଳର ସ୍ଥିତି ଅପେକ୍ଷାକୃତ ଭଲ। ନଦୀ ନାଳ ବି ରହିଛି। ତେବେ ଜିଲ୍ଲାବାସୀ ମୁଖ୍ୟତଃ ପାନୀୟ ଜଳ ପାଇଁ ନଳକୂପ ଉପରେ ନିର୍ଭର କରିଥାନ୍ତି। ଏପରିକି ଅଧିକାଂଶ ଗାଁ ପାଇଁ ଜଳଉତ୍ସ କହିଲେ ଏହି ନଳକୂପକୁ ବୁଝାଏ। ସରକାରୀ ହିସାବ ଅନୁସାରେ, ଜିଲ୍ଲାରେ ଏବେ ୧୨,୫୭୧ଟି ନଳକୂପ ଓ ୧୭୪୭ଟି ପରିମଳ କୂପ ରହିଛି। ଏହା ସହିତ ୪୯୮ଟି ପାଇପ ଜଳ ଯୋଗାଣ ପ୍ରକଳ୍ପ କରାଯାଇଛି।
ଜିଲ୍ଲାରେ ଥିବା ସମୁଦାୟ ୪୪୦୪ଟି ଜନବସତି ଭିତରୁ ପ୍ରାୟ ୮୩୦ଟି ଜନବସତିକୁ ଏହି ପ୍ରକଳ୍ପ ଗୁଡିକରୁ ପାଇପ ପାଣି ଯୋଗାଇ ଦିଆ ଯାଇଥାଏ। ପାଖାପାଖି ୧୫ହଜାର ଘର ଏଥିରୁ ଫାଇଦା ପାଇଥାନ୍ତି। କିନ୍ତୁ ବାକି ଜନବସତିରେ ଥିବା ୨ ଲକ୍ଷ ୭୫ ହଜାର ଘର ନଳକୂପ କିମ୍ବା କୂପ ଉପରେ ନିର୍ଭର କରିଥାନ୍ତି। କିଛି ସ୍ଥାନରେ ଲୋକେ ଝରଣା, ନଦୀ, ନାଳର ପାଣି ବ୍ୟବହାର କରନ୍ତି।